WHOଙ୍କ ଟିକାକରଣ ଯୋଜନାରେ ୨୦୨୪ ପର୍ଯ୍ୟନ୍ତ ଗରିବ ଦେଶଙ୍କୁ ମିଳି ନପାରେ Covid ଭାକ୍ସିନ !

Published By : Prameya-News7 Bureau | December 16, 2020 IST

ବ୍ରସେଲସ୍ : ସାରା ବିଶ୍ୱରେ ଆତଙ୍କ ରଚିଛି କରୋନା ଭାଇରସ ମହାମାରୀ। ଭୂତାଣୁ ମୁକାବିଲା ଲାଗି ଟିକା ବିକାଶ ବୃହତ୍ତର ବିଶ୍ୱକୁ ଆଶ୍ୱସ୍ତ କରିଛି। ହେଲେ ଟିକାକରଣକୁ ନେଇ ଦେଖାଦେଲାଣି ସଂକଟ। ଉନ୍ନତ ଓ ବିକଶିତ ଦେଶମାନଙ୍କରେ ଟିକାକରଣର  ପଦକ୍ଷେପ ବି ନିଆଗଲାଣି। ହେଲେ ବିଶ୍ୱରେ ସାମଗ୍ରିକ ଟିକାକରଣ ଲାଗି ଏପର୍ଯ୍ୟନ୍ତ କୌଣସି ନୀତିଗତ ନିଷ୍ପତ୍ତି ହୋଇ ନାହିଁ। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ଙ୍କ ଟିକାକରଣ ବ୍ୟବସ୍ଥାରେ ଯଦି ଟିକାଦାନ ହୁଏ ତେବେ ୨୦୨୪ ମସିହା ସୁଧା ବିଶ୍ୱର ଅନେକ ଅନୁନ୍ନତ ଓ ଆର୍ଥିକ ବିକାଶରେ ପଛୁଆ ଦେଶରେ ଟିକାକରଣ ହୋଇ ପାରିନଥିବା ବୋଲି ଏବେ ଆଶଙ୍କା କରାଯାଉଛି।

ଏକ ବିଂଶ ଶତାବ୍ଦୀ ଲାଗି କୋଭିଡ ସବୁଠୁ ବଡ ଆହ୍ୱାନରେ ପରିଣତ ହୋଇଛି। ଏହି ଭୂତାଣୁ ଯେତିକି ରହସ୍ୟମୟ ଏହାର ମୁକାବିଲା ମଧ୍ୟ ସେତିକି କଷ୍ଟକର। ଭୂତାଣୁ ମୁକାବିଲା ନିମନ୍ତେ ବିକଶିତ ଟିକା ବିଯୁକ୍ତ ୭୦ ଡିଗ୍ରିସେଲସିୟସ ଶିତଳ ଶୃଙ୍ଖଳା ଆବଶ୍ୟକ କରୁଥିବା ବେଳେ ଅଣବିକଶିତ ଦୂରର କଥା ବିକଶିତ ଦେଶଙ୍କ ଟିକାକରଣ ଲାଗି ଏବେ ମସ୍ତବଡ ଆହ୍ୱାନରେ ପରିଣତ ହୋଇଛି। ବିଶ୍ୱରେ ଟିକାକରଣ ଲାଗି ଏ ପର୍ଯ୍ୟନ୍ତ ସେପରି କୌଣସି ନୀତିଗତ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ମଧ୍ୟ ହୋଇନି। ଏଥିରେ ଟିକା ଆସିସାରିଥିଲେ ବି ଟିକାକରଣ କାର୍ଯ୍ୟକ୍ରମ ପହୁଣ୍ଡଟିଏ ଆଗକୁ ବଢି ପାରୁନଥିବାରୁ ଇୟୁରୋପୀୟ ୟୁନିୟନରେ ପୁଣି ଲକଡାଉନ କଡାକଡି ହୋଇଛି।

ଏଥିରେ କ୍ରମାଗତ ବିଶ୍ୱରେ ଟିକାକରଣ କରି ଆସୁଥିବା ଡବ୍ଲୁଏଚଓ ଯଦି ଟିକାକରଣ ଦାୟିତ୍ୱ ନିଅନ୍ତି ତେବେ ସଙ୍ଗଠନ ମଧ୍ୟ ପାଣ୍ଠି ଅଭାବ, ଯୋଗାଣଗତ ଜଟିଳତା ଓ ଜଟିଳ ଚୁକ୍ତିଭିତ୍ତିକ ସମସ୍ୟା ଗ୍ରସ୍ତ ଥିବା ଜଣାପଡିଛି। ଏହାମାନେ ନୁହେଁ ଯେ ଡବ୍ଲୁଏଚଓ ବୈଶ୍ୱିକ କୋଭିଡ ଟିକାକରଣ ଲାଗି କୌଣସି ଯୋଜନା କରିନାହାନ୍ତି। ସଙ୍ଗଠନ ‘କୋଭାକ୍ସିନ’ନାମରେ ବୈଶ୍ୱୟିକ କାର୍ଯ୍ୟକ୍ରମର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଖିଛନ୍ତି। ଯେଉଁଥିରେ ମୁଖ୍ୟତଃ ଆଫ୍ରିକା, ଏସିୟା ଓ ଲାଟିନ ଆମେରିକୀୟ ଦେଶମାନଙ୍କରେ ୨୦୨୧ ମସିହା ଶେଷ ହେବା ପୂର୍ବରୁ ଅନୁନ୍ୟ ୨ ବିଲିୟନ ଡୋଜ ଟିକାକରଣ ଲାଗି ଯୋଜନା କରିଛନ୍ତି।

ଡବ୍ଲୁଏଚଓ କରିଥିବା ଯୋଜନାରେ କୋଭାକ୍ସ ବ୍ୟବସ୍ଥାକୁ ସଫଳ କରିବାରେ ସର୍ବାଧିକ ଜଟିଳତା ଥିବା ‘ଗାଭି’ ବୋର୍ଡକୁ ମିଳିଥିବା ଅନ୍ତରୀଣ ରିପୋର୍ଟରୁ ଜଣାପଡିଛି। ବିଭିନ୍ନ ସରକାର, ଔଷଧ କମ୍ପାନୀ, ଅନୁଦାନକାରୀ ଓ ଅନ୍ତର୍ଜାତୀୟ ସଙ୍ଗଠନଙ୍କ  ସଙ୍ଗଠନ ହେଉଛି ‘ଗାଭି’। ଡବ୍ଲୁଏଚଓଙ୍କ ସହିତ ଗାଭି ମଧ୍ୟ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବେ।  ଏଥିଲାଗି ଗତ ଡିସେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନଦିନ ବ୍ୟାପୀ ଗାଭି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରିପୋର୍ଟ ସମେତ ଅନ୍ୟ  ଡକ୍ୟୁମେଣ୍ଟ ନେଇ ବିସ୍ତୃତ ଆଲୋଚନା ବି ହୋଇଥିଲା। ଏଥିରେ ଏକ ଡକ୍ୟୁମେଣ୍ଟରେ ଟିକାକରଣରେ ସାମାନ୍ୟ ବିଫଳତା ୨୦୨୪ ମସିହା ପର୍ଯ୍ୟନ୍ତ ଗରିବ ଦେଶଙ୍କୁ କୋଭିଡ ଟିକାକରଣରୁ ବଞ୍ଚିତ  ରଖିପାରେ ବୋଲି ଆଶଙ୍କା କରାଯାଇଛି।

 ରିପୋର୍ଟରେ ଏହି ଟିକାକରଣ ବିଫଳ ହେବାର ସମ୍ଭାବନା ମଧ୍ୟ ବହୁତ ଅଧିକ ବୋଲି କୁହାଯାଇଛି। ଦୁର୍ଗମ ଅଞ୍ଚଳ ଏହାର ଏକ ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। କାରଣ ଟିକାକରଣ ଯଥାଶୀଘ୍ର ହେବାକୁ ଥିବା ବେଳେ ଦୁର୍ଗମ ଅଞ୍ଚଳରେ ଟିକାକରଣ ବାସ୍ତବିକ କଷ୍ଟକର ବୋଲି କୁହାଯାଇଛି। ତେବେ ଏପରି ଟିକାକରଣ ଲାଗି ଥିବା ଆର୍ଥିକ ସଂକଟ ନିମନ୍ତେ ଗାଭି ଗତମାସରେ ସିଟି ଗ୍ରୁପଙ୍କ ସହ ବିସ୍ତୃତ  ପରାମର୍ଶ କରିଥିଲେ। ଏଥିଲାଗି ଆବଶ୍ୟକ ପର୍ଯ୍ୟାପ୍ତ ଅର୍ଥ ଲାଗି ହୁଏତ ରାସ୍ତା ବାହାରି ଯାଇପାରେ ହେଲେ ସିଟି ଗ୍ରୁପ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଏବେ ଚିନ୍ତାର କାରଣ ପାଲଟିଛି।  ତେବେ ଯାହା ବି ହେଉ ଟିକାକରଣର ଲକ୍ଷ ନିଶ୍ଚିତ ହାସଲ କରାଯାଇପାରିବ ବୋଲି ଗାଭି ମୁଖପାତ୍ର ଦୃଢ ଆଶାପୋଷଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.