ଟୋକିଓ ଅଲିମ୍ପିକ୍ସ ୨୦୨୦: କ୍ଵାର୍ଟର ଫାଇନାଲ୍‌ରେ ହାରିଲେ ପୂଜା ରାଣୀ, ମଉଳିଲା ପଦକ ଆଶା

Published By : Prameya-News7 Bureau | July 31, 2021 IST

ଟୋକିଓ ୩୧।୦୭:  ଭାରତ ପାଇଁ ପ୍ରଥମ ପଦକ ମୀରାବାଈ ଚାନୁ ଜିତିଥିଲେ। ଏହା ପରଠୁ ଭାରତ ଗୋଟିଏ  ହେଲେ ପଦକ ଜିତି ପାରିନାହିଁ। ଗତକାଲି ପଦକର ସବୁଠୁ ବଡ ଆଶା ଦୀପିକା କୁମାରୀ ହାରିଥିଲେ। ଶନିବାର ଭାରତର ପଦକ ଆଶାରେ ଆଉ ଏକ ଝଟକା ଲାଗିଛି। କ୍ଵାର୍ଟର ଫାଇନାଲରେ ବକ୍ସର ପୂଜା ରାଣୀ ପରାଜିତ  ହୋଇଛନ୍ତି। ଏଥିସହ ଭାରତ ପକ୍ଷରୁ ୭୫ କିଲୋଗ୍ରାମ ବର୍ଗରେ ପୂଜା ରାଣୀଙ୍କ ଅଲିମ୍ପିକ ଅଭିଯାନ ସମାପ୍ତ ହୋଇଛି। କ୍ଵାର୍ଟର ଫାଇନାଲ ମୁକାବିଲାରେ ପୂଜା ରାଣୀଙ୍କୁ ଚୀନର ଖେଳାଳି ୫-୦ରେ ମାତ୍ ଦେଇଛନ୍ତି। ସଂପୂର୍ଣ୍ଣ ଏକତରଫା ମ୍ୟାଚ୍‌ରେ ପୂଜା ରାଣୀ ପରାଜିତ ହୋଇଛନ୍ତି। ଚୀନର ଖେଳାଳି ତିନୋଟି ଯାକ ରାଉଣ୍ଡରେ ଭାରତୀୟ ବକ୍ସର ଉପରେ ଭାରି ପଡିଥିଲେ।

ଏହା ପୂର୍ବରୁ ଭାରତୀୟ ବକ୍ସର ପୂଜା ରାଣୀ ଅଲିମ୍ପିକରେ ପଦାର୍ପଣ କରି ପ୍ରଥମ ମୁକାବିଲାରେ ଆଲଜେରିଆର ଇଚରକ ଚାଏବଙ୍କୁ ୫-୦ରେ ପରାଜିତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୩୦ ବର୍ଷୀୟ ଭାରତୀୟ ପୂରା ମୁକାବିଲାରେ ନିଜଠୁ ୧୦ ବର୍ଷ ସାନ ଜୁନିୟର ପ୍ରତିଦ୍ଵନ୍ଦ୍ଵୀଙ୍କ ଉପରେ ଦବଦବା ଜାରି ରଖିଥିଲେ।

ହେଲେ କ୍ଵାର୍ଟର ଫାଇନାଲରେ ପୂଜା ରାଣୀ ପ୍ରଭାବହୀନ ରହିଥିଲେ। ଦିନ ଏମିତି ଥିଲା, ଯେବେ ପୂଜା ରାଣୀଙ୍କ କ୍ୟାରିୟର ସମାପ୍ତ ହେବା ଉପରେ ଥିଲା। ତାଙ୍କ ହାତ ମଧ୍ୟ ଜଳି ଯାଇଥିଲା। ଆର୍ଥିକ ସହଯୋଗ ଅଭାବ ସତ୍ତ୍ଵେ ମଧ୍ୟ ସେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି। ତାଙ୍କ ବାପା ଜଣେ ପୋଲିସ ଅଧିକାରୀ। ବାପା ଚାହୁଁନଥିଲେ ତାଙ୍କ ଝିଅ ବକ୍ସିଂରେ କ୍ୟାରିୟର କରୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.