ବିଷାକ୍ତ ଧୂଆଁରେ ଅତିଷ୍ଟ ରାଜଧାନୀବାସୀ, ଘରୁ ବାହାରିବା ମୁସ୍କିଲ : କାହିଁକି ଉପୁଜିଲା ଏମିତି ସମସ୍ୟା?

Published By : Prameya-News7 Bureau | November 16, 2021 IST

ନୂଆଦିଲ୍ଲୀ ୧୬/୧୧ : ପ୍ରତି ବର୍ଷ ବିଶ୍ବରେ ପ୍ରଦୂଷଣଜନୀତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ କେବଳ ପ୍ରଦୂଷଣ ଯୋଗୁଁ ମୃତ୍ୟୁମୂଖରେ ପଡୁଥିବା ରେକର୍ଡ ରହିଛି । ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି ।  ପ୍ରଦୂଷଣଜନୀତ ସମସ୍ୟା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୋଟିଏ ପଟେ କରୋନା ଦାଉ ଅନ୍ୟପଟେ ପରିବେଶ ପ୍ରଦୂଷଣ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିପକାଉଛି।

ଦିଲ୍ଲୀର ଚିକିତ୍ସାଳୟ ମାନଙ୍କରେ ଶ୍ୱାସକ୍ରିୟା ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ରୋଗୀ ତଥା ଫୁସଫୁସ୍‌ ଓ  ଚର୍ମ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚିକିତ୍ସକମାନେ ମଧ୍ୟ ପରିବେଶ ପ୍ରଦୂଷଣ ଯୋଗୁଁ ଉପୁଜୁଥିବା ସମସ୍ୟାକୁ ନେଇ ବାରମ୍ବାର ଚେତାବନୀ ଦେଉଛନ୍ତି । କରୋନା ମହାମାରୀ ସମୟରେ ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍‌ ଲାଗୁ କରାଯାଇଥିଲା । ଏବେ ମହାମାରୀରୁ ସାମାନ୍ୟ ଆଶ୍ବସ୍ତୀ ମିଳିବା​‌ ପରେ ଜନଜୀବନ ସ୍ବଭାବିକ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏବେ ରାଜଧାନୀରେ ମାତ୍ରାଧିକ ପ୍ରଦୂଷଣ ପୁଣି ଥରେ ଲକଡାଉନ୍‌ ପରିସ୍ଥିତି ସୃଷ୍ଟି କରିଛି । ସ୍କୁଲଗୁଡିକୁ ସପ୍ତାହେ ପାଇଁ ବନ୍ଦ କରିଦିଆଯାଇଛି । ସରକାରୀ ଏବଂ ବେସରକାରୀ ଅଫିସଗୁଡିକୁ ମଧ୍ୟ ବନ୍ଦ କରାଯାଇଛି । ଆବଶ୍ୟକ ସ୍ଥଳେ ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି । ନିର୍ମାଣ କାମ ମଧ୍ୟ ଠପ୍‌ ହୋଇଯାଇଛି । ଦିଲ୍ଲୀରେ ପୁଣିଥରେ ଯୁଗ୍ମ-ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡି ଚଳାଚଳ ହେବାନେଇ ଯୋଜନା ଚାଲିଛି ।

ପ୍ରତିବର୍ଷ ଅକ୍ଟୋବରରେ ପ୍ରାୟତଃ ରାଜଧାନୀ ଅଣନିଶ୍ବାସୀ ହୋଇଯାଏ । ପ୍ରଦୂଷଣ ମାତ୍ରା ଏତେ ବଢିଯାଇଛି ଯେ, ଲୋକମାନେ ବାହାରକୁ ବାହରିବା ମଧ୍ୟ ମୁସ୍କିଲ ହୋଇପଡେ । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଦିଲ୍ଲୀରେ କଟକଣା ଲାଗୁ ହୋଇଥିଲେ ସୁଦ୍ଧା ପ୍ରଚୁର ମାତ୍ରାରେ ବାଣ ଫୁଟିଥିଲା । ଯାହାକି ପ୍ରଦୂଷଣ ବଢିବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ପଡ଼ୋଶୀ ରାଜ୍ୟମାନଙ୍କରେ ନଡ଼ା ଜାଳିବା ଓ ଭାରି ଯାନ ଚଳାଚଳ ଦ୍ବାରା ମଧ୍ୟ ଦିଲ୍ଲୀର ବାୟୁ ଧିରେଧିରେ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ନଭେମ୍ବର ମାସ ଆରମ୍ଭରୁ ହିଁ ଦିଲ୍ଲୀ ବାୟୁମଣ୍ଡଳରେ ବିଷାକ୍ତ ଧୂଆଁ ମାତ୍ରା ବଢ଼ିବାରେ ଲାଗିଛି ।

ପରିବେଶ ପ୍ରଦୂଷଣ ଉପରେ ନଜର ରଖୁଥିବା ସଂସ୍ଥା ଆଇକ୍ୟୁ ଏୟାର୍(IQ Air)ର ରିପୋର୍ଟ ଅନୁସାରେ, ବିଶ୍ବର ପ୍ରଦୂଷିତ ସହରମାନଙ୍କ ମଧ୍ୟରେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି । ବିଶ୍ବର ୧୦ ପ୍ରମୁଖ ପ୍ରଦୂଷିତ ସହରମାନଙ୍କ ମଧ୍ୟରେ ଭାରତର ୩ଟି ସହର ରହିଛି। ଯେଉଁଥିରେ ଏକ ନମ୍ବର ସ୍ଥାନରେ ଦିଲ୍ଲୀ ରହିଥିବା ବେଳେ କୋଲକାତା ଓ ମୁମ୍ବାଇ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାଧିକ ଭାବେ ବୃଦ୍ଧି ପାଉଥିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ପ୍ରଦୂଷଣ କମାଇବା ଦିଗରେ କାମ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହା ସହିତ ତାଲାବନ୍ଦକୁ ବିକଳ୍ପ ଭାବେ ବ୍ୟବହାର କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ଦିଲ୍ଲୀରେ ସ୍କୁଲ ବନ୍ଦ ରଖିବା ଏବଂ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକି ଏବେ କାର୍ଯ୍ୟକାରି ହେଉଛି। କୌଣସି ନିର୍ମାଣ କାର୍ଯ୍ୟକୁ ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.