ରାଜନୀତିରେ ସରୁନି ଲାଭକ୍ଷତିର ହିସାବ
12/08/2018 at 7:41 AM

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସରିଛି, ହେଲେ ରାଜନୀତିରେ ସରୁନି ଲାଭକ୍ଷତିର ହିସାବ । ନିଜେ ନିଜର ଅଙ୍କ କଷୁଛନ୍ତି ପ୍ରାୟ ସବୁ ଦଳ । ଏକଥା ଏଇଥି ପାଇଁ ଉଠୁଛି, କାହିଁକି ନା’ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଯେଉଁଭଳି ଭାବେ ମୋଦି ନବୀନଙ୍କ ସହଯୋଗ ଲୋଡ଼ିଲେ, ଆଉ ନବୀନ ବି ସହଯୋଗର ହାତ ବଢ଼ାଇଲେ, ତାକୁ ନେଇ ଏବେ ରାଜ୍ୟରେ ନେତାଏ ଲାଭକ୍ଷତିର ହିସାବରେ ଲାଗି ପଡ଼ିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହୁଛନ୍ତି, ଏହା ଦ୍ବାରା ବିଜେପି କ୍ଷତି ସହିବ । ଏହା ଦ୍ବାରା ଜନତାଙ୍କ ବିଶ୍ବାସ ହରାଇବ ଦଳ । ସେପଟେ ପିସିସି ମୁଖିଆ କିନ୍ତୁ ଏହାକୁ ବିଜେପିର ଲାଭ ବୋଲି କହିଲେଣି । ବାସ୍ତବରେ ନବୀନ-ମୋଦିଙ୍କ ଭିତରେ ଆରମ୍ଭ ହୋଇଥିବା ନୂଆ ବନ୍ଧୁତା ହିଁ ଏସବୁ ଲାଭକ୍ଷତିର ହିସାବକୁ ସାମ୍ନାକୁ ଆଣିଛି । …
ମୋଦି କହିଲେ ଆଉ ନବୀନ ମାନିଗଲେ । ବିଜେଡିର ୯ ସାଂସଦଙ୍କ ସମର୍ଥନ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟକୁ ସହଜ କରିଦେଲା । ଯେଉଁଥିପାଇଁ ପରସ୍ପରକୁ ଧନ୍ୟବାଦ ମଧ୍ୟ ଜଣାଇଲେ ମୋଦି ଆଉ ନବୀନ । ହେଲେ ମୋଦି-ନବୀନଙ୍କ ଏଇ ନୂଆ ବନ୍ଧୁତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଲଘୁଚାପ ବର୍ଷା ଆରମ୍ଭ ହୋଇଗଲାଣି । ଉଭୟ ନେତାଙ୍କ ସମ୍ପର୍କର ସାଇଡ୍ ଇଫେକ୍ଟ ଖୋଜିବାକୁ ଆରମ୍ଭ କଲେଣି ନେତା । ଖୋଦ୍ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହୁଛନ୍ତି ବିଜେପି, ବିଜେଡିକୁ ସମର୍ଥନ ମାଗିବା ଫଳରେ ବିଜେପିର ହିଁ କ୍ଷତି ହୋଇଛି । ଗୋଟେ ପଟେ ସମର୍ଥନ ମାଗୁଛନ୍ତି ଅନ୍ୟପଟେ ପ୍ରେସମିଟ୍ କରି ଗର୍ଜୁଛନ୍ତି । ଏମିତି ହେଲେ ଲୋକେ ବିଜେପିକୁ ବିଶ୍ବାସ କରିବେନି ।
ମୋଦି-ନବୀନଙ୍କ ବନ୍ଧୁତା ବଢ଼ିଲେ କିଏ ଲାଭରେ ଆଉ କିଏ କ୍ଷତିରେ ରହିବ ସେନେଇ ସମସ୍ତେ ଅଙ୍କ କଷିଲେଣି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ଆଡ଼କୁ ଢଳିବା ପରେ ରାଜ୍ୟ ରାଜନୀତିରେ ଏଭଳି ବିତର୍କ ଠିଆ କରିଛି । ନବୀନ-ମୋଦିଙ୍କ ଭିତରେ ଦୂରତା କମିଲେ ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ଆଉ ତୁ ତୁ ମେଁ ମେଁ ହେବ କି ନାହିଁ , କେନ୍ଦ୍ରରେ ସିନା କୋଳାକୋଳି ହେଲେ ରାଜ୍ୟରେ ଏହି ଦୁଇ ଦଳଙ୍କ ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବା ସ୍ବାଭାବିକ । ଏମିତିରେ ବିଜେପି ନେତାଙ୍କ ଯୁକ୍ତି ଏନଡିଏକୁ ବିଜେଡିର ସମର୍ଥନ ପଛରେ ମୋଦିଙ୍କୁ ଡର ନା’ ଭଲପାଇବା ନା’ ମୋଦି ପୁଣିଥରେ ୨୦୧୯ରେ ନିର୍ବାଚିତ ହୋଇ ଆସିବେ ଭାବି ଆଗୁଆ ସମର୍ଥନର ସୂଚନା, ତାହା ବିଜେଡି କହିବ ।ହେଲେ ବିଜେଡିର ଜବାବ୍ ଏଠି ଲାଭକ୍ଷତିର ହିସାବ ନକରି ଜାତୀୟ ସ୍ବାର୍ଥକଥା ଚିନ୍ତା କରିଛି ଦଳ । ତେଣୁ ଏହାକୁ ନେଇ ରାଜନୀତି କରାନଯାଉ ।
ରାଜନୀତିରେ ସବୁ ସମ୍ଭବ । ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ । ଆଉ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର । ରାଜନୈତିକ ଫାଇଦା ପାଇଁ କେତେବେଳେ କିଏ କାହାକୁ ସମର୍ଥନ ଦେବେ ଆଉ କାହାଠୁ ଦୂରେଇଯିବେ ସେକଥା କହିବା ମୁସକିଲ । ତଥାପି ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଯିଏ ଯେଝା ଷ୍ଟ୍ରାଟେଜୀରେ ଅଛନ୍ତି । ଲକ୍ଷ୍ୟ କେବଳ କ୍ଷମତା ହାସଲ କରିବା ।