ଯେତିକି ପାଖଉଛି କେଜରିୱାଲଙ୍କ ଶପଥ ପାଠ ସମୟ, ସେତିକି ବଢୁଛି ଦିଲ୍ଲୀ ରାଜନୀତି ତାତି

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଶାସକ ଦଳ ଆମ ଆଦମୀ ପାର୍ଟି ସପକ୍ଷରେ ଯାଇଛି। ଦଳର ଜାତୀୟ ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଫେବୃଆରୀ ୧୬ ତାରିଖ ରବିବାର ଦିଲ୍ଲୀ ରାମଲିଳା ମୈଦାନରେ ତୃତୀୟବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବେ। ତାଙ୍କ ସହ  ଦଳର ୬ ଜଣ ମନ୍ତ୍ରୀ ବି ପଦ ଓ ଗୋପନୀୟତାର ଶପଥ ନେବେ। ହେଲେ କେଜରିୱାଲଙ୍କ ଶପଥପାଠ ଉତ୍ସବ ଯେତେ ପାଖେଉଛି ଦିଲ୍ଲୀ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି।

ଏହି ଶପଥଗ୍ରହଣ ଉତ୍ସବକୁ ଦିଲ୍ଲୀର ସମସ୍ତ ବିଜେପି ସାଂସଦ ଓ ବିଧାନସଭା ନିର୍ବାଚନରେ ନିର୍ବାଚିତ ସମସ୍ତ ବିଜେପି ବିଧାୟକଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି କେଜରିୱାଲ। ତେବେ କେଜରିୱାଲଙ୍କ ଆମନ୍ତ୍ରଣ ମିଳିବା ପରେ ରୋହିଣୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା  ଶନିବାର ତାଙ୍କୁ ଏକ ପତ୍ର ଲେଖିଛନ୍ତି। ଯେଉଁ ଥିରେ ସେ ଦିଲ୍ଲୀ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କ ଲାଗି ଜାରି ହୋଇଥିବା ସର୍କୁଲାର ପ୍ରତ୍ୟାହାର ଲାଗି ନିବେଦନ କରିଛନ୍ତି। ଏହି ସର୍କୁଲାରରେ  ଆପର ଶପଥ ଗ୍ରହଣ ଉତ୍ସବକୁ ଦିଲ୍ଲୀ ସ୍କୁଲମାନଙ୍କର ସମସ୍ତ ଶିକ୍ଷକଙ୍କ ଉପସ୍ଥିତିକୁ ଅନିବାର୍ଯ୍ୟ କରାଯାଇଛି। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି।

ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା  କେଜରିୱାଲଙ୍କ ଗତ ସରକାରରେ ବିଜେପି ବିଧାୟକ ଦଳ ନେତା ଭାବେ ବିଧାନସଭାରେ  ବିରୋଧୀ ଦଳ ନେତା ଥିଲେ। ତେବେ ଶିକ୍ଷକମାନଙ୍କ ଲାଗି ଦିଲ୍ଲୀ ସରକାରଙ୍କ ଶୁକ୍ରବାର ଜାରି ସର୍କୁଲାର ଏକଛତ୍ରବାଦର ନମୁନା ବୋଲି କହିଛନ୍ତି। କାରଣ ସରକାରଙ୍କ ଏହି ସର୍କୁଲାର ଯୋଗୁ ଆପର ଶପଥଗ୍ରହଣ ଉତ୍ସବରେ ଜୋର ଜବରଦସ୍ତ ୧୫ ହଜାର ଶିକ୍ଷକ ଓ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ଯୋଗଦେବାକୁ ପଡିବ। ତେବେ ଗୁପ୍ତା ଶପଥ ଗ୍ରହଣ ଉତ୍ସବରେ ନିଶ୍ଚିତ ଯୋଗ ଦେବେ ବୋଲି କେଜରିୱାଲଙ୍କୁ ପତ୍ରରେ ପ୍ରତିଶ୍ରୁତି ଦେଇଛନ୍ତି।

ସେପଟେ ଗୁପ୍ତାଙ୍କ ପତ୍ର ପ୍ରଘଟ ହେବା ପରେ ଦିଲ୍ଲୀ ଡାୟଲଗ ଓ ଦିଲ୍ଲୀ ଡେଭଲପମେଣ୍ଟ କମିଶନ ଉପାଧ୍ୟକ୍ଷ ଜଶ୍ମୀନ ସାହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦିଲ୍ଲୀ ପରିବର୍ତ୍ତନର ମୁଖ୍ୟ ଶିଳ୍ପୀ ଓ ଶପଥଗ୍ରହଣ ଉତ୍ସବକୁ  ଆମନ୍ତ୍ରଣ ଲାଗି ସେମାନେ ହକଦାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.