ଗୋଣ୍ଡା ରେଳ ଦୁର୍ଘଟଣାକୁ ନେଇ ରାଜନୀତି ଉଷ୍ମ, ତାଲିକା ଜାରିକଲା କଂଗ୍ରେସ

Published By : Prameya-News7 Bureau | July 18, 2024 IST

ନୂଆଦିଲ୍ଲୀ ୧୮।୭: ନରେନ୍ଦ୍ର ମୋଦି ୨୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ରୂପେ ପ୍ରଥମ ଥର ଶପଥପାଠ କରିଥିଲେ। ସେଦିନ ଗୋରଖଧାମ ଏକ୍ସପ୍ରେସ୍ ରେଳ ଦୁର୍ଘଟଣାର ଶିକାର ହୋଇଥିଲା।  ଏହି ଦୁର୍ଘଟଣାରେ ୨୫ ଜଣ ରେଳ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ସୂଚନା କଂଗ୍ରେସ ପାର୍ଟି ସେହି ସମୟରେ ଜାରି କରିଛି ଯେତେବେଳେ ଗୋଣ୍ଡା ରେଳ ଦୁର୍ଘଟଣାରେ ୪ ଜଣ ରେଳ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ତେବେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେତେ ରେଳ ଦୁର୍ଘଟଣା ହେଲାଣି ତାର ଏକ ତାଲିକା ଜାରି କରିଛି କଂଗ୍ରେସ। 

ଗୁରୁବାର ଗୋଣ୍ଡା ରେଳ ଦୁର୍ଘଟଣା ପରେ କଂଗ୍ରେସ ପାର୍ଟି ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ଓ ଗତ ୧୦ ବର୍ଷରେ ଦେଶରେ ହୋଇଥିବା ରେଳ ଦୁର୍ଘଟଣାର ତାଲିକା ସେୟାର କରିବା ସହ ଏହି ସବୁ ଦୁର୍ଘଟଣା ପାଇଁ ଦାୟି କିଏ ସେ ନେଇ ପ୍ରଶ୍ନ କରିଛି। ଏ ନେଇ କଂଗ୍ରେସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଶେଷରେ ପଚରା ଯାଇଛି ଏହି ଦାୟିତ୍ୱ କାହାର? କଂଗ୍ରେସ ସେୟାର କରିଥିବା ତାଲିକାରେ ପ୍ରତିବର୍ଷ ଦେଶରେ ଗୋଟିଏ ନା ଗୋଟିଏ ବଡ଼ ଧରଣର ରେଳ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି। 


ତାଲିକା ଅନୁସାରେ କେବଳ ୨୦୨୦ ଓ ୨୧ କରୋନା କାଳକୁ ଛାଡିଦେଲେ ଦେଶରେ ଅନ୍ୟ ସବୁ ବର୍ଷମାନଙ୍କରେ ରେଳ ଦୁର୍ଘଟଣା ହୋଇଛି। ୨୬ ମେ ୨୦୧୪ରେ ଗୋରଖଧାମ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨୦ ମାର୍ଚ୍ଚ ୨୦୧୫ରେ ଜନତା ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୦ନଭେମ୍ବର ୨୦୧୬ରେ ଇନ୍ଦୋର-ପାଟନା ଏକ୍ସପ୍ରେସ୍ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ୨୧ ଜାନୁୟାରୀ ୨୦୧୭ରେ ହୀରାଖଣ୍ଡ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହିବର୍ଷ ଅଗଷ୍ଟମାସରେ ପୁରୀ-ହରିଦ୍ୱାର ଉତ୍କଳ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା ଓ ଏଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିଲେ। 


୧୦ ଅକ୍ଟୋବର ୨୦୧୮ରେ ନ୍ୟୁ ଫରକ୍କା ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ୩ ଫେବୃଆରୀ ୨୦୧୯ରେ ସୀମାଚଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୧୩ ଜାନୁୟାରୀ ୨୦୨୨ରେ ବିକାନେର-ଗୌହାଟୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨ଜୁନ ୨୦୨୩ରେ ଓଡିଶାର ବାଲେଶ୍ୱର ବାହନଗାରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ହୋଇଥିଲା। ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଥିଲେ। ଏହା ପରେ ୧୧ ଅକ୍ଟୋବର ୨୦୨୩ରେ ନର୍ଥଇଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୭ ଜୁନ ୨୦୨୪ରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜୁଲାଇ ୧୮ରେ ଦିବ୍ରୁଗଡ ଏକ୍ସପ୍ରେସ୍ ଦୁର୍ଘଟଣାର ଶିକାର ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.