ମହିଳା ସଂରକ୍ଷଣ ବିଲ୍ ନେଇ ରାଜ୍ୟ ରାଜନୀତି ସରଗରମ : ବିଜେପି କହୁଛି କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି, ବିଜେଡି କହୁଛି ମୁଖ୍ୟମନ୍ତ୍ରୀଙ୍କର ସବୁ ଶ୍ରେୟ
19/09/2023 at 5:29 PM

ଭୁବନେଶ୍ବର ୧୯।୯: ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ପରେ ଜୋରଧରିଛି ରାଜ୍ୟ ରାଜନୀତି । ମହିଳା ସଂରକ୍ଷଣ ବିଲ୍ ଉପରେ ଶ୍ରେୟ ନେବା ଲାଗି ଚାଲିଛି ରାଜନୈତିକ ଟଣାଓଟରା । ବିଜେପି କହିଛି ଏହା କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି । ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଏମିତି ନିଷ୍ପତ୍ତି ନେଇପାରନ୍ତି । ଏହାଦ୍ବାରା ଏହା ହିଁ ମହିଳା ସଶକ୍ତିକରଣର ଉଦାହରଣ । ତେଣୁ ସବୁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ସେପଟେ କଂଗ୍ରେସ କହିଛି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଥମେ ଏ ନେଇ ସ୍ବର ଉଠାଇଥିଲେ । ଏହା ବହୁ ଆଗରୁ ହେବା କଥା ।
ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ମହିଳା ସଂରକ୍ଷଣ ଲାଗି ଉଦ୍ୟମ ଆରମ୍ଭ କରିଥିଲେ ତେଣୁ ସବୁ ଶ୍ରେୟ ତାଙ୍କର ବୋଲି ବିଜେଡି କହିଛି । ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରଚେଷ୍ଟା କରିଥିଲେ । ବିଧାନସଭାରେ ସଂକଳ୍ପ ପାରିତ କରି ବିଭିନ୍ନ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଅନ୍ୟ ରାଜ୍ୟକୁ ପଠାଇଥିଲେ ସହମତ ଆଣିବା ପାଇଁ । କେନ୍ଦ୍ର ପାଖରେ ମଧ୍ୟ ଦାବି ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସେହି ପ୍ରଚେଷ୍ଟା ଆଜି ସଫଳ ହୋଇଛି । ଏଥିରୁ ପ୍ରମାଣିତ ହୋଇଛି ଓଡିଶା ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଚିନ୍ତା କରନ୍ତି ତାକୁ ସମଗ୍ର ଦେଶ ଗ୍ରହଣ କରେ । ଇଏ ଶ୍ରେୟ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଶ୍ରେୟ ହେଉଛି ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କର । କାରଣ ସାରା ଭାରତ ବର୍ଷରେ ଯେତେବେଳେ କେହି ଚିନ୍ତା କରି ନଥିଲେ ନବୀନ ପଟ୍ଟନାୟକ ତାହା କରି କି ଦେଖାଇଥିଲେ । ଦଳୀୟ ସ୍ତରରେ ଲୋକସଭା ଆସନରେ ୩୩ ପ୍ରତିଶତ ମହିଳାଙ୍କୁ କ୍ୟାଣ୍ଡେଟ କରିଥିଲା ଦଳ । ଓଡ଼ିଶାରେ ମହିଳା ପ୍ରାର୍ଥୀ ବା ନେତ୍ରୀ ବିଜେଡିରେ ଯେତିକି ଅଛନ୍ତି ଅନ୍ୟ କୌଣସି ଦଳରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ଯେମିତି ବିଜେଡିର ମହିଳା ସଂଗଠନକୁ ସୁଦୃଢ କରିଛନ୍ତି ଅନ୍ୟ କାହାର ସେମିତି ସଂଗଠନ ନାହିଁ । ବିଜେଡିରେ ବହୁତ ଶିକ୍ଷିତ ଓ ଶସକ୍ତ ମହିଳା ଅଛନ୍ତି ଯେଉଁମାନେ ବିଧାୟକ ଓ ସାଂସଦ ହେବାକୁ ଯୋଗ୍ୟ ।
You Can Read :