କାଶ୍ମୀର ଫାଇଲ୍‌ ଫିଲ୍ମକୁ ନେଇ ବିବାଦୀୟ ମନ୍ତବ୍ୟ ପରେ ମୁହଁ ଖୋଲିଲେ ନଦାଭ ଲାପିଡ୍, କହିଲେ- ରାଜନେତାମାନେ ବିବାଦରୁ ଲାଭ ଉଠାନ୍ତି

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ଫିଲ୍ମ ନିର୍ମାତା ନଦାଭ ଲାପିଡ୍ ଭାରତୀୟ ସିନେମା 'ଦି କାଶ୍ମୀର ଫାଇଲ'କୁ ନିନ୍ଦା କରିବା ପରେ ବିବାଦ ଦେଖାଦେଇଛି। ଯାହାକୁ ନେଇ ଭାରତରେ ଥିବା ଇସ୍ରାଏଲ ରାଷ୍ଟ୍ରଦୂତ କ୍ଷମା ପ୍ରାର୍ଥନା କରିବା ସହିତ ଲାପିଡ୍‌ଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଥିଲେ। ଫିଲ୍ମ ନିର୍ମାତା ବିବେକ୍ ଅଗ୍ନିହୋତ୍ରୀ ଅନୁପମ ଖେର୍ ମଧ୍ୟ ଲାପିଡଙ୍କୁ ସମାଲୋଚନା କରିଥିଲେ। ଘଟଣାକୁ ନେଇ ନାନା ତମ୍ବି ତୋଫାନ ହେବା ପରେ ଏବେ ଏ ନେଇ ମୁହଁ ଖୋଲିଛନ୍ତି ନଦାଭ ଲାପିଡ୍।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତାର ଦେଇ ଲାପିଡ୍  ନିଜ ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହିତ ଘଟଣାର ରାଜନୀତିକରଣକୁ ନିନ୍ଦା କରିଛନ୍ତି। ତାଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି ବୋଲି ଉପସ୍ଥାପକ ଲାପିଡଙ୍କୁ କହିବା ପରେ ସେ କହିଛନ୍ତି ଯେ ସେ କାହାର ସମ୍ପତ୍ତି ନୁହଁନ୍ତି। ରାଜନେତାମାନେ ସବୁବେଳେ ବିବାଦରୁ ଲାଭ ଉଠାଇଥାନ୍ତି।

ଲାପିଡ୍ ଆହୁରି କହିଛନ୍ତି " ଉଦ୍ଦେଶ୍ୟମୂଳକ ପ୍ରଚାର କଣ କେହି ନିର୍ଦ୍ଧାରିତ କରିପାରିବେ ନାହିଁ। ମୁଁ ଏହି ତଥ୍ୟକୁ ଗ୍ରହଣ କରେ। ଏହା ଖୁବ୍ ସୁନ୍ଦର ଫିଲ୍ମ। କିନ୍ତୁ ଉଦ୍ଦେଶ୍ୟମୂଳକ ପ୍ରଚାର ଆଧାରରେ ଫିଲ୍ମକୁ ଅଲଗା କରିବାର କୌଣସି ମାପକାଠି ନାହିଁ। ଇତିହାସରେ ଯେଉଁ ଘଟଣା ଘଟିଛି ତାହା ଫିଲ୍ମକୁ ଉଦ୍ଦେଶ୍ୟମୂଳକ ପ୍ରଚାର ଓ ଏଥିରେ ହେର୍‌ଫେର୍‌ ଆଦିକୁ ଜନ୍ମଦେବ।"

ଏଥିସହିତ ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଛି ସେଥିପାଇଁ ମୁଁ କ୍ଷମା ମାଗୁଛି ବୋଲି ଲାପିଡ୍ କହିଛନ୍ତି। ତେବେ ତାଙ୍କ ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ ଜଣେ କଳାକାର ହିସାବରେ ଫିଲ୍ମକୁ ନେଇ ସେ ତାଙ୍କ ମନ୍ତବ୍ୟ ରଖିଥିଲେ। କାହାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ସେଠାରେ ଉପସ୍ଥିତ ଥିବା କିଛି ଜୁରି ସଦସ୍ୟ ମଧ୍ୟ ସମାନ କଥା ଅନୁଭବ କରିଥିଲେ। ୨୦୨୨ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଜଣେ ଜୁରୀ ଏହା ହୃଦବୋଧ କରି କହିଥିଲେ "ଉଭୟ ଇସ୍ରାଏଲ୍‌ ଓ ଭାରତର ଲୋକଙ୍କ ସହିତ ହେର୍‌ଫେର୍ କରାଯାଉଛି।" ଅନ୍ୟ ଜୁରୀମାନଙ୍କୁ ସମାନ ହୃଦବୋଧ ହୋଇଥିଲେ ବି ସେମାନେ କୌଣସି ମନ୍ତବ୍ୟ ଦେବାରୁ ବିରତ ରହିଥିଲେ ବୋଲି ଲାପିଡ୍ କହିଛନ୍ତି।  

ସୂଚନା ଥାଉକି ଗୋଆରେ ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ୫୩ ତମ ସଂସ୍କରଣରେ ବିଭିନ୍ନ ଦେଶର ୧୪ଟି ଫିଲ୍ମ ପ୍ରସାରିତ ହୋଇଥିଲା। ଏହି ୧୪ ଫିଲ୍ମ ମଧ୍ୟରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କର ଦି କାଶ୍ମୀର ଫାଇଲ୍‌କୁ ବି ପ୍ରସାରଣ କରାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଇସ୍ରାଏଲ୍ ଫିଲ୍ମ ମେକର ଲାପିଡ୍ କହିଥିଲେ " ଆମେ ସମସ୍ତେ ଏସବୁ ଦେଖି ହତବାକ। ଏହା ଆମକୁ ଏକ ଉଦ୍ଦେଶ୍ୟମୂଳକ ପ୍ରଚାର ଲାଗିଲା। ଏଭଳି ପ୍ରତିଷ୍ଠିତ ପ୍ରତିଯୋଗିତାମୂଳକ କଳାତ୍ମକ ପ୍ରତିଯୋଗିତାରେ ଏଭଳି ଅଶ୍ଳୀଳ ଚଳଚ୍ଚିତ୍ର ଉଚିତ ନଥିଲା। ଏହି ମଞ୍ଚରେ ମୋ ଭାବନାକୁ ମୁଁ ବଡ଼ ସହଜରେ ପ୍ରକାଶ କରୁଛି। କାରଣ ଏହି ଉତ୍ସବର ଲକ୍ଷ୍ୟ ବାସ୍ତବ ସମାଲୋଚନାକୁ ସ୍ୱୀକାର କରିବା, ଯାହା କଳା ଓ ଜୀବନ ଉଭୟ ପାଇଁ ଖୁବ ଦରକାରୀ" ।

ସୂଚନା ଥାଉକି ୧୯୯୦ରେ ଅତ୍ୟାଚାରରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ଉପରେ ଆଧାରିତ ହୋଇଛି କାଶ୍ମୀର ଫାଇଲ୍ ଫିଲ୍ମ। ଏଥିରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କ ଉପରେ କେମିତି ଅତ୍ୟାଚାର କରିଥିଲେ ସେ ବିଷୟରେ ଦର୍ଶାଯାଇଛି। ଏଥିରେ ଅନୁପମ ଖେର୍, ଦର୍ଶନ କୁମାର ଓ ପଲ୍ଲବୀ ଜୋଶୀ ପ୍ରମୁଖ ଅଭିନୟ କରିଥିଲେ। ଦେଶ ବିଦେଶରେ ମୁକ୍ତିଲାଭ କରିଥିବା ଫିଲ୍ମଟି ଭଲ ଆୟ ବି କରିଥିଲା।  

ଲାପିଡ୍‌ଙ୍କ ମନ୍ତବ୍ୟ ପରେ ଏଥିରେ ପ୍ରତିକ୍ରିୟା ଦେଇଥିଲେ ନିର୍ଦ୍ଦେଶ ବିବେକ ଅଗ୍ନିହୋତ୍ରୀ। ଫିଲ୍ମର କୌଣସି ସଟ୍‌ ଓ ଭିଡିଓ ମିଛ ହୋଇଥିଲେ ସେ ଫିଲ୍ମ ତିଆର କରିବେ ନାହିଁ ବୋଲି ଚ୍ୟାଲେଞ୍ଜ ଦେଇ କହିଥିଲେ। ସେହିପରି ଅନୁପମ ଖେର୍ ମଧ୍ୟ ଲାପିଡ୍‌ଙ୍କୁ ସମାଲୋଚନା କରି ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଥିଲେ। ସେହିପରି ଇସ୍ରାଏଲ୍ ରାଷ୍ଟ୍ରଦୂତ ନିଜେ ଅନୁପମଙ୍କୁ ଡାକି କ୍ଷମା ମାଗିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.