ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଲେ ସମଗ୍ର ଜୀବନ ନିର୍ବାଚନ ଲଢ଼ିବାରୁ ବଂଚିତ ହୋଇପାରନ୍ତି ରାଜନେତା
Published By : Prameya-News7 Bureau | November 01, 2018 IST
ଦିଲ୍ଲୀ ୧/୧୧ : ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହେଇଥିବା ରାଜନେତାମାନଙ୍କୁ ସମଗ୍ର ଜୀବନକାଳ ଭିତରେ ନିର୍ବାଚନ ଲଢ଼ିବାର ସୁଯୋଗରୁ ବଂଚିତ କାରପାରନ୍ତି ସୁପ୍ରିମକୋର୍ଟ | ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଆଗତ କରିଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର ବେଳେ ଏଭଳି ଆଭାସ ମିଳିଛି | ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ, ଜଷ୍ଟିସ ୟୁ.ୟୁ.ଲଳିତ ଏବଂ ଜଷ୍ଟିସ ଏ.ଏମ.ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିବା ବେଳେ ଅଶ୍ୱିନୀ କୁମାର ଉପାଧ୍ୟାୟ ଦୋଷୀ ସାବ୍ୟସ୍ତ ରାଜନେତାମାନଙ୍କୁ ଆଜୀବନ ନିର୍ବାଚନ ଲଢ଼ିବା ଅଧିକାରରୁ ବଂଚିତ କରିବା ପାଇଁ ନିର୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ | ତେବେ ଅଦାଲତ କହିଥିଲେ ଯେ, ମୂଳ ଜନସ୍ୱାର୍ଥ ସମ୍ବଳିତ ମାମଲାରେ କରାଯାଇଥିବା ଆବେଦନକୁ ଗୁରୁତ୍ୱ ଦେବା ଉଚିତ |
ସୂଚନାଯୋଗ୍ୟ ଯେ, ଜନପ୍ରତିନିଧି ଆଇନର ସେକ୍ସନ-୮(୩) ଅନୁସାରେ କୌଣସି ବ୍ୟକ୍ତି ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହେବାସହ ତାଙ୍କୁ ଦୁଇ ବର୍ଷରୁ ଅଧିକ ଜେଲ ଦଣ୍ଡ ବିଧାନ କରାଯାଇଥିଲେ ସେ ଦଣ୍ଡ ଘୋଷଣା ଠାରୁ ୬ ବର୍ଷ ମଧ୍ୟରେ କୌଣସି ନିର୍ବାଚନ ଲଢ଼ିପାରିବେନାହିଁ | ତେବେ ଉପାଧ୍ୟାୟ ଯୁକ୍ତି କରିଥିଲେ ଯେ, ଯଦି କୌଣସି ସରକାରୀ ଅଧିକାରୀ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗ କରନ୍ତି ତେବେ ସେ ସବୁଦିନ ପାଇଁ ଚାକିରୀ ହରାଇଥାନ୍ତି | ତେଣୁ ରାଜନେତାଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଅବଲମ୍ବନ ହେବା ଆବଶ୍ୟକ |
ଉପାଧ୍ୟାୟଙ୍କ ଏହି ଯୁକ୍ତି ପରେ ଆସନ୍ତା ଡିସେମ୍ବର ୪ ତାରିଖକୁ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି | ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରିବାବେଳେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଥିବା ମାମଲାଗୁଡିକର ଦ୍ରୁତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦେଶରେ ୧୨ଟି ସ୍ୱତନ୍ତ୍ର ଅଦାଲତ ସ୍ଥାପନ ପାଇଁ ନିର୍ଦେଶ ଦେଇଥିଲେ | ତେବେ ଏଭଳି କରିବା ଅପେକ୍ଷା ପ୍ରତ୍ୟେକ ଜିଲ୍ଲାରେ ଥିବା ଅଦାଲତଗୁଡିକ ମଧ୍ୟରୁ ଗୋଟିଏ ସେସନ୍ସ ଅଦାଲତ ଏବଂ ଗୋଟିଏ ମାଜିଷ୍ଟ୍ରେଟ ସ୍ଥରୀୟ ଅଦାଲତକୁ ଏହିସବୁ ମାମଲାର ଶୁଣାଣି ପାଇଁ ଅଧିକୃତ କରାଗଲେ ଅଧିକ ସୁଫଳ ମିଳିବ ବୋଲି ଏ ସଂକ୍ରାନ୍ତରେ ଆମିକସ କ୍ୟୁରି ଭାବେ ନିଯୁକ୍ତ ଆଇନଜୀବୀ ବିଜୟ ହଂସାରିୟ ସୁପ୍ରିମକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି | ଏଠି ପୂର୍ବରୁ ୧୨ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ସୁପ୍ରିମକୋର୍ଟ ଦେଇଥିବା ପରାମର୍ଶ ସମ୍ପର୍କରେ ହଂସାରିୟ କହିଥିଲେ ଯେ, ପଡିରହିଥିବା ମାମଲାଗୁଡିକର ଦ୍ରୁତ ଶୁଣାଣି ପାଇଁ ୧୨ଟି ନୁହେଁ, ୭୦ଟି ସ୍ୱତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି |
ଅପରପକ୍ଷରେ ଏହି ମାମଲାରେ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଅଦାଲତକୁ ତଥ୍ୟ ଦେଇ କହିଛନ୍ତି ଯେ, ଏକ ସ୍ଵେଛା ସେବି ସଂଗଠନ ଆସୋସିଏସନ ଅଫ ଡେମୋକ୍ରାଟିକ ରାଇଟ ଅନୁସାରେ ଏବେ ଦେଶରେ ନିର୍ବାଚିତ ପ୍ରତିନିଧିମାନଙ୍କ ଵିରୋଧରେ ୧୩୬୮୦ ଟି ମାମଲା ବିଚାର ନହୋଇ ପଡ଼ିରହିଛି | ସୁପ୍ରିମକୋର୍ଟଙ୍କ ଏ ସମ୍ପର୍କିତ ଆଭିମୁଖ୍ୟକୁ ଯଦି ବିଚାରକୁ ନିଆଯାଏ ତାହେଲେ ଡିସେମ୍ବର ୪ତାରିଖରେ ସୁପ୍ରିମକୋର୍ଟ ଯୁଗାନ୍ତକାରୀ ପଦକ୍ଷେପ ନେଇପାରନ୍ତି ଏବଂ ଦୋଷୀ ସାବ୍ୟସ୍ତ ରାଜନେତାମାନଙ୍କୁ ନିର୍ବାଚନ ଲଢ଼ିବାରୁ ସବୁବେଳେ ପାଇଁ ବଂଚିତ କରିପାରନ୍ତି |