ପାରଳାଖେମୁଣ୍ଡି ପୌରପରିଷଦର ନୂତନ କାର୍ଯ୍ୟାଳୟ କୋଠା ଉପରେ ୧୪୪ ଧାରା ଲଗାଯିବା ଘଟଣାକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଯୁଦ୍ଧ
21/09/2018 at 3:45 PM

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦର ନୂତନ କାର୍ଯ୍ୟାଳୟ କୋଠା ଉପରେ ୧୪୪ ଧାରା ଲଗାଯିବା ଘଟଣାକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଯୁଦ୍ଧ । ଗତ ୫ବର୍ଷ ଧରି କଂଗ୍ରେସ ନେତୃତ୍ବାଧୀନ କାଉନସିଲ କରିଥିବା ଉନ୍ନତିରେ ଅସହିଷ୍ଣୁ ହୋଇ ରାଜ୍ୟର ସରକାରୀ ଦଳ ବିଜେଡି ଶାସନ କଳକୁ ବ୍ୟବହାର କରି ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ତେବେ ଏହାର ଜବାବ ରଖିଛି ବିଜେଡି । ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଛି ଦଳ । ତେବେ ଉଭୟ ଦଳ ଏହି ବିବାଦକୁ ଲୋକଙ୍କ ଉପରେ ଛାଡିଥିବା କହିଛନ୍ତି ।
ଓଡିଶାର ଦ୍ବିତୀୟ ତଥା ଶତାୟୁ ପୁରାତନ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ଏକ ବିପଦ ସଂକୁଳ କୋଠାରେ ଚାଲିଛି । ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରାୟ ୨କୋଟି ଟଙ୍କା ବ୍ୟୟରେ ଏକ ନୂତନ କୋଠା ନିର୍ମାଣ କରାଯାଇଥିବା ବେଳେ ଗତ ୮ତାରିଖରେ ସ୍ଥାନୀୟ ବିଧାୟକଙ୍କ ଦ୍ବାରା ଏହାର ଉଦଘାଟନ ହୋଇଥିଲା । ତେବେ ଏହାକୁ ବିରୋଧ କରିଥିଲେ ବିଜେଡି କାଉନସିଲର ମାନେ । କୌଣସି ପ୍ରସ୍ତୁତି ବୈଠକ କରାନଯାଇ ଏହାକୁ ଉଦଘାଟନ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ନଡାକି ଏହା ଉଦଘାଟନ କରିବା ଠିକ ହୋଇନାହିଁ ବୋଲି ବିଜେଡି ଦର୍ଶାଇଥିଲା । ଉଭୟ ପକ୍ଷ ମଧ୍ୟରେ ବିବାଦ ଥିବା ବେଳେ ସୁରକ୍ଷା ଯୋଗାଇ ଦେବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ପୋଲିସକୁ ଲିଖିତ ଭାବେ ଜଣାଇଥିଲେ । ଏହି ଆଧାରରେ ପ୍ରଶାସନ ନୂତନ କୋଠା ଉପରେ ୧୪୪ ଧାରା ଜାରି କରିବା ସହ ପ୍ରବେଶ ଉପରେ କଟକଣା ଜାରୀ କରିଥିଲା । ତେବେ ଗତ ୫ବର୍ଷ ମଧ୍ୟରେ ପାରଳାଖେମୁଣ୍ଡି ପୌର ପରିଷଦରେ ହୋଇଥିବା ଉନ୍ନୟନ ମୂଳକ କାମରେ ଅସହିଷ୍ଣୁ ହୋଇ ପୂର୍ବରୁ କୌଣସି ଉନ୍ନତି କରିପାରିନଥିବା ବିଜେଡି ପ୍ରଶାସନକୁ ହାତ ବାରିଶି କରି ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛି । ପୂର୍ବରୁ ବିଜେପି ବିଜେଡି ମିଳିତ ଭାବରେ ୫ବର୍ଷ ପୌର ପରିଷଦ ଅକ୍ତିଆର କରିଥିବା ବେଳେ ଏକାକୀ ବିଜେଡି ୫ବର୍ଷ ପୌର ପରିଷଦ ଦଖଲ କରିଥିଲା । ଏହି ସମୟରେ ଯଥେଷ୍ଟ ପାଣ୍ଠି ଆସିଥିଲେ ମଧ୍ୟ କୌଣସି ଆଖିଦୃଶିଆ କାମ ହୋଇନଥିଲା । ତେବେ ଗତ ୫ବର୍ଷ ମଧ୍ୟରେ କଂଗ୍ରେସ ବହୁ ଉନ୍ନୟନ ମୂଳକ କାମ କରିବା ସହ ଲୋକଙ୍କ ସମସ୍ୟା ଦୂର କରିବାରେ ସକ୍ଷମ ହୋଇଛି ବୋଲି ଆଜି ଏକ ସାମ୍ବାଦୀକ ସମ୍ମିଳନୀରେ ନଗର କଂଗ୍ରେସ ସଭାପତି ଏବଂ ବିଧାୟକ ପ୍ରତିନିଧି ଦାବୀ କରିବା ସହ ଏଥିରେ ବିଜେଡି ଅସହିଷ୍ଣୁ ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି । ତେବେ ଲୋକେ ଏହାର ବିଚାର କରିବେ ବୋଲି ଦଳ କହିଛି।
କଂଗ୍ରେସର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଉନ୍ନୟନ କାର୍ଯ୍ୟରେ ବିଜେଡି କେବେବି ପ୍ରତିବନ୍ଧକ ନୁହେଁ ବରଂ କଂଗ୍ରେସ ହିଁ ଉନ୍ନତି ଯୋଜନାକୁ କାର୍ଯ୍ୟକାରୀ ନକରାଇଦେବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛି । ତେଣୁ ଉନ୍ନୟନ ମୂଳକ କାମରେ କିଏ ବାଧକ ସାଜୁଛି ତାହାର ଉତ୍ତର ଆସନ୍ତା ଦିନରେ ଲୋକେ ନିଶ୍ଚୟ ଦେବେ ବୋଲି ବିଜେଡିର ଜିଲ୍ଲା ଯୁବ ସଭାପତି କହିଛନ୍ତି ।
ଆସନ୍ତା ୩୦ ତାରିଖରେ ସରୁଛି ଚଳିତ କାଉନସିଲର କାର୍ଯ୍ୟକାଳ । ଏହି ଶେଷ ସମୟରେ ଏକ କୋଠାର ଉଦଘାଟନକୁ ନେଇ ଉଭୟ ଦଳର କାଉନସିଲରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ବର୍ତ୍ତମାନ ଜନ ସାଧାରଣଙ୍କ ବିଚାର ପାଇଁ ଉଭୟ ଦଳ ଛାଡିଛନ୍ତି । ତେବେ ଲୋକେ କଣ ବିଚାର କରିବେ ତାହା ଆସନ୍ତା ନିର୍ବାଚନର ଫଳାଫଳ ହିଁ ସ୍ପଷ୍ଟ କରିବ ।