ପିପିଲି ସହଜପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ଦୁଇ ଗୋଷ୍ଠୀ ମୁହାଁମୁଁହି

Published By : Prameya-News7 Bureau | May 24, 2024 IST

ପିପିଲି ୨୪/୦୫: ପିପିଲିର ସହଜପୁର ପଞ୍ଚାୟତରେ ଗୁରୁବାର ରାତିରେ ଘଟିଛି ରାଜନୈତିକ ହିଂସା  l ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଗଦାଧରଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣଙ୍କର ହାତ ଭାଙ୍ଗିଛି l 

ଗୁରୁତର ଅବସ୍ଥାରେ  ଚିକିତ୍ସା ପାଇଁ ପ୍ରଥମେ ମଙ୍ଗଳପୁର ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି l ଏହାକୁ ନେଇ ପିପିଲି ରେ ତୀବ୍ର ଉତେଜନା ଲାଗି ରହିଛି l ଅଭିଯୁକ୍ତକୁ ଗିରଫ ଦାବି କରି ବିଜେପିର ବିଧାୟକ ପ୍ରାର୍ଥୀ ତଥା ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ମାନେ ପିପିଲି ଥାନାକୁ ଘେରାଉ କରି ପ୍ରତିବାଦ କରିଛନ୍ତି । 

ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୧୧ଘଟିକା ସମୟ ରେ  ସୁହାଗପୁର ଗ୍ରାମର  ଆଦିତ୍ୟ ପ୍ରସାଦ ପାଣି ଙ୍କ ଘର ଉପରକୁ କିଛି ଲୋକ ଟେକା ପଥର ପକାଇ ଭୟଭୀତ କରୁଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିବା ରେ ବିଳମ୍ବ ହେବାରୁ ୫/୬ଜଣ ସମର୍ଥକ ମାନଙ୍କୁ ସାଙ୍ଗରେ ନେଇ ପଡୋଶୀ ମଙ୍ଗଳପୁରର ବିଜେପି ସମର୍ଥିତ ସମିତି ସଭ୍ୟ ଗଦାଧର ପରିଡ଼ାଙ୍କ ସମେତ ଅନ୍ୟ କେତେକ କର୍ମୀ ବାଇକ ଯୋଗେ ସହଜପୁରକୁ ଯାଉଥିବା ସମୟରେ ସେଠାରେ ବିଜେଡି ସମର୍ଥିତ ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନ ସରପଞ୍ଚଙ୍କ ପ୍ରତିନିଧି  ଓ ତାଙ୍କର ସମର୍ଥକ ମାନେ ଏମାନଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥବାର ଅଭିଯୋଗ ହୋଇଛି। 

ଏଥିରେ ଗଦାଧରଙ୍କ  ଡାହାଣ ଗୋଡ ଭାଙ୍ଗିଥିବା ବେଳେ ସଞ୍ଜୟ ପଣ୍ଡାଙ୍କ ହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି l ଅନ୍ୟ ଜଣେ ମଧ୍ଯ ଆହତ ହୋଇଥିବା ସୂଚନା ମିଳିଛି l ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ଲାଗି ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ବେଳେ ଗ୍ରାମରେ ପୋଲିସ ମୁତୟନ ରହିଛି l ଅଭିଯୁକ୍ତ କୁ ଗିରଫ ଦାବୀ କରି ପିପିଲି ଥାନା ସମ୍ମୁଖରେ ପ୍ରାୟ ଦୁଇ ଘଣ୍ଟା ଧାରଣା ଦେଇଥିଲେ ବିଜେପି କର୍ମୀ । 

ରାତି ସାଢେ ଦୁଇଟାରେ ଏନେଇ ପୋଲିସରେ ଅଭିଯୋଗ କରାଯାଇଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ବୁଝା ସୁଝା କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାର ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଥିଲା ବିଜେପି  । ସେପଟେ ଅଭିଯୋଗ କୁ ଭିତ୍ତି କରି ପିପିଲି ପୋଲିସ ଏକ ମାମଲା ରୁଜୁ କରିଛି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପିପିଲି ଏସ୍ଡିପିଓ ବିରଞ୍ଚି ପତି କହିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.