ବିଜେପି ଛାଡିବେ ରୂପା ଗାଙ୍ଗୁଲୀ ? ଟିଏମସି ନେତାଙ୍କ ସହ ସାକ୍ଷାତ ପରେ ଚାଲିଛି ଅଙ୍କ କଷା
6/07/2022 at 6:17 PM

କୋଲକାତା ୬।୭: ବିଜେପି ନେତ୍ରୀ ରୂପା ଗାଙ୍ଗୁଲୀ ଏକ ସାମାଜିକ କାର୍ଯ୍ୟକ୍ରମ ଅବସରରେ ତୃଣମୂଳ କଂଗ୍ରେସ(ଟିଏମସି) ମୁଖପାତ୍ର କୁଣାଳ ଘୋଷଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା ପରେ ଏବେ ବେଙ୍ଗଲରେ ରୂପା ଗାଙ୍ଗୁଲୀ ବେଜେପି ଛାଡି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସାକ୍ଷାତ ଆଲୋଚନାକୁ ଉଭୟ ରୂପା ଗାଙ୍ଗୁଲୀ ଓ କୁଣାଳ ଘୋଷ ଔପଚାରିକ ସାକ୍ଷାତ ବୋଲି କହୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ନିକଟରେ ଅନୁଷ୍ଠିତ ଏକ ସାମାଜିକ କାର୍ଯ୍ୟକ୍ରମରେ ଉଭୟ ନେତା କଥା ହେଉଥିବାର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ତେବେ କୁଣାଳ ଘୋଷ ଯଦିଓ ଆମେ ଅଲଗା ଅଲଗା ରାଜନୈତିକ ଦଳର ତେବେ ଆମେ ପରସ୍ପର ଭାଇ ଭଉଣୀ ବୋଲି କହିଛନ୍ତି। ଏଣୁ ଆମର ଏପରି ସାକ୍ଷାତ ଆଲୋଚନାକୁ ରାଜନୈତିକ ରୂପ ଦେବାର କୌଣସି ଆବଶ୍ୟକତା ନାହିଁ ।

ସେହିପରି ରୂପା ଗାଙ୍ଗୁଲୀ ମଧ୍ୟ ଏକ ନ୍ୟୁଜ ଚାନେଲସହ ଆଲୋଚନାରେ କୌଣସି ପୃଥକ ରାଜନୈତିକ ଦଳର ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବାର ମାନେ ନୁହେଁ ଯେ ତାଙ୍କ ଦଳରେ ସାମିଲ ହେବା ବୋଲି କହିଛନ୍ତି। ତେବେଏହି ଘଟଣାକୁ ପଶ୍ଚିମବଙ୍ଗ ବିଜେପି ଗୁରୁତ୍ୱ ଦେଇ ନାହିଁ। ପଶ୍ଚିମବଙ୍ଗ ବିଜେପି ରୂପା ଗାଙ୍ଗୁଲୀଙ୍କୁ ହଟାଇ ତାଙ୍କ ସ୍ଥାନରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି। ଏଣୁ ହୁଏତ ରୂପା ଗାଙ୍ଗୁଲୀ ଦଳ ବଦଳର ବିଚାର କରୁଥାଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।
ରୂପା ଗାଙ୍ଗୁଲୀ ୨୦୧୫ ମସିହାରେ ବିଜେପିସହ ସମ୍ପୃକ୍ତ ହୋଇଥିଲେ। ତାଙ୍କୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ୟୁନିଟ୍ ସଭାପତି ନିଯୁକ୍ତ କରାଯାଇଥିଲା। ସେ ଗତ ୨୦୧୯ ଲୋକସଭା ଓ ୨୦୨୧ ବିଧାନସଭା ନିର୍ବାଚନରେ ବେଶ ତତ୍ପର ଥିବା ଦେଖା ଯାଇଥିଲା। ବିଜେପି ରାଜ୍ୟ ୟୁନିଟ୍ ଏବେ ନେତାଙ୍କୁ ଦଳରେ ରଖିବା ଲାଗି ବେଶ ପ୍ରଚେଷ୍ଟା କରୁଛି। କାରଣ ବେଙ୍ଗଲ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ, ସାଂସଦ ଅର୍ଜୁନ ସିଂହ ଓ ମୁକୁଲ ରାୟଙ୍କ ସମେତ ୫ ଜଣ ସାଂସଦ ଟିଏମସିରେ ସାମିଲ ହୋଇଥିଲେ। ଯାହା ରାଜ୍ୟରେ ବିଜେପି ଲାଗି ଚିନ୍ତାର କାରଣ ପାଲଟିଥିଲା।