ନୂଆଦିଲ୍ଲୀ ୧୯।୦୮: ପଶ୍ଚିମ ଆଫ୍ରିକୀୟ ଦେଶ ମାଲୀରେ ଏବେ ରାଜନୈତିକି ଅସ୍ଥିରତା ଦେଖାଦେଇଛି । ବିଦ୍ରୋହୀ ସୈନିକମାନେ ଦେଶର ରାଷ୍ଟ୍ରପତି ଇବ୍ରାହିମ ବାଉବକର କୀତା ଓ ପ୍ରଧାନମନ୍ତ୍ରୀ ବାଉବୋ ସିର୍ସେଙ୍କୁ ବନ୍ଦୀ କରିନେଇଛନ୍ତି । ଯାହାକି ରାଜନୈତିକି ଅସ୍ଥିରତାର ଆରମ୍ଭ ବୋଲି ମନେ କରାଯାଉଛି । ତେବେ ରାଷ୍ଟ୍ରପତି ବାଉବକର କୀତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ଗତ କିଛି ମାସ ହେଲା ଆନ୍ଦୋଳନ ଜାରି ରହିଥିଲା । ଏବେ ବିଦ୍ରୋହୀସୈନିକ ମାନେ ଆକ୍ରାତ୍ମକ ରୂପ ଧାରଣ କରିସାରିଲେଣି । ଶେଷରେ ରାଷ୍ଟ୍ରପତି ନିଜ ପଦରୁ ଇସ୍ତଫା ଦେବା ସହ ସଂସଦ ଭଙ୍ଗ କରିବା ପାଇଁ ଘୋଷଣା କରିଛନ୍ତି ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ବନ୍ଧୁକର ମୁନରେ ରାଷ୍ଟ୍ରପତିଙ୍କୁ ବନ୍ଦୀ କରାଯାଇଛି । ଯାହାପରେ ରାଷ୍ଟ୍ରପତି ନିଜେ ନିଜ ପଦରୁ ଇସ୍ତଫା ଦେବା ସହ ସଂସଦ ଭଙ୍ଗ କରିବାକୁ ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୧୨ରେ ମଧ୍ୟ ଏଭଳି ପରିସ୍ଥିତି ଦେଖାଦେଇଥିଲା । ସେଦିନର ଅସ୍ଥିରତି ଏବଂ ଆଜିକା ଦିନରେ ଅସ୍ଥିରତା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି ବୋଲି ଅନୁମାନ କରାଯାଉଛି ।
ବିଦ୍ରୋହୀସୈନିକମାନେ ମଙ୍ଗଳବାର ଦିନ ରାଷ୍ଟ୍ରପତିଙ୍କ ନିବାସକୁ ଘେରିଯାଇଥିଲେ । ପୁରା ରାଷ୍ଟ୍ରପତି ନିବାସକୁ ଘେରିଯାଇ, ଆକାଶରେ ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ତେବେ ଗୁଳିଚାଳନା କରି ସେମାନେ ପ୍ରଧାନମନ୍ତ୍ରୀଙ୍କ ବନ୍ଦୀ କରିନେଇଥିଲେ । ବିଦ୍ରୋହୀସୈନିକମାନେ ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା । ଯାହାଦ୍ୱାରା ଏହା ସ୍ପଷ୍ଟ ହୋଇଯାଇଥିଲା କି ଦେଶରେ କିଛି ବଡଧରଣର ଅଘଟଣ ଘଟିବାକୁ ଯାଉଛି । ଦେଶର ରାଜଧାନୀକୁ ବିଦ୍ରୋହୀମାନେ ନିଜ ଅକ୍ତିଆରକୁ ନେଇଯାଇଥିଲା । ଯାହାପରେ ମାଲୀର ସରକାର ଟିଭି ଚ୍ୟାନେଲ୍ (ortm mali) ମଧ୍ୟ ବନ୍ଦ କରାଯାଇଥିଲା । ଦେଶର ଅନେକ ରାଜନୈତିକମାନଙ୍କୁ ବନ୍ଦୀ ମଧ୍ୟ କରାଯାଇଛି । ରାଜଧାନୀଠାରୁ ଦୂରରେ ସମସ୍ତଙ୍କୁ ଏକ କ୍ୟାମ୍ପରେ ବନ୍ଦୀ କରି ରଖାଯାଇଛି ।
ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମଙ୍ଗଳବାର ସଂଧ୍ୟା ସମୟରେ ବନ୍ଦୀ କରାଯାଇଛି । ମାଲିରେ ରାଜନୈତିକ ସଙ୍କଟ ହଠାତ ଦେଖାଦେଇଛି, ଯେତେବେଳେ ମିଳିତ ଜାତିସଂଘ ଏବଂ ଫ୍ରାନ୍ସ 7 ବର୍ଷ ଧରି ଦେଶରେ ସ୍ଥିରତାର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିଛି। ତେବେ ମାଲିର ରାଷ୍ଟ୍ରପତି ଲୋକତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କୁ ଫ୍ରାନ୍ସ ଓ ଅନ୍ୟ ପଶ୍ଚିମଦେଶମାନଙ୍କ ବ୍ୟାପକ ସମର୍ଥନ ପ୍ରାପ୍ତ ରହିଛି । ଏହା ମଧ୍ୟରେ ଆମେରିକା ମଧ୍ୟ କହିଛି ଯେ, ମାଲିରେ ବିଗିଡୁଥିବା ସ୍ଥିତି ଉପରେ ଖୁବ୍ ଚିନ୍ତିତ ଅଛୁ ।
ମେ ମାସରେ ରାଷ୍ଟ୍ରପତିଙ୍କୁ ସାଧାରଣଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ସେବେଠାରୁ ଦେଶରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା । ସେହି ସମୟରେ ଦେଶର ସର୍ବୋଚ୍ଚ ଅଦାଲତ ବିବାଦୀୟ ସଂସଦୀୟ ନିର୍ବାଚନର ଫଳାଫଳକୁ ଓଲଟା କରିଦେଇଥିଲା ।ଯାହାଫଳରେ କି ଦିନକୁ ଦିନ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ବଢିବାରେ ଲାଗିଥିଲା । ସେହିପରି ୨୦୧୨ରେ ଦେଶରେ ଅସ୍ତିରତା ଦେଖାଦେଇଥିଲା । ତେବେ ମାଲିର ସ୍ଥିତି ଉପରେ ଆମେରିକି, ରୁଷ, ଫ୍ରାନ୍ସ ସମେତ ଅନେକ ଦେଶ ନଜର ରଖିଛନ୍ତି ।