ନେତାଙ୍କ ପାଇଁ ଟେନସନ୍ ବଢାଇଛି ମୋବାଇଲ : ଘାରିଛି କଲ୍ ରେକର୍ଡିଂ ଭୟ, ଚାଟିଂ କରିବାକୁ ମଧ୍ୟ ଡରୁଛନ୍ତି

Published By : Prameya-News7 Bureau | December 06, 2020 IST

ଭୁବନେଶ୍ୱର, ୦୬।୧୨: ନେତାଙ୍କୁ ଫୋନ୍ କଲ୍ ଡର। କେବଳ ଜଣେ ନୁହେଁ ଅଧିକାଂଶ ମନ୍ତ୍ରୀ, ବିଧାୟକ, ନେତାଙ୍କୁ ଏବେ ଘାରିଲାଣି ଫୋନ୍ କଲ୍ ଡର। ଅଫିସର ବି ଡରୁଛନ୍ତି ମୋବାଇଲରେ କଥା ହେବାକୁ। ଲକ୍ଷ ଲକ୍ଷ ଟଙ୍କାର ହାଇଫାଇ ଦାମୀ ବ୍ରାଣ୍ଡ ମୋବାଇଲ ଉପରେ ବି ଆଉ ଭରସା ପାଉନି। ସଭିଙ୍କୁ ଡର ଫୋନ୍ କଥା ରେକର୍ଡିଂ ହେଉନି ତ ? ଯଦି ଭାଇରାଲ ହୋଇଗଲା ତେବେ ?? ଡର ଏମିତି ଘାରିଲାଣି ଯେ ଫୋନ୍ ରେ ଯେବେ ବି କଥା ହେଉଛନ୍ତି କୋଡ୍ ୱାର୍ଡରେ। ନାଁ ନଧରି କାହାକୁ ଏଏସ୍ ତ କାହାକୁ ପିପି... କାହାକୁ ଭାଇରସ୍ ... ପୁଣି କାହାର ନାଁ ବଦଳରେ ମ୍ୟାଡାମ୍ କହୁଛନ୍ତି।

ନିକଟରେ ଫୋନ୍ କଲ୍ ଅଡ଼ିଓ ଭାଇରାଲକୁ ନେଇ କେତେକ ନେତା ବିବାଦରେ ଛନ୍ଦି ହୋଇଛନ୍ତି। ଏଇ କିଛି ଦିନ ତଳେ ଗୋଟିଏ ଅଡିଓ ଭାଇରାଲ ହୋଇଛି। ସେଥିରେ କୁଆଡ଼େ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ନିଜ ନିର୍ବାଚନମଣ୍ଡଳୀର ଜଣେ ଲୋକଙ୍କ ସହ କଥା ହେଉଥିବା ବେଳେ ଆଉ ଜଣଙ୍କ ନାଁରେ ପ୍ରବଳ ଗାଳିଗୁଲଜ କରିବା ଚର୍ଚ୍ଚା ହୋଇଥିଲା। ଏହା ସତ କି ମିଛ ଜଣାନାହିଁ, କିନ୍ତୁ ବିବାଦରେ ଛନ୍ଦି ହେଲେ ବିଧାୟକ ପ୍ରମୋଦ ମଲ୍ଲିକ ।

ଠିକ୍‌ ସେମିତି ଫୋନ୍‌ରେ କଥାବେଳେ ଅଶ୍ଳିଳ ଭାଷା ପ୍ରୟୋଗ ନେଇ ନିକଟରେ ଆଉ ଏକ ଅଡିଓ ଭାଇରାଲ୍‌ ହୋଇଛି । ଏହା କୁଆଡ଼େ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଫୋନ୍‌ କଲ୍‌ର ଅଡିଓ ଭାଇରାଲ୍‌ ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି । କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ କିମ୍ବା ଏହା କେତେ ସତ କେତେ ମିଛ, ତାହା ଜଣାନାହିଁ । ଏ ନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଛି ।

ନୟାଗଡ଼ର କୁନି ଝିଅ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ଉଠୁଥିବା ପଡ଼ୁଥିବାବେଳେ ଏକ ଫୋନ୍‌ କଲ୍‌ ଭାଇରାଲ୍‌ ନେଇ ବିବାଦରେ ଛନ୍ଦି ହୋଇଥିଲେ ମନ୍ତ୍ରୀ ଅରୁଣ ସାହୁ। ଏହି ଭାଇରାଲ୍‌ ଅଡିଓର ସତ୍ୟତା ବାବଦରେ ବି କିଛି ଜଣାନାହିଁ, କିନ୍ତୁ ଏହାକୁ ନେଇ ବିରୋଧୀ ମନ୍ତ୍ରୀଙ୍କୁ ଘେରିଛନ୍ତି। ବହୁ ନେତା ନିଜ ଘନିଷ୍ଠ ଡ୍ରାଇଭର, ଖାସ୍‌ ଅନୁଗତ କିମ୍ବା ପିଏସ୍‌ଓଙ୍କ ଫୋନ୍‌ରେ କଥାବାର୍ତ୍ତା ହେଉଛନ୍ତି । ତଥାପି ଭୟ ଛାଡ଼ୁନି । ଯଦି ଅନୁଗତ ଭିତରେ ଭିତରେ ତାଙ୍କ କ୍ୟାମ୍ପ ଛାଡ଼ି ବିରୋଧୀ କ୍ୟାମ୍ପ ଯୋଗାଯୋଗରେ ଥିବେ, ତେବେ ଫସିବା ଏକ ପ୍ରକାର ଥୟ । ସାଧାରଣରେ ସବୁ ପେଡ଼ି ଖୋଲିଯିବ । ଚିନ୍ତାର ବିଷୟ ହେଲା, ଏଭଳି ଧୋକାବାଜ୍‌ ଅନୁଗତଙ୍କୁ ଆଗୁଆ ଚିହ୍ନିବା ମୁସ୍କିଲ ହୋଇପଡିଛି ନେତାଙ୍କ ପାଇଁ । ମୋବାଇଲ୍‌ ସ୍କ୍ରିନ୍‌ ସଟ୍‌ ଭୟରେ ଅନେକ ନେତା ଏବେ ଚାଟିଂକୁ ବି ଡରିଲେଣି । ନା ହ୍ୟାଟ୍‌ଆପ୍‌ ନା ଫେସବୁକ୍‌ ମେସେଞ୍ଜର, ଯେତେ ଚାଟିଂ କଲେ ବି ଜବାବ ଦେଉନାହାନ୍ତି । ଦେଖିଲେ ମଧ୍ୟ ଆଖି ଆଡ଼େଇ ଦେଉଛନ୍ତି ।
ସବୁ ଦଳରେ କିଛି ନା କିଛି କେଁ କଟର ରହିଛି । କିଏ କାହା ପାଇଁ ଖାସ୍‌ ତ ଆଉ କାହା ପାଇଁ କଣ୍ଟା । ସାଧାରଣତଃ ଖାସ୍‌ ଅନୁଗତ ଓ ଘନିଷ୍ଠ ନେତାଙ୍କ ସହ ଦଳର ଭିତିରି କଥା ବାବଦରେ ନେତାମାନେ ଆଲୋଚନା କରିଥାନ୍ତି । ଏବେ କିନ୍ତୁ, ଫୋନ୍‌ରେ ଦଳର ଭିତିରି କଥା ବାବଦରେ ପଚାରିଲେ କେହି ମୁହଁ ଖୋଲୁନାହାନ୍ତି ।

କେବଳ ନେତା ନୁହେଁ ସରକାରୀ ଅଫିସର ମଧ୍ୟ ଆଗଭଳି ଫୋନ୍‌ରେ ବିଶେଷ କଥା ହେଉନାହାନ୍ତି । ବ୍ୟକ୍ତିଗତ କଥା ପାଇଁ ଅନେକ ନୂଆ ନମ୍ବର ବ୍ୟବହାର କଲେଣି । ଫୋନ୍‌ କଲେ ପ୍ରାୟତଃ ଅଫିସର (ବରିଷ୍ଠ/କନିଷ୍ଠ) ଧରୁନାହାନ୍ତି । ଧରିଲେ ଠିକ୍‌ ଭାବେ କଥା ହେଉନାହାନ୍ତି । ବ୍ୟସ୍ତତାର ଆଳ ଦେଖାଇ ଫୋନ୍‌ କାଟି ଦେଉଛନ୍ତି ।

 ଏମିତି କାହିଁକି ହେଉଛନ୍ତି, ପଚାରିଲେ ଫୋନ୍‌ରେ ସ୍ପଷ୍ଟ ଉତ୍ତର ମିଳୁନି । କିନ୍ତୁ ସାମ୍ନାସାମ୍ନି ପଚାରିଲେ କେତେକ ନେତା ଓ ଅଫିସର ପାଖକୁ ଆସି ଅସଲ କଥା କହୁଛନ୍ତି । କାନ କଡ଼ରେ ମୁହଁ ଜାକି କହୁଛନ୍ତି, ଏ ମୋବାଇଲ୍‌ଠାରୁ ଯେତେ ଦୂରେଇ ରହିବ ଭଲ । ବର୍ଷ ବର୍ଷର ତପସ୍ୟା ଶୁକୁଆ ପୋଡ଼ାରେ ବରବାଦ୍‌ ହେବା ଭଳି ଗୋଟିଏ ଫୋନ୍‌ କଲ୍‌ ଭାଇରାଲ୍‌ ହେଲେ ପୂରା କ୍ୟାରିୟର ମାଟି ହୋଇଯିବ । କାହାକୁ ଭରସା କରିବୁ, କାହାକୁ ନ କରିବୁ… ଜାଣିପାରୁନୁ । ତେଣୁ ଫୋନ୍‌ କଲ୍‌କୁ ପୂରା ହୁସିଆର ବୋଲି ନେତାମାନେ କହିବା ଆରମ୍ଭ କଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.