ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ; ଜେଏନୟୁ ପରେ ଦିଲ୍ଲୀ ଓ ଆମ୍ବେଦକର ବିଶ୍ବ ବିଦ୍ୟାଳୟରେ ହଙ୍ଗାମା, ଛାତ୍ର ସଂଗଠନ ଓ ସୁରକ୍ଷାକର୍ମୀ ଧସ୍ତାଧସ୍ତି
27/01/2023 at 11:13 PM

ନୂଆଦିଲ୍ଲୀ: ଗୁଜୁରାଟ ଦଙ୍ଗାକୁ ନେଇ ବିବିସି ପକ୍ଷରୁ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀକୁ ନେଇ ବଢୁଛି ବିବାଦ । ଜେଏନୟୁ ପରେ ଏବେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଓ ଆମ୍ବେକର ବିଶ୍ବ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । କିଛି ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟାରୀକୁ ସ୍କ୍ରିନିଂ ପାଇଁ ଜିଦ୍ ଧରିବା ପରେ ହଙ୍ଗାମା ହୋଇଥିଲା । ଭିଡ଼ ନିୟନ୍ତ୍ରଣ ସମୟରେ ସୁରକ୍ଷାକର୍ମୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ପକ୍ଷରୁ ବିଶ୍ବ ବିଦ୍ୟାଳୟ ବାହାରେ ୧୪୪ ଧାରା ଲାଗୁ କରାଯାଇଛି ।
ଦିଲ୍ଲୀ ୟୁନିଭରସିଟିର ଜଣେ ଅଧିକାରୀଙ୍କ କହିବା ମୁତାବକ, ବିବାଦୀୟ ଡକ୍ୟୁମେଣ୍ଟାରୀକୁ ସ୍କ୍ରିନିଂକରିବା ପାଇଁ ଭିମ୍ ଆର୍ମି ଷ୍ଟୁଡେଣ୍ଟ ଫେଡେରସନ୍ ଘୋଷଣା କରିଥିଲା । ଯାହାକୁ ସୁରକ୍ଷାକର୍ମୀ ବିରୋଧ କରିଥିଲେ । ଏହା ପରେ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିଲେ । କିଛି ଛାତ୍ର ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସହିତ ୧୪ଜଣ ସୁରକ୍ଷାକର୍ମୀଙ୍କୁ ମାରପିଟ୍ କରିଥିଲେ । ଏହି ଧସ୍ତାଧସ୍ତିରେ ଅନେକ ଛାତ୍ର ଓ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।
ସେହିପରି ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ଆମ୍ବେଦକର ବିଶ୍ବ ବିଦ୍ୟାଳୟରେ ମଧ୍ୟ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି । ବିବାଦୀୟ ସଟ୍ ଫିଲ୍ମକୁ ଦିନ ସାଢେ ଗୋଟାଏ ବେଳେ ସ୍କ୍ରିନିଂ ପାଇଁ ଷ୍ଟୁଡେଣ୍ଟ ଫେଡେରସନ୍ ଅଫ୍ ଇଣ୍ଡିଆ ଘୋଷଣା କରିଥିଲା । ଏହାକୁ ନେଇ ଏଭିବିପି ଓ ଆଇସା ସମର୍ଥକ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସୁରକ୍ଷାକର୍ମୀ ଏହାକୁ ନିୟନ୍ତ୍ରଣ କରିବାବେଳେ ମାରପିଟ୍ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଶ୍ବ ବିଦ୍ୟାଳୟ ପରିସରରେ ପୋଲିସ ମୁତୟନ ହୋଇଛନ୍ତି । ସେପଟେ ୟୁନିଭରସିଟି କର୍ତ୍ତୃପକ୍ଷ ବିବିସି ଡକ୍ୟୁମେଣ୍ଟାରୀକୁ ସ୍କ୍ରିନିଂ ପାଇଁ ଅନୁମତି ଦେଇନଥିବା କହିଛନ୍ତି।
ବିବାଦୀୟ ବିବିସି ସଟ୍ ଫିଲ୍ମକୁ ନେଇ ଗୋଟିଏ ପରେ ଗୋଟିଏ ବିଶ୍ବ ବିଦ୍ୟାଳୟରେ ଛାତ୍ର ଆଶାନ୍ତି ଦେଖାଦେଇଛି । ପ୍ରଥମେ ଜେଏନୟୁ ପରେ ଏବେ ଡିୟୁ ଓ ଆମ୍ବେଦକର ବିଶ୍ବ ବିଦ୍ୟାଳୟରେ ଅଶାନ୍ତି ଦେଖିବାକୁ ମିଳିଛି ।