୨ମାସ ପରେ ନିଖୋଜ ସିଆରପିଏଫ ଯବାନଙ୍କ କଙ୍କାଳ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା, ପୋଲିସ୍ କରୁଛି ଛାନଭିନ
24/02/2020 at 1:55 PM

ରାୟଗଡ଼ା ୨୪/୨: ରାୟଗଡ଼ା ସିଆର୍ପିଏଫ୍ ଚତୁର୍ଥ ବାଟାଲିୟନର ଯବାନ ଧରମ ଦେବଙ୍କ କଙ୍କାଳ ଉଦ୍ଧାର ହୋଇଛି। ସହରର ନୂଆସାହି ପଛପଟେ ତଥା ୩୨୬ ନମ୍ବର ଜାତୀୟ ରାଜପଥରୁ ସ୍ୱଳ୍ପ ଦୂରରେ କଙ୍କାଳ ମିଳିଛି । ଜାତୀୟ ରାଜପଥ ନିକଟରେ ନରକଙ୍କାଳ ପଡ଼ିଥିବା ସୂଚନା ମିଳିବା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚିଥିଲେ । ଏସ୍ପି ଡ. ଶର୍ବଣା ବିବେକ ଏମ୍ ଗଣମାଧ୍ୟମକୁ କହିଛନ୍ତି ଯେ, କଙ୍କାଳଟି ଡିସେମ୍ବର ୨୯ରୁ ନିଖୋଜ ଥିବା ଯବାନ ଧରମ ଦେବଙ୍କର। ଅନ୍ୟପକ୍ଷରେ ଜଣେ ଯବାନଙ୍କ କଙ୍କାଳ ମିଳିବା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ସାହି ନିକଟରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଉଦ୍ଧାର ପରେ କଙ୍କାଳକୁ ଚିହ୍ନଟ ପାଇଁ ବ୍ରହ୍ମପୁର ଫରେନ୍ସିକ ପରୀକ୍ଷାଗାରକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ସିଆର୍ପିଏଫ୍ ଚତୁର୍ଥ ବାଟାଲିୟନର ହେଡ୍ କନେଷ୍ଟବଳ ଧରମ ଦେବ ଶେଷଖାଲ ଥାନାଠାରେ ଡ୍ୟୁଟିରେ ନିୟୋଜିତ ଥିଲେ । ଗତ ଡିସେମ୍ବରରେ ତାଙ୍କୁ ଦିଲ୍ଲୀକୁ ବଦଳି ହୋଇଥିଲା । ବଦଳି ପରେ ନୂତନ ସ୍ଥାନରେ ଯୋଗଦାନ ପାଇଁ ନିର୍ଦ୍ଦେଶାନାମା ଜାରି ହୋଇଥିଲା । ଧରମ ଦେବ ଡିସେମ୍ବର ୨୯ରେ ଶେଷଖାଲ ଥାନାରୁ ରାୟଗଡ଼ା ଚତୁର୍ଥ ବାଟାଲିୟନ ମୁଖ୍ୟାଳୟକୁ ବାହାରିଥିଲେ । ଶେଷଖାଲରୁ ସେ ଏକ ବସ୍ ଯୋଗେ ରାୟଗଡ଼ା ଯାଇଥିଲେ ମଧ୍ୟ ସିଆର୍ପିଏଫ୍ କ୍ୟାମ୍ପ୍ରେ ପହଞ୍ଚି ନ ଥିଲେ । ସେ ବସ୍ଷ୍ଟାଣ୍ଡରେ ଓହ୍ଲାଇବା ପରେ ରେଳ ଷ୍ଟେସନ ଯିବା ପାଇଁ ପାଖ ବାଟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚାରିଥିବା ତଦନ୍ତ ବେଳେ ଜଣାପଡ଼ିଛି ।
ଏହା ପରଠାରୁ ତାଙ୍କର ଆଉ କୌଣସି ଖୋଜ ଖବର ମିଳି ନଥିଲା । ପରେ ସିଆର୍ପିଏଫ୍ ମୁଖ୍ୟାଳୟ ତରଫରୁ ଉତ୍ତରପ୍ରଦେଶରେ ରହୁଥିବା ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଜାନୁଆରି ୨ରେ ରାୟଗଡ଼ାରେ ପହଞ୍ଚିିଥିଲେ । ସେମାନେ ମଧ୍ୟ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ନମିଳିବାରୁ ବିଭାଗୀୟ ଇନ୍ସପେକ୍ଟର ଭୋଳାରାମ ରାୟଗଡ଼ା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ସେବେଠୁ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିଲା । ଏଭଳିକି ପୁଲିସ ପକ୍ଷରୁ ମୋବାଇଲ ଟ୍ରାକିଂ କରା ଯାଇଥିଲେ ମଧ୍ୟ ସେଥିରୁ କିଛି ସ୍ପଷ୍ଟ ସୂଚନା ମିଳି ନଥିଲା । ଫଳରେ ସନ୍ଦେହ ବଢ଼ିଥିଲା । ଏଭଳି ସ୍ଥିତିରେ ଆଜି ତାଙ୍କ କଙ୍କାଳ ମିଳିବା ପରେ ପରିବାରବର୍ଗ ସହ ସିଆର୍ପିଏଫ୍ କ୍ୟାମ୍ପରେ ହଇଚଇ ସୃଷ୍ଟି ହୋଇଛି ।

ଖବରପାଇ ସିଆର୍ପିଏଫ୍ କମାଣ୍ଡାଣ୍ଟ୍ ଏସ୍କେ ଠାକୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ନିକଟରୁ ଧରମ ଦେବଙ୍କ ପରିଚୟପତ୍ର, ଆଧାରକାର୍ଡ, ସିଆର୍ପିଏଫ୍ ପୋଷାକ ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଛି । ପୁଲିସ ଏହାକୁ ଜବତ କରି ତଦନ୍ତ ଜାରି ରଖିଥିବା ଏସ୍ଡିପିଓ ତପନ ନାରାୟଣ ରଥ କହିଛନ୍ତି। ତେବେ ଧରମଙ୍କ ମୃତ୍ୟୁ କେମିତି ଘଟିଲା ଓ ଏକ ପରିତ୍ୟକ୍ତ ସ୍ଥାନରେ କିଭଳି ଏତେଦିନ ଧରି ପଡ଼ିରହିଲା, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଘଟଣାର ଅଧିକ ତଦନ୍ତ ପାଇଁ ଏସ୍ପି ବିବେକ ଶେଷଖାଲ ଥାନା ପରିସରରେ ଥିବା ସିଆର୍ପିଏଫ୍ କ୍ୟାମ୍ପ୍କୁ ଯାଇଥିଲେ । ତେବେ କେଉଁ ଦିଗକୁ ନେଇ ଏସ୍ପି ତଦନ୍ତ କରୁଛନ୍ତି ତାହା ଜଣା ପଡ଼ି ନାହିଁ । ମୃତକଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯିବା ପରେ ସେମାନେ ଉତ୍ତରପ୍ରଦେଶରୁ ରାୟଗଡ଼ା ଆସୁଥିବା ପୁଲିସ କହିଛି । ପରିବାର ଲୋକେ ପହଞ୍ଚିବା ପରେ ଆଗାମୀ ପଦକ୍ଷେପ ସମ୍ପର୍କରେ ଜଣାପଡ଼ିବ ବୋଲି ଆଶା କରାଯାଉଛି ।