ନିଶାଡିଙ୍କୁ ଖୁସ୍ କରି ବନ୍ଧା ହେଲେ ପୋଲିସ ବାବୁ, କୋଟିଏ ଟଙ୍କାର ଜବତ ମଦ ବିକିବା ବେଳେ ଧରାପଡିଗଲେ

Published By : Prameya-News7 Bureau | May 04, 2020 IST

ମଥୁରା, ୦୪|୦୫ :  ଲକଡାଉନ୍ ସମୟରେ ପୋଲିସ ସମ୍ମୁଖ ଯୋଦ୍ଧା ଭାବେ କରୋନା ଭାଇରସର ମୁକାବିଲା କରୁଛି । କିନ୍ତୁ ଉତ୍ତର ପ୍ରଦେଶର ମଥୁରାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ମଥୁରାରେ ଏକ ପୋଲିସ ଚେକ୍ ପୋଷ୍ଟର ଇନଚାର୍ଜ୍ ଓ ୩ କର୍ମଚାରୀ ୫୮୨୨ ପେଟି ମଦ ବଜାରରେ ବିକ୍ରି କରିଦେଇଛନ୍ତି । ଏହି ମଦକୁ ଚେକିଂ ସମୟରେ ଜବତ କରାଯାଇଥିଲା । ଏହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।  ଜିଲ୍ଲାର ଏସଏସପି ଷ୍ଟିଙ୍ଗ୍ ଅପରେସନ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ସତ ସାମ୍ନାକୁ ଆସିବା ପରେ ୨ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଜଣେ ମଦ ମାଫିଆ ସାମିଲ ଥିବା କୁହାଯାଉଛି । ଏହି ମାମଲା ପ୍ରାୟ ୧୫ ଦିନ ପୂର୍ବର ବୋଲି କୁହାଯାଉଛି ।

କିଛି ଦିନ ପୂର୍ବରୁ କୋସିକଲାରେ ଏକ ମଦ ଭର୍ତ୍ତି ଟ୍ରକ୍ ଜବତ ହୋଇଥିଲା । କିନ୍ତୁ ଟ୍ରକରେ ଥିବା ଅଧା ମଦ ରାତାରାତି ଉଭାନ ହୋଇଯାଇଥିଲା । ଏନେଇ ମଥୁରା ଏସଏସପି ସୂଚନା ପାଇ ଷ୍ଟିଙ୍ଗ୍ ଅପରେସନ କରିଥିଲେ । ଏକ ଟିମ୍ ମଧ୍ୟ ପ୍ରସ୍ତୁତ କରିଥିଲେ । ଉଭାନ ହୋଇଥିବା ମଦ କିଣିବା ପାଇଁ ଏହି ଟିମର ସଦସ୍ୟ ବିକ୍ରି କରାଯାଉଥିବା ସ୍ଥାନରେ ପହଁଚିଥିଲେ । ସେଠାରେ ଜଣେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ କାର୍ ମଧ୍ୟ ଦେଖିବାକୁ ମିଳିଥିଲା । ତାହା ମଧ୍ୟରୁ ମଦ ବାହାର କରାଯାଇ ଟିମର ସଦସ୍ୟଙ୍କୁ ଦିଆଯାଇଥିଲା । ସେହି ସମୟରେ ପୋଲିସ ପହଁଚି ଅଭିଯୁକ୍ତଙ୍କୁ ଧରିଥିଲା ।

ତଦନ୍ତ ବେଳେ ଜଣା ପଡିଛି ଯେ, ପୋଲିସ କର୍ମାମାନେ କେବଳ ଏହି ଗୋଟିଏ ଟ୍ରକ ନୁହେଁ ଏପରି ଅନେକ ଟ୍ରକରୁ ମଦ ଜବତ କରି ବିକ୍ରି କରିଛନ୍ତି ।  ଏହାକୁ ସେମାନେ ଏକ ମଦ ମାଫିଆଙ୍କ ମାଧ୍ୟମରେ ବିକ୍ରି କରିଥିଲେ । ତେବେ ଏସଏସପି ତଦନ୍ତ କରିବା ପୂର୍ବରୁ ସୁରାକ ପାଇ ଆହୁରି ୨ଜଣ ପୋଲିସ ଅଧିକାରୀ ଫେରାର ହୋଇଯାଇଥିବା ମଧ୍ୟ ଜଣାପଡିଛି ।  ମଦ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.