ପାରିବାରିକ ଅଶାନ୍ତିରୁ ସାହିଲ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କଲା ପୋଲିସ, କାଠଯୋଡି ପୋଲ ତଳୁ ମିଳିଥିଲା ମୃତଦେହ

Published By : Prameya-News7 Bureau | November 14, 2023 IST

କଟକ ୧୪।୧୧: କଟକରେ ଜୀବନ ହାରିଦେଲେ ସ୍କୁଲ ଛାତ୍ର । ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଦେହଟି କ୍ଷତବିକ୍ଷତ ଅବସ୍ଥାରେ କାଠଯୋଡି ନଦୀ ବାଲିରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଗତ ୧୦ ତାରିଖରୁ ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ର ଜଣକ । ପାଠପଢାକୁ ନେଇ ପାରିବାରିକ ଅଶାନ୍ତି କାରଣରୁ ସାହିଲ ଆତ୍ମହତ୍ୟା କରିଥିବା ପୋଲିସ କହୁଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ସାହିଲଙ୍କ ଅତ୍ୟନ୍ତ ସ୍ବାଭାବିକ ଆଚରଣକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ପୋଲିସର ସୂଚନା ଅନୁସାରେ ଗତ ୧୦ ତାରିଖରୁ କଲ୍ୟାଣୀ ନଗର ଅଞ୍ଚଳର ସାହିଲ ଜେନା ନିଖୋଜ ଥିବା ନେଇ ମଧୁପାଟଣା ଥାନାରେ ଏତଲା ହୋଇଥିଲା । ଅଭିଯୋଗ ଅନୁସାରେ କଲ୍ୟାଣୀନଗର ଅଞ୍ଚଳରେ ଥିବା ସତସଙ୍ଗ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ ସାହିଲ । ଗତ ୧୦ତାରିଖ ଦିନ ସାହିଲ ଅତ୍ୟନ୍ତ ସ୍ବାଭାବିକ ଭାବେ ନିଜ ସାଇକେଲ ନେଇ ସ୍କୁଲକୁ ଯାଇଥିଲେ । ସ୍କୁଲରେ ଘରୁ ନେଇଥିବା ଟିଫିନ୍ ଖାଇଥିଲେ, ସାଙ୍ଗମାନଙ୍କ ସହ ସ୍ବାଭାବିକ ଭାବେ ଖେଳିବା ସହ ବାଣ ମଧ୍ୟ ଫୁଟାଇଥିଲେ । ତେବେ ସ୍କୁଲ ଛୁଟି ପରେ ସାହିଲ ଦୈନିକ ଯେଉଁ ସାଙ୍ଗମାନଙ୍କ ସହ ଘରକୁ ଫେରନ୍ତି, ସେମାନଙ୍କ ସହିତ ନଆସି ତରବରିଆ ଭାବେ ସ୍କୁଲରୁ ଆଗୁଆ ବାହାରି ଆସିଥିଲେ । ତେବେ ସିସିଟିଭି ଫୁଟେଜରେ ସାହିଲ ଘର ଆଡ଼କୁ ନଯାଇ ପ୍ରେସଛକ ଦେଇ କାଠଯୋଡି ପୋଲ ଉପରକୁ ଯିବା ଜଣାପଡୁଛି । ଏହାପରେ ସାହିଲଙ୍କ ଗତିବିଧି କୌଣସି ସିସିଟିଭିରେ ଜଣାପଡୁ ନାହିଁ । ମଙ୍ଗଳବାର ପୋଲ ତଳୁ ସାହିଲଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ ।

ନିଖୋଜ ଏତଲା ପରେ ମଧୁପାଟଣା ଥାନା ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଆଧାରରେ ଗୋପାଳପୁର ଅଞ୍ଚଳରେ ସାହିଲଙ୍କ ସାଇକେଲ ମିଳିଥିଲା । ମୃତଦେହ ମିଳିଥିବା ସ୍ଥାନରୁ ଅଳ୍ପ ଦୂରରେ ସାହିଲଙ୍କ ଚପଲ ଓ ବ୍ୟାଗ ମଧ୍ୟ ମିଳିଥିଲା । ତେଣୁ ନଦୀରେ ଖୋଜାଖୋଜି ପାଇଁ ପୋଲିସ ପ୍ରସ୍ତୁତ ହେଉଥିବା ବେଳେ ମଙ୍ଗଳବାର ସକାଳୁ ସାହିଲଙ୍କ କ୍ଷତଵିକ୍ଷତ ମୃତଦେହ ନଦୀ କୂଳରେ ପଡ଼ିଥିବା ଖବର ପାଇଥିଲା ପୋଲିସ । ମୃତଦେହକୁ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/pan-and-gutkha-ban-on-srimandir-premises/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pan-and-gutkha-ban-on-srimandir-premises/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.