ଗଣ୍ଡଗୋଳ ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରିବାକୁ ଭୁଲିଯାଇଥିଲା ପୋଲିସ, ଦଶାହ ବାର୍ତ୍ତା ପାଇବା ପରେ ପଶିଲା ଚେତା, ୧୩ ଦିନ ପରେ ମାଟି ତଳୁ ଶବ କଲା ଉଦ୍ଧାର

Published By : Prameya-News7 Bureau | December 05, 2018 IST

ଭଦ୍ରକ ୫/୧୨ : ଭଦ୍ରକ ନାଏକାଣିଡିହି ଥାନା ବୀଣାଦଣ୍ଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା | ମୃତ୍ୟୁର ୧୩ ଦିନ ପରେ ମୃତ ବ୍ୟକ୍ତିଙ୍କ ଶବକୁ ଖୋଳି ବାହାର କରିଛି ପୋଲିସ | ଦଶାହ ବାର୍ତ୍ତା ପାଇବା ପରେ ପୋଲିସର ଚେତା ପଶିଚି ଓ ଶବ ଉଦ୍ଧାର କରିଛି | ଶବ ବ୍ୟବଚ୍ଛେଦ ପରେ ଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ | ସୂଚନାଯୋଗ୍ୟ ଯେ, ଭଦ୍ରକ ନାଏକାଣିଡିହି ଥାନା ବୀଣାଦଣ୍ଡା ଗାଁରେ ୨୦୧୭ ମସିହାରେ ୨ ମଦୁଆଙ୍କ ଗଣ୍ଡଗୋଳ ବନ୍ଦ କରିବାକୁ ଯାଇ ମାଡ ଖାଇଥିଲେ କାର୍ତ୍ତିକ ଚନ୍ଦ୍ର ନାୟକ | ତେବେ ମଦୁଆମାନେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ | ଏଥିରେ ଗୁରୁତର ଆହତ ହୋଇଥିଲେ କାର୍ତ୍ତିକ | ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା | ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା କାର୍ତ୍ତିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ୧୩ ଦିନ ତଳେ ମୃତ୍ୟୁ ହୋଇଥିଲା | ତେବେ ଗଣ୍ଡଗୋଳ ଘଟଣାରେ ପୋଲିସ ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ଏବେ ମୃତ୍ୟୁ ପରେ କୌଣସି ତତ୍ପରତା ଦେଖିନଥିଲା ବା ଶବ ବ୍ୟବଚ୍ଛେଦ କରିନଥିଲା |  ଅପରପକ୍ଷରେ କାର୍ତ୍ତିକଙ୍କ ଦଶାହରେ ପୋଲିସକୁ ବାର୍ତ୍ତା ଦିଆଯିବା ପରେ ପୋଲିସର ଚେତା ପଶିଥିଲା | ମାମଲା ଆଗକୁ ବଢାଇବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଏକାନ୍ତ ଆବଶ୍ୟକ ହୋଇଥବରୁ ପୋଲି ଗାଁରେ ପହଂଚି ମାଟି ତଳୁ ପୋତା ଯାଇଥିବା ଶବକୁ ଆଜି ଉଦ୍ଧାର କରିଛି | ବ୍ୟବଚ୍ଛେଦ ପରେ ପୋଲିସ ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରିବ | ପୋଲିସର ଏଭଳି ବେପରୁଆ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.