କଟକ ଡ୍ରାଇଭର ମୃତ୍ୟୁ ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ

Published By : Prameya-News7 Bureau | July 04, 2023 IST

କଟକ ୪୭: କଟକରୁ ଯାଜପୁର ରୋଡ଼ ଭଡ଼ାରେ ଯାଇଥିବା କାର୍ ଚାଳକଙ୍କ ମୃତଦେହ ଘଷିପୁରାରୁ ମିଳିବା ଘଟଣାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହେବା ପରେ ଡ଼୍ରାଇଭରଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ତେବେ କେଉଁ କାରଣରୁ ଡ଼୍ରାଇଭରଙ୍କୁ ହତ୍ୟା କରାଗଲା ଓ ଏଥିରେ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ କଲେଜ ଛକରୁ କାର୍ ନେଇ ଯାଜପୁର ରୋଡ଼ ଭଡ଼ାରେ ଗଲେ ଡ୍ରାଇଭର ଭଗବାନ ବଇରିରଞ୍ଜନ । ୨୪ତାରିଖ ରାତି ସାଢ଼େ ୮ଟାରେ ବାହାରିଲେ ଯାଜପୁର । ଆଉ ରାତି ସାଢ଼େ ୧୦ଟା ପରେ ଡ୍ରାଇଭର ଭଗବାନଙ୍କର କୌଣସି ଖୋଜ ଖବର ମିଳିଲା ନାହିଁ । ପରେ ୨୮ ତାରିଖରେ କେଉଁଝର ଅନ୍ତର୍ଗତ ଘଷିପୁରା ଜଙ୍ଗଲ ଭିତରୁ ମିଳିଲା ଭଗବାନଙ୍କର ଗଳିତ ମୃତଦେହ । ଏଭଳି ଏକ ରହସ୍ୟଜନକ ଘଟଣା ଘଟିବାର ୧୧ ଦିନ ପରେ ଭଗବାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ ହୋଇଛି । ମଙ୍ଗଳବାର ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଛି ।

ତେବେ କିଏ ଓ କାହିଁକି ଭଗବାନଙ୍କୁ ହତ୍ୟା କଲେ ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି । ଘଷିପୁରା ଥାନା ପୋଲିସ କଟକର ମାଲଗୋଦାମ ଥାନା ଓ ଗୋବିନ୍ଦପୁର ଥାନା ସହଯୋଗରେ ଅନୁସନ୍ଧାନ ଜାରି ରଖିଛି । ତେବେ କାର ଚାଳକ ଭଗବାନଙ୍କୁ କାର୍ ଭିତରେ ହିଁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି ।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭଗବାନଙ୍କ ହତ୍ୟାକାଣ୍ଡ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ନୁହେଁ । କୌଣସି କାରଣରୁ କାରରେ ଯାତ୍ରା କରୁଥିବା ବ୍ୟକ୍ତି ଓ ଭଗବାନଙ୍କ ମଧ୍ୟରେ ବଚସା ହୋଇଛି । ଏହି ବଚସା କାରଣରୁ ହଠାତ ରାଗିଯାଇ କାରରେ ଯାତ୍ରା କରୁଥିବା ବ୍ୟକ୍ତି ତାଙ୍କ ଗଳା ଚିପି ହତ୍ୟା କରିଛନ୍ତି । ତେବେ ଯେଉଁ ତିନି ଜଣ କାର ଭଡ଼ାରେ ନେଇଥିଲେ ସେମାନେ ହିଁ ଅଭିଯୁକ୍ତ କିମ୍ବା ଘଟଣାରେ ଆଉ କେହି ସମ୍ପୃକ୍ତ ସେ ନେଇ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କ ବାବଦରେ ପୋଲିସ ଠୋସ୍ ସୂଚନା ପାଇ ସାରିଛି ଓ ଖୁବ୍ ଶୀଘ୍ର ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ଉଠିବ ବୋଲି ପୋଲିସ କହିଛି ।

You Can Read :

wp:embed {"url":"https://www.prameyanews7.com/tension-in-bjb-collage-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tension-in-bjb-collage-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.