ପୋଲିସକୁ ଭୁଆଁ ବୁଲାଇ ଚାଲୁଥିଲା ରେଭ୍‌ ପାର୍ଟି : ସାମିଲ ହୋଇଥିଲେ ଏକାଧିକ ରୂପଜୀବୀ, ଚଢାଉରେ ମିଳିଲା ମଦ ଓ କଣ୍ଡୋମ

Published By : Prameya-News7 Bureau | November 06, 2022 IST

ଭୁବନେଶ୍ୱର ୦୬।୧୧ : ରିସୋର୍ଟ ବାହାରେ ଦାମୀ ଦାମୀ କାର୍‌ ଲାଗିଥିଲା । ଭିତରେ କମ୍ପୁଥିଲା ଡିଜେ । କିଏ ଅର୍ଦ୍ଧନଗ୍ନ ତ’ପୁଣି କିଏ ବିବସ୍ତ୍ର । କିଛି ସୁଇମିଂ ପୁଲ୍‌ରେ ତ’ଆଉ କିଛି ଛାତ ଉପରେ ଅଶ୍ଳୀଳ ଡ୍ୟାନ୍ସ କରୁଥିଲେ । ସବୁ ନିଶାରେ ଚୂର… । ପୁଲିସ୍‌ ପହଞ୍ଚିଲା ବେଳକୁ ରିସୋର୍ଟ ଭିତର ପରିବେଶ ଏମିତି ଥିଲା । ଏହା ହେଉଛି ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ଉ ବେଳର ଦୃଶ୍ୟ । ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ମେଣ୍ଡାଶାଳ ଫାଣ୍ଡି ଅଧୀନ ପାଣିଓରା ସ୍ଥିତ ‘ହାପି ମୋମେଣ୍ଟ’ ରିସୋର୍ଟରେ । ପୁଲିସ୍‌ ସେଠାରେ ଚଢ଼ଉ କରି ୩୦ ଯୁବତୀ, ୫୦ରୁ ଅଧିକ ଯୁବକ ଓ କିଛି ପୌଢ଼ (୫୦ ବର୍ଷରୁ ଅଧିକ) ବ୍ୟକ୍ତିଙ୍କୁ ଧରିଥିଲା । ଏହି ବେଆଇନ୍‌ ରେଭ ପାର୍ଟି ଆୟୋଜନ କରିଥିବା ମାଲିକ ସହିଦନଗର ପ୍ଲଟ୍‌ ନଂ ଏ-୧୨୦ର ଶିବପ୍ରସାଦ ପଟ୍ଟନାୟକ ଓ ପରିଚାଳକ ରାହୁଲ ମଲ୍ଳିକକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

ଖବର ଅନୁଯାୟୀ, ଶିବପ୍ରସାଦ କିଛି ଦିନ ତଳେ ରେଭ ପାର୍ଟି ଆୟୋଜନ କରିବେ ବୋଲି ସୋସିଆଲ୍‌ ମିଡିଆରେ ଜଣାଇଥିଲେ । ୫ଟି ଟିକେଟ୍‌ରେ ଗୋଟିଏ ଫ୍ରି ଅଫର ଥିଲା । ଏଣ୍ଟ୍ରିି ଟିକେଟ ମୂଲ୍ୟ ଥିଲା ୭ ଶହ ଟଙ୍କା । ଏଥିରେ କେବଳ ଡିନ୍‌ର ଫ୍ରି-ଥିଲା । ମଦ ପାଇଁ ଅଲଗା ମୂଲ୍ୟ ଦେବାକୁ ପଡିବ ବୋଲି କୁହାଯାଇଥିଲା । ବିୟର ବଟଲ ୧୫୦ ଟଙ୍କା, ବିୟର କେନ୍‌ ୨୨୦ ଟଙ୍କା ଓ ବିଦେଶୀ ମଦ ପେଗ୍‌ ମୂଲ୍ୟ ୨ ଶହେରୁ ଆରମ୍ଭ । ଶୁକ୍ରବାର ରାତି ୯ଟାରୁ ଆରମ୍ଭ ହୋଇଥିଲା ପାର୍ଟି । ରିସୋର୍ଟରେ ୧୦୦ରୁ ଅଧିକ ଲୋକ ଥିଲେ । ସହର ଠାରୁ ଦୂରରେ ଥିବାରୁ ପୁଲିସ୍‌ର ନଜର ନଥିଲା । ଗ୍ରାହକମାନଙ୍କୁ ଉତ୍ତମ ସେବା ଦେବାକୁ ୧୦ ଜଣ ରୂପଜୀବୀଙ୍କୁ ମଧ୍ୟ ନେଇ ରିସୋର୍ଟରେ ରଖିଥିଲେ ଶିବ ପ୍ରସାଦ । ରାତି ବଢ଼ିବା ସାଙ୍ଗକୁ ରେଭ୍‌ ପାର୍ଟିର ତାତି ବଢ଼ିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଡିଜେ ସାଉଣ୍ଡରେ ପାଖଆଖ ଲୋକଙ୍କ ନିଦ ହଜି ଯାଇଥିଲା ।

ଚନ୍ଦକା ଥାନା ଆଇଆଇସି ସୁରେନ୍ଦ୍ର ବଳ ଏ ବିଷୟରେ ଖବର ପାଇ ରାତି ସାଢ଼େ ୨ଟାରେ ଫାଣ୍ଡି ଏଏସ୍‌ଆଇଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ପୁଲିସ ପହଞ୍ଚି ପଚାରିବାରୁ ଜନ୍ମଦିନ ପାର୍ଟି ଚାଲିଛି କହି ପାର୍ଟି ଆୟୋଜକ ଭୁଆଁ ବୁଲାଇଥିଲେ । ପୁଲିସ୍‌ ପଳାଇ ଆସୁଥିଲା । ହେଲେ ଗେଟ୍‌ ବାହାରେ ଜଣେ ଯୁବତୀ ଓ ଯୁବକଙ୍କୁ ବିବସ୍ତ୍ର ଦେଖି ପୁଲିସ୍‌ ମନରେ ସନ୍ଦେହ ହୋଇଥିଲା । ଅଧିକ ଫୋର୍ସ ନେଇ ସେଠାରେ ଚଢ଼ଉ କରିଥିଲା ପୁଲିସ । ପୁଲିସ୍‌କୁ ଦେଖି ଅଧିକାଂଶ ଯୁବକ-ଯୁବତୀ ଅନ୍ଧାରରେ ଧାଇଁ ପଳାଇଥିଲେ । ଯେଉଁମାନେ ପ୍ରଚୁର ନିଶାରେ ଥିଲେ ସେମାନେ ଉଠି ପାରିନଥିଲେ । ୨୦ ଜଣ ଯୁବକ ଓ କିଛି ଯୁବତୀଙ୍କୁ ଧରି ପଚରା ଉଚରା କରି ଛାଡି ଦେଇଥିଲା ପୁଲିସ । ତେବେ ଏହି ପାର୍ଟି ଆୟୋଜନ କରିଥିବା ରିସୋର୍ଟ ମାଲିକ ଶିବପ୍ରସାଦ ଓ ପରିଚାଳକ ରାହୁଲକୁ ଜେରା କରିବା ପରେ ସବୁ ଘଟଣା ପଦାକୁ ଆସିଥିଲା । ସେଠାରୁ ପୁଲିସ୍‌ ୨୦ ଲିଟରରୁ ଅଧିକ ବିଦେଶୀ ମଦ, କଣ୍ଡୋମ ଓ କିଛି ଅନ୍ତଃବସ୍ତ୍ର ଜବତ କରିଛି ।

ଏନେଇ ଜୋନ୍‌ ଏସିପି ରମେଶ ବିଶେଷ କହିଛନ୍ତି, ରିସୋର୍ଟ ମାଲିକ ବେଆଇନ୍‌ ଭାବେ ଏହି ପାର୍ଟି ଅୟୋଜନ କରୁଥିଲେ । ଏଥିପାଇଁ ସେ କୌଣସି ପ୍ରକାର ଅନୁମତି ନେଇ ନାହାନ୍ତି । ରିସୋର୍ଟ ପାଇଁ ବାର୍‌ ଲାଇସେନ୍ସ, ଆଲକହଲ ଓ ମ୍ୟୁଜିକ୍‌ ଲାଇସେନ୍ସ ନଥିଲା । ଯାହା କରୁଥିଲେ ସମ୍ପୂର୍ଣ୍ଣ ବେଆଇନ । ତାଙ୍କୁ ଗିରଫ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି । ଦରକାର ପଡିଲେ ଉକ୍ତ ରିସୋର୍ଟକୁ ସିଲ୍‌ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.