ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ପୋଲିସ
Published By : Prameya-News7 Bureau | October 06, 2018 IST
ଭୁବନେଶ୍ବର ୬|୧୦: କୋଣାର୍କ ମନ୍ଦିର ଓ ଓଡିଶା ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ପୋଲିସ । ଆସନ୍ତା ୧୧ ତାରିଖରେ ଅଭିଜିତ ଆୟାର ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ । ତେବେ ତା ଆଗରୁ ସେ କୋଣାର୍କ ପୋଲିସ ଥାନାରେ ହାଜର ହୋଇପାରନ୍ତି । ସେହି ସମୟରେ ତାଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଓଡିଶା ପୋଲିସ । ଆୟାରଙ୍କୁ ଗିରଫ କରିବା ପୂର୍ବରୁ କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତ୍ତି ନେଇଛି ପୋଲିସ । ଜେଲ୍ ବିଭାଗ ଏଡିଜି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଉକ୍ତ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ପୋଲିସ ଡିଜି, ଆଇଜି ଓ ପୁରୀ ଏସପିଙ୍କୁ ଚିଠି ଲେଖିଛନ୍ତି । ଯେହେତୁ ଆୟାରଙ୍କୁ ନେଇ ଓଡିଶାବାସୀଙ୍କ ମନରେ ଅସନ୍ତୋଷ ରହିଛି ତେଣୁ କୌଣସି ଅଘଟଣ ଏଡାଇବାକୁ ସୁରକ୍ଷା ବନ୍ଦୋବସ୍ତ କରାଯିବ । ଏହାଛଡା ଅଭିଜିତ ଆୟାରଙ୍କ ଗିରଫ ଠାରୁ ଆରମ୍ଭ କରି ରିମାଣ୍ଡରେ ନେବା ପର୍ଯ୍ୟନ୍ତ ପୂରା ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯିବ । ଏହାଛଡା ଆୟାରଙ୍କ ଗିରଫ ସମୟରେ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯିବ ।