ଚାଷୀ ଆନ୍ଦୋଳନ: ଦିଲ୍ଲୀ ସୀମାକୁ ପୋଲିସ ମଗାଇଲା ୨ ହଜାର ଲୁହବୁହା ଗ୍ୟାସ୍ ସେଲ୍, ଜାଣନ୍ତୁ କାହିଁକି?
30/11/2020 at 9:31 PM

ନୂଆଦିଲ୍ଲୀ ୩୦।୧୧: ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ସୋମବାର ୫ମ ଦିନରେ ପହଞ୍ଚିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଦିଲ୍ଲୀ ସୀମା ଜାମ କରି ରଖିଥିବା ଚାଷୀ ବୁରାଡି ଆନ୍ଦୋଳନସ୍ଥଳକୁ ଯାଉ ନାହାନ୍ତି। ଚାଷୀଙ୍କ ବିଶାଳ ଆନ୍ଦୋଳନ ଯୋଗୁ ଦିଲ୍ଲୀ ପୋଲିସ ସମେତ ଟିକିରୀ ଓ ସିଂଘୁ ସୀମାବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ଜନଜୀବନ ପ୍ରଭାବିତ ହେଉଥିବାରୁ ଦିଲ୍ଲୀ ପୋଲିସ ସାମ୍ଭବ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ଏବେ ପ୍ରସ୍ତୁତ ଥିବା ଜଣାପଡିଛି।
ପୋଲିସ ମୁଖ୍ୟାଳୟ ସୂତ୍ରରୁ ମିଳୁଥିବା ସୂଚନାରୁ କଡା କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି ହେଉଛି। ଦିଲ୍ଲୀ ପୋଲିସ ବରିଷ୍ଠ ଅଧିକାରୀମାନେ ରାଜଧାନୀ ଆଇନ ବ୍ୟବସ୍ଥାକୁ କୌଣସି ମତେ ଅସ୍ଥିର ହେବାକୁ ଦିଆଯିବନି ବୋଲି କହିଛନ୍ତି। ଏଣୁ ବରିଷ୍ଠ ପୋଲିସ ଅଧିକାରମାନେ ବାରମ୍ବାର କୃଷକନେତାଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁରାଡି ଯିବାକୁ ପରାମର୍ଶ ଦେଉଛନ୍ତି। ହେଲେ ଚାଷୀ ନିଜ ଜିଦରେ ଅଟଳ ଅଛନ୍ତି। ସେମାନଙ୍କ ଲାଗି ସ୍ଥାପିତ ଟେଣ୍ଟର ସେମାନେ ବ୍ୟବହାରମଧ୍ୟ କରୁନଥିବା ବେଳେ ନିଜନିଜ ଟ୍ରାକ୍ଟର ଟ୍ରଲିରେ ରହିଛନ୍ତି।
ସୀମାରେ ଚାଷୀଙ୍କ ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଭିଡ ଆଢୁଆଳରେ ଆତଙ୍କବାଦୀ ସଙ୍ଗଠନ ନିଜ ଉଦ୍ଦେଶ୍ୟ ପୂର୍ତ୍ତି କରିବାର ଆଶଙ୍କା କରାଯାଉଥିବାରୁ ପୋଲିସ ସବୁ ପ୍ରକାର ସତର୍କତା ଏବେ ଅବଲମ୍ବନ କରୁଥିବା କହିଛି। ବିଭିନ୍ନ ସୀମାରେ ଦିଲ୍ଲୀ ପୋଲିସ ସମେତ ୨୩ କମ୍ପାନୀ ଅର୍ଦ୍ଧସାମରିକ ବଳଙ୍କୁ ମୁତୟନ କରାଯାଇଛି। ଏଥିରେ ଦିଲ୍ଲୀ ପୋଲିସ ୨ ହଜାର ଲୁହବୁହା ଗ୍ୟାସ୍ ସେଲ୍ମ ଗାଇଥିବା ଜଣାପଡିଛି। ସୀମାରେ ପରିସ୍ଥିତି ଯେପରି ନ ବିଗିଡେ ସେଥିପ୍ରତି ପୋଲିସ ସବୁପ୍ରକାର ସତର୍କତା ଅବଲମ୍ବନ କରୁଥିବା କହିଛି।