କଟକରେ ପୋଲିସର ଅପରେସନ ଅଲ ଆଉଟ: ରାତି ଅଧିଆ ବ୍ଲକିଂ ଓ ଚେକିଂରେ ୨୮ ଗିରଫ

Published By : Prameya-News7 Bureau | October 06, 2018 IST

କଟକ୬|୧୦: ପୂଜା ପୂର୍ବରୁ କଟକ ସହରକୁ ଅପରାଧୀମୁକ୍ତ କରିବାକୁ ଅପରେସନ ଚଳାଇଛି କମିଶନରେଟ୍ ପୋଲିସ । ବିଭିନ୍ନ ଥାନା ଅଧିକାରୀଙ୍କ ହାତରେ ପେଶାଦାର ଅପରାଧୀଙ୍କ ଲମ୍ବା ତାଲିକା ଧରାଇଦେଇଛନ୍ତି କଟକ ଡିସିପି । ରାତି ଅଧିଆ ବ୍ଲକିଂ ଓ ଚେକିଂ କରିବା ପାଇଁ ଜାରି ହୋଇଛି ଅର୍ଡ଼ର । ଆଉ ଏହି ଅର୍ଡ଼ରକୁ କାର୍ଯ୍ୟକାରୀ କରିବାକୁ ଯାଇ ଏପର୍ଯ୍ୟନ୍ତ ୨୮ଜଣ ଅପରାଧୀଙ୍କୁ ଜେଲ ହାଜତକୁ ପଠାଇସାରିଲାଣି ପୋଲିସ । କଟକରେ କମିଶନରେଟ୍ ପୋଲିସର ଅପରେସନ ଅଲ୍ ଆଉଟ୍ । ପୂଜା ପୂର୍ବରୁ ସମସ୍ତ ପେଶାଦାର ଅପରାଧୀଙ୍କୁ ଗୋଟି ଗୋଟି କରି ଖୋଜି ବାହାର କରିବା ଆଉ ଜେଲ ହାଜତକୁ ପଠାଇବାକୁ ଦିଆଯାଇଛି ଟାସ୍କ । ଖାସ୍ ସେଇଥି ପାଇଁ ରାତି ଅଧିଆ ଚାଲିଛି ବ୍ଲିକିଂ ଆଉ ଚେକିଂ । ଶୂନ୍ ଶାନ୍ ରାତିରେ ସହରର ଛାତି ଉପରେ ଫୁଲ୍ ସ୍ପିଡ୍ରେ ଗଡ଼ୁଥିବା ଗାଡ଼ି ଗୁଡ଼ିକୁ ଅଟକାଇବା ସହ ତଲାସି କରୁଛନ୍ତି ପୋଲିସ ଟିମ୍ । ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ୍, କିଏ କୁଆଡ଼େ ଯାଉଛି ଆଉ କେଉଁଠି ଆସିଛି ସେସବୁର ତନ୍ନ ତନ୍ନ ଯାଞ୍ଚ କରାଯାଉଛି ।ସହରରେ ପେଶାଦାର ଅପରାଧୀଙ୍କୁ ଗିରଫ କରିବା ସହ ଓ୍ବାରେଣ୍ଟ୍ ଡ୍ରାଇଭ୍ କରିବା ପାଇଁ ମଧ୍ୟ ରହିଛି ନିର୍ଦେଶ । ପୂଜା ସମୟରେ କଟକକୁ ଅପରାଧ ଓ ଅପରାଧୀମୁକ୍ତ କରିବାକୁ ପୋଲିସ ଆରମ୍ଭ କରିଥିବା ଏହି ଅଭିଯାନ ଭସାଣୀ ପର୍ଯ୍ୟନ୍ତ ଚାଲିବ । ହାତରେ ସମୟ କମ୍ । ଆଉ ଅପରାଧୀଙ୍କ ତାଲିକା ଖୁବ୍ ଲମ୍ବା । ସହରର ୮୦ଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରିବାକୁ ଦିଆଯାଇଛି ଟାର୍ଗେଟ୍ । ସେଥି ମଧ୍ୟରୁ ୨୮ଜଣଙ୍କୁ ଦଫା ୧୧୦ ବଳରେ ବାନ୍ଧି ଜେଲ ହାଜତକୁ ପଠାଇ ସାରିଲାଣି ପୋଲିସ । ସେହିଭଳି ୨୨୦ଜଣଙ୍କୁ ଏନବିଡବ୍ଲୁରେ ଗିରଫ କରିବାକୁ ଟାସ୍କ ଦିଆଯାଇଥିବା ବେଳ ସେଥି ମଧ୍ୟରୁ ପୋଲିସ ପଞ୍ଝାକୁ ଆସିସାରିଲେଣି ୭୨ । ଏଥି ସହ ସହରର ବିଭିନ୍ନ ଥାନା ଅବକାରୀ ଚଢ଼ାଉ କରି ୩୩ଟି ମାମଲା କରିଥିବା ବେଳେ ଏଥିରେ ୪୩ଜଣଙ୍କୁ ଗିରଫ କରାଯାଇଛି । ପୂଜା ସମୟରେ ବେଆଇନ୍ ନିଶା କାରବାର ଓ ଦାଦାବଟି ଆଦାୟ କରୁଥିବା ଅପରାଧୀଙ୍କ ଉପରେ ରହିଛି ପୋଲିସର ଲେନ୍ସ୍ । କଟକ ସହରରେ ରାତି ଅଧିଆ ପାଟ୍ରୋଲିଂକୁ ଅଧିକ କଡ଼ା କଡ଼ି କରାଯାଇଛି । ଧରାପଡ଼ିଥିବା ଅପରାଧୀଙ୍କ ଫଟୋ ଜାରି କରିବା ସହ ବାକି ଅପରାଧୀଙ୍କୁ ଧରିବାକୁ ପୂରା ଦମ୍ ଲଗାଇଦେଇଛି କମିଶନରେଟ୍ ପୋଲିସ । ପୂଜା ପୂର୍ବରୁ ଆଉ ପୂଜା ସମୟରେ କଟକରେ ଯେମିତି କୌଣସି ବଡ଼ ଧରଣର ଅପରାଧ ନଘଟେ ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.