ପୋଲିସ-ଓକିଲ ବିବାଦର ସ୍ଥାୟୀ ସମାଧାନ ପାଇଁ ଗଠିତ କମିଟି ହାଇକୋର୍ଟଙ୍କୁ ଦେଲେ ରିପୋର୍ଟ

Published By : Prameya-News7 Bureau | February 15, 2020 IST

କଟକ ୧୫।୦୨ - ପୋଲିସ-ଓକିଲ ବିବାଦର ସ୍ଥାୟୀ ସମାଧାନ ପାଇଁ ଗଠିତ କମିଟି ହାଇକୋର୍ଟଙ୍କୁ ତା’ର ରିପୋର୍ଟ ପ୍ରଦାନ କରିଛି । ଏହି କମିଟି ତା’ର ରିପୋର୍ଟରେ ଓକିଲଙ୍କ ସୁରକ୍ଷା ସହ ଅଭିଯୁକ୍ତ ଓକିଲଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିର୍ଦ୍ଧିଷ୍ଟ ଭାବେ ସୁପାରିଶ୍‌ କରିବା ସହ ଏଭଳି ପରିସ୍ଥିତିକୁ ଏଡ଼ାଇବାକୁ ଆଡଭୋକେଟ୍‌ ଜେନେରାଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ପାଇଁ ପରାମର୍ଶ ଦେଇଛି ।….

ଓକିଲ-ପୋଲିସ ବିବାଦର ସମାଧାନ ପାଇଁ ଗଠିତ କମିଟି ହାଇକୋର୍ଟଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ୨୦୧୮ ଅଗଷ୍ଟରେ  ଓକିଲ ଆନ୍ଦୋଳନ ଯୋଗୁଁ  ହାଇକୋର୍ଟରେ ନ୍ୟାୟିକ ପ୍ରକ୍ରିୟା ଏକରକମ୍‌ ଠପ୍‌ ହୋଇଯାଇଥିଲା । ଜଣେ ଓକିଲଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ଓକିଲ-ପୋଲିସ ବିବାଦ ଉଗ୍ରରୂପ ଧାରଣ କରିଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପ୍ରାୟ ୮୬ଦିନ ଧରି ଆନ୍ଦୋଳନ କରି ନିଜର ଅସନ୍ତୋଷ ଜଣାଇଥିଲେ ଆଇନଜୀବୀ । ତେବେ ଏହି ଘଟଣା ପରେ ହାଇକୋର୍ଟଙ୍କ ନିର୍ଦେଶ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏ.ଏସ୍‌ ନାଇଡ଼ୁଙ୍କ ଅଧ୍ୟକ୍ଷତାରେ ଗଠିତ ୧୧ଜଣିଆ କମିଟି ପୂରା ଘଟଣାର ଅନୁଧ୍ୟାନ କରି ତା’ର ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟଙ୍କୁ ପ୍ରଦାନ କରିଛି । ଆସନ୍ତୁ ଏହି ରିପୋର୍ଟରେ ଥିବା କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଉପରେ ନଜର ପକାଇବା ।

୧. କୌଣସି ମାମଲାରେ ପୋଲିସ କୌଣସି ଆଇନଜୀବୀଙ୍କୁ ଗିରଫ କଲେ ତାଙ୍କୁ ହ୍ୟାଣ୍ଡକପ୍‌ ପକାଇବ ନାହିଁ । କାରଣ ଏହା ଅଦାଲତ ଉପରେ ଲୋକଙ୍କ ବିଶ୍ବାସକୁ ପ୍ରଭାବିତ କରିବ ।

୨. କୌଣସି ବ୍ୟକ୍ତି ଆଇନର ଊର୍ଦ୍ଧ୍ବରେ ନୁହନ୍ତି । ତଥାପି ପୋଲିସ ତା’ର ପତିଆରା ଜାହିର ପାଇଁ ବାହୁବଳ ପ୍ରୟୋଗ କରିବ ନାହିଁ ।

୩. ଆଇନଜୀବୀମାନେ ନିଜର ଆଚରଣ ଓ ଉଚ୍ଚାରଣରେ ଶାଳୀନତା ରକ୍ଷା କରିବା ଆବଶ୍ୟକ ।

୪. ଯେଉଁମାନେ ଆଇନ୍‌ ପେଶାରେ ଅଛନ୍ତି ଓ ନିୟମିତ କୋର୍ଟ ଯାଉଛନ୍ତି, କେବଳ ସେଇମାନଙ୍କୁ ହିଁ ଆଇନଜୀବୀ ବୋଲି କହି ହେବ । ସେଇ ଓକିଲମାନଙ୍କ ପାଇଁ ହିଁ ଆଇନରେ କିଛି ନିର୍ଦ୍ଧିଷ୍ଟ ସୁରକ୍ଷା ବ୍ୟବସ୍ଥା ରହିଛି ।

୫. କୋର୍ଟ ବାହାରେ ପୋଲିସ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।

୬. ପୋଲିସ ଯଦି କୌଣସି ଓକିଲଙ୍କୁ ଗିରଫ କରୁଛି ତାହେଲେ ତୁରନ୍ତ ତାଙ୍କ ପରିବାରକୁ ଏ ସମ୍ପର୍କରେ ଅବଗତ କରାଇବା ସହ  ସଂପୃକ୍ତ ବାର୍‌ ଆସୋସିଏସନକୁ ମଧ୍ୟ ଜଣାଇବା ଆବଶ୍ୟକ ।

୭. ବିଭିନ୍ନ ସମୟରେ ପୋଲିସ-ଓକିଲ ବିବାଦ ଓ ଓକିଲ ଆନ୍ଦୋଳନ ଭଳି ପରିସ୍ଥିତି ଏଡ଼ାଇବାକୁ ଆଡଭୋକେଟ୍‌ ଜେନେରାଲଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କମିଟି ଗଠନ ପାଇଁ ପରାମର୍ଶ ।

୮. କମିଟିରେ ଆଡଭୋକେଟ୍ ଜେନେରାଲଙ୍କ ସହ ବାର୍ କାଉନସିଲ୍ ଅଧ୍ୟକ୍ଷ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସମ୍ପାଦକ, କେନ୍ଦ୍ର ସରକାରଙ୍କ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ, ପୋଲିସ୍ ଆଇଜି ଓ ଡିସିପି ରହିବେ

୯.  ଜିଲ୍ଲାସ୍ତରରେ ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ଅନୁରୂପ କମିଟି ଗଠନ ପାଇଁ ପରାମର୍ଶ

୧୦. କୌଣସି ଅଭିଯୋଗ ଥିଲେ ଓକିଲମାନେ ସଂପୃକ୍ତ କମିଟିକୁ ପ୍ରଥମେ ଅବଗତ କରାଇବେ । କମିଟି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ।

ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆଗାମୀ ଦିନରେ ଓକିଲ ଆନ୍ଦୋଳନକୁ ଏଡ଼ାଇ ହେବ ବୋଲି ଅନୁଭବ କରିଛି ଜଷ୍ଟିସ୍‌ ଏ.ଏସ୍‌ ନାଇଡ଼ୁଙ୍କ ନେତୃତ୍ବରେ ଗଠିତ ୧୧ଜଣିଆ କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.