ଦୁଇ ଯୁବତୀଙ୍କ ଉପରେ ଭ୍ୟାନ୍‌ ଚଢ଼ାଇ ଦେଲେ ପୋଲିସ୍‌ ବାବୁ, ଘଟଣା ସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

Published By : Prameya-News7 Bureau | October 18, 2021 IST

ଜଳନ୍ଧର, ୧୮/୧୦ : ଲଖିମ୍‌ପୁର ଖେରିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଗାଡ଼ି ଚଢି ୮ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରାଜନୀତି ତୀବ୍ର ହେବା ସହ ହିଂସାକାଣ୍ଡ ମଧ୍ୟ ଘଟିଥିଲା । ଏହି ଘଟଣା ମନରୁ ଲିଭି ନଥିବା ବେଳେ ଏବେ ପୁଣି ପଞ୍ଜାବରୁ ଆସିଛି ଦୁଃଖଦ ଖବର। ପଞ୍ଜାବ ଜଳନ୍ଧରରେ ଜଣେ ପୋଲିସ୍‌ ଅଧିକାରୀ ୨ ଜଣ ଯୁବତୀଙ୍କ ଉପରେ ଗାଡ଼ି ଚଢାଇ ଦେଇଛନ୍ତି। ଏଥିରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣା ଘଟିବା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ହାଇୱେ ଜାମ କରିଦେଇଥିବା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ସୋମବାର ସକାଳେ ଜଳନ୍ଧର-ଫଗୱାଡ଼ା ହାଇୱେ ସ୍ଥିତ ଧାନେବାଲି ଗାଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୨ ଜଣ ଯୁବତୀଙ୍କ ଉପରେ ଏକ ପୁଲିସ ଭ୍ୟାନ୍ ମାଡିଯାଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପଞ୍ଜାବ ପୋଲିସର ଏହି ଗାଡ଼ିକୁ ଇନ୍ସପେକ୍ଟର ଅମୃତ ପାଲ ସିଂ ଚଳାଉଥିଲେ। ଘଟଣା ଘଟିବା ପରେ ଇନ୍ସପେକ୍ଟର ଅମୃତଙ୍କୁ ଗିରଫ କରାଯାଇଛି। ଅମୃତ ପାଲ ସିଂ ହରିକ ପଟ୍ଟନ ଥାନାରେ ଡ୍ୟୁଟିରେ ଥିବା ବେଳେ ଏହି ଘଟଣା ଘଟାଇଥିବା ଜଣାପଡ଼ିଛି ।

ମୃତକ ଯୁବତୀ ଜଣଙ୍କ ହେଉଛନ୍ତି ନବଜୋତ କୌର। ସେ ସ୍ଥାନୀୟ ଏକ କାର୍ ସୋରୁମରେ ଚାକିରୀ କରୁଥିଲେ। ନବଜୋତ୍ ତାଙ୍କର ଜଣେ ସାଙ୍ଗଙ୍କ ସହିତ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ଏତିକି ବେଳେ ପୋଲିସ ଗାଡ଼ି ସେମାନଙ୍କ ଉପରେ ମାଡ଼ି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.