କନ୍ଧମାଳକୁ ଅପରାଧମୁକ୍ତ କରିବାକୁ ଅଣ୍ଟା ଭିଡିଛି ପୋଲିସ ; ଫୁଲବାଣୀ ଏସପି ଅଫିସରେ ବୈଠକ
9/11/2018 at 4:58 PM

କନ୍ଧମାଳ ୯|୧୧: କନ୍ଧମାଳକୁ ଅପରାଧମୁକ୍ତ କରିବାକୁ ଅଣ୍ଟା ଭିଡିଛି ପୋଲିସ । ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ହତ୍ୟା, ଗଂଜେଇ ଚାଲାଣ, ଚୋରୀ, ଦୁଷ୍କର୍ମ ଭଳି ଅପରାଧ ବୃଦ୍ଧି ପାଇବା ସହ ଅପରାଧିମାନଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଥିବାରୁ ଏହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି। ଫଳରେ ଅପରାଧକୁ ରୋକିବା ସହ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏବେ ଆକ୍ସନ ମୁଡରେ ଆସିଛି। ଏନେଇ ଆଜି ଫୁଲବାଣୀ ଏସପି ଅଫିସ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପଟ୍ରୋଲିଂକୁ କଡାକଡି କରିବା ସହ ବିଭିନ୍ନ ମାଓ ଇଲାକାରେ କମ୍ବିଂ ଅପରେସନ ମଧ୍ୟ ଯୋରଦାର କରାଯାଇ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ କନ୍ଧମାଳ ପୋଲିସ ଅଣ୍ଟା ଭିଡିଛି। ସେହିପରି ନକ୍ସଲଙ୍କ ଗତିବିଧି ମଧ୍ୟ ଜିଲ୍ଲାରେ ସକ୍ରିୟ ଭାବେ ରହିଥିବାରୁ ନକ୍ସଲ ଦମନ ପାଇଁ ମଧ୍ୟ ବିଭିନ୍ନ ରଣନିତୀ ପ୍ରସ୍ତୁତ କରାଯାଇଥିବା କଥା କନ୍ଧମାଳ ଏସପି ପ୍ରତୀକ ସିଂ କହିଛନ୍ତି।