ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକ, ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ମିଟିଂ

Published By : Prameya-News7 Bureau | June 10, 2024 IST

ଭୁବନେଶ୍ୱର ୧୦।୦୬ : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପୋଲିସର ପ୍ରସ୍ତୁତି ବୈଠକ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଏହି ବୈଠକରେ ଡିଆଇଜି ଉମାଶଙ୍କର ଦାସ, ପୋଲିସ କମିଶନର, ଡିଆଇଜି ସାର୍ଥକ ଷଡଙ୍ଗୀ, ଭୁବନେଶ୍ୱର ଡିସିପି ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଏବଂ ଟ୍ରାଫିକ ବ୍ୟବସ୍ଥା ନେଇ ଆଲୋଚନା ଚାଲିଛି । 

ସୂଚନାଯୋଗ୍ୟ ଯେ, ଆସନ୍ତା ୧୨ ତାରିଖରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ୧୨ ତାରିଖ ଦିନ ହେବାକୁ ଥିବା ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଓଡିଶାରେ ବିଜେପି ଏକାକୀ ସରକାର ଗଢିବାରେ ଏହା ହେଉଛି ପ୍ରଥମ ଥର । ତେଣୁ ବିଜେପି କ୍ୟାମ୍ପ୍‌ ବେଶ୍‌ ଉତ୍ସାହରେ ରହିଛି । ରାଜ୍ୟ ଶାସନ ଭାର ଧରିବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ସେହିଦିନ ଭୁବନେଶ୍ବରରେ ପୁଣି ହେବ ମୋଦିଙ୍କ ରୋଡ୍‌ ଶୋ’। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପୂର୍ବରୁ ମୋଦି ବିଶାଳ ରୋଡ୍‌ ଶୋ’ କରିବେ । ଜୟଦେବ ବିହାରରୁ ଜନତା ମଇଦାନ ଯାଏଁ ଏହି ରୋଡ୍‌ ଶୋ’ରେ ପ୍ରଧାନମନ୍ତ୍ରୀ ଯିବେ । ରାଜ୍ୟବାସୀ ବିଜେପିକୁ ବହୁମତ ଦେଇ ସରକାରକୁ ଆଣିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବେ ମୋଦି । ଏଥିପାଇଁ ସବୁ ପ୍ରକାର ଆୟୋଜନ କରାଯାଇଛି ।

ତେବେ କିଏ ହେବେ ରାଜ୍ୟ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ତାହା ୧୧ ତାରିଖରେ ଜଣାପଡିବ । ଶପଥ ଉତ୍ସବର ଦିନକ ପୂର୍ବରୁ ୧୧ ତାରିଖରେ ବସିବ ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ବୈଠକ । ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ବିଜେପି ସଂସଦୀୟ ବୋର୍ଡ ବୈଠକର ନିଷ୍ପତ୍ତି ଶୁଣାଯିବ ।  ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଧାୟକ ଦଳ ନେତା ଭାବେ ସହମତି ଆସିବା ପରେ ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । 

ସେପଟେ ବାଚସ୍ପତି, ଶାସକ ଦଳର ମୁଖ୍ୟ ସଚେତକ ସହ କିଏ କ୍ୟାବିନେଟ୍ ମନ୍ତ୍ରୀ ଓ କିଏ ରାଷ୍ଟ୍ରମନ୍ତ୍ରୀ ହେବେ ସେନେଇ ଚାଲିଛି ଅଙ୍କକଷା। ସେଥିପାଇଁ ବିଧାୟକ ମାନଙ୍କ ପ୍ରୋଫାଇଲ ରାଜ୍ୟ କାର୍ଯ୍ୟାଳୟରେ ତର୍ଜମା ହେଉଥିବା କୁହାଯାଉଛି । ବିଧାୟକ ମାନଙ୍କ କହିବା କଥା ଓଡି଼ଶାର ଅସ୍ମିତା ଓ ଓଡି଼ଆଙ୍କ ଭାବାବେଗ ସହ ଜଡିତ ଥିବା ଜଣେ ଦକ୍ଷ ଓଡିଆ ହିଁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.