ଘାଟିରେ ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କଲେ ଆତଙ୍କୀ, ଜଣେ ପୋଲିସକର୍ମୀ ମୃତ, ଝିଅ ଗୁରୁତର

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଶ୍ରୀନଗରରେ ଜଣେ ପୋଲିସ କନଷ୍ଟେବଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏଥିରେ ପୋଲିସକର୍ମୀଙ୍କ ୭ ବର୍ଷର ଝିଅ ମଧ୍ୟ ଆହତ ହୋଇଛି । ସୂଚନା ଅନୁସାରେ, କନଷ୍ଟେବଲ ସୈଫୁଲ୍ଲା କାଦ୍ରିଙ୍କୁ ସୌରା ସ୍ଥିତ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ କାଦ୍ରିଙ୍କୁ ଏସକେଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ମେ ୧୩ରେ ଆତଙ୍କବାଦୀମାନେ ପୋଲିସ କନଷ୍ଟେବଲ ରିୟାଜ ଅହମଦ ଠୋକରଙ୍କୁ ପୁଲୱାମାରେ ତାଙ୍କ ଘରେ ଗୁଳି କରି ହତ୍ୟା କରିଥିଲେ। ଏହାର ଗୋଟିଏ ଦିନ ପୂର୍ବେ ମେ ୧୨ରେ ବଡଗାମ ଜିଲ୍ଲାରେ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ତାଙ୍କ କାର୍ଯ୍ୟାଳୟରେ ଗୁଳି ଆତଙ୍କୀମାନେ ହତ୍ୟା କରିଥିଲେ।

ସରକାରୀ ତଥ୍ୟ ଅନୁଯାୟୀ, ଗତ ଜାନୁଆରୀଠୁ ଏବେ ଯାଏଁ ମୋଟ ୭ ଜଣ ପୋଲିସକର୍ମୀଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି।  ଗତ କିଛି ମାସରେ ପୋଲିସ କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢିବାରେ ଲାଗିଛି । ଛୁଟିରେ ଥିବା ପୋଲିସ କର୍ମୀଙ୍କୁ ଟାର୍ଗେଟ କରାଯାଉଛି । ୨୦୨୧ ପରଠାରୁ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛନ୍ତି ସୁରକ୍ଷାକର୍ମୀ । ଗତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ଏଥିରେ ୨୧ ଜଣ ଜାମ୍ମୁ କଶ୍ମୀରର ପୋଲିସର ଯବାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.