ମଣିପୁର ମହିଳା ବିବସ୍ତ୍ର ଭିଡିଓ ଭାଇରାଲ୍ ଘଟଣା; ପଞ୍ଚମ ଅଭିଯୁକ୍ତ ଗିରଫ, ପୂର୍ବରୁ ୪ଙ୍କୁ ରିମାଣ୍ଡରେ ନେଇଛି ପୋଲିସ
22/07/2023 at 11:02 AM

ଇମ୍ଫଲ; ମଣିପୁର ମହିଳାଙ୍କୁ ବିବସ୍ତ୍ର ଘଟଣାରେ ଆଉ ଜଣେ ଗିରଫ । ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଭିଡିଓରେ ଦେଖିବାକୁ ମିଳିଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ଏହି ଲଜ୍ଜାଜନକ ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ମଣିପୁର ପୋଲିସ ବିଭିନ୍ନ ସ୍ଥାନରେ ଛାପାମାରୀ କରିଥିଲେ । ୪ଜଣ ଅଭିଯୁକ୍ତଙ୍କୁ ପ୍ରଥମେ ପୋଲିସ ଗରିଫ କରିଥିବା ବେଳେ ଏବେ ପଞ୍ଚମ ଅଭିଯୁକ୍ତ ଧରାପଡ଼ିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ବିଭିନ୍ନ ସ୍ଥାନରେ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ଭିନ୍ନ ଭିନ୍ନ ସ୍ଥାନରେ ସର୍ଚ୍ଚ ଅପେରସନ ଚଳାଇଛି । ବିଭିନ୍ନ ଜିଲ୍ଲାରେ ୧୨୬ ପୋଷ୍ଟ ଲଗାଯାଇଛି । ନିୟମ ଭାଙ୍ଗୁଥିବା ୪୧୩ଜଣଙ୍କୁ ପୋଲିସ ହେପାଜତ ନେଇଛି । ଶାନ୍ତି ଫେରାଇ ଆଣିବାକୁ ସ୍ଥାନୀୟ ଲୋକଙ୍କୁ ଅପିଲ୍ କରିଛି ପୋଲିସ । ଏହା ସହିତ କୌଣସି ମିଛ ଖବର ଉପରେ ଭରସା ନକରିବାକୁ କହିଛନ୍ତି ।
ମଣିପୁରରେ ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣା ସାମ୍ନାକୁ ଆସିବା ପରେ ଅପରାଧୀଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ନିର୍ଦ୍ଦେଶ ଦେଇଥିଲେ । ପୂର୍ବର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ରିମାଣ୍ଡରେ ନେଇଥିବା ବେଳେ ଏବେ ଅନ୍ୟଜଣଙ୍କୁ ଗରିଫ କରାଯାଇଛି ।
ଦୁଇ ମହିଳାଙ୍କ ବିବସ୍ତ୍ର ଭିଡିଓ ଭାଇରାଲ୍ ଘଟଣାକୁ ନେଇ ସଂସଦ ହୁଲୁସ୍ତଲ ହୋଇଛି । ଦୁଇ ଦିନ ଅଚଳ ହେବା ପରେ ଆସନ୍ତା ୨୪ ତାରିଖ ପାଇଁ ଉଭୟ ଗୃହକୁ ମୁଲତବୀ ରଖାଯାଇଛି । ଅନ୍ୟପଟେ ଏହି ଗରିଫ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ୧୧ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ୧୯ ଜୁଲାଇରେ ଏହି ଘଟଣା ନେଇ ୨୬ ସେକେଣ୍ଡର ଭିଡିଓ ଭାଇରାଲ ହେବା ପରେ ପୋଲିସ ଜୁଲାଇ ୨୦ ତାରିଖ ଦିନ କାର୍ଯ୍ୟାନୁଷ୍ଠାନ କରିଥିଲା। ତେବେ ଏହି ଘଟଣାରେ ଗିରଫ ଜଣେ ଅଭିଯୁକ୍ତର ଘରକୁ ଉତ୍ୟକ୍ତ ଲୋକେ ଶୁକ୍ରବାର ମଧ୍ୟାହ୍ନରେ ପୋଡି ଦେଇଛନ୍ତି।