ହାଥରସ ଗଣଦୁଷ୍କର୍ମ ମାମଲା: ଘଟଣାର ନଅ ଦିନ ପରେ ଯାଇ ପୋଲିସ ରୁଜୁ କଲା ଗଣଦୁଷ୍କର୍ମ ମାମଲା, ପ୍ରଥମେ ପ୍ରମାଣ ମାଗୁଥିଲା
29/09/2020 at 10:51 PM

ହାଥରସ ୨୯।୦୯: ହାଥରସର ନିର୍ଭୟା ସହିତ ଯାହା ଘଟିଛି ତାକୁ ନେଇ ପୂରା ଦେଶରେ ଆକ୍ରୋଶର ମାହୋଲ ବଢିବାରେ ଲାଗିଛି। ପୀଡିତା ୧୫ ଦିନ ପର୍ଯ୍ୟନ୍ତ ଜୀବନ ମରଣ ସହ ସଂଘର୍ଷ କରିବା ପରେ ଶେଷରେ ମଙ୍ଗଳବାର ସକାଳେ ଆଖି ବୁଜିଛନ୍ତି। ମୃତ୍ୟୁ ପୂର୍ବରୁ ନିର୍ଭୟା ପୋଲିସକୁ ଅଭିଯୁକ୍ତଙ୍କ ନାମ କହିଛି। ପୋଲିସ ଜଣ ଜଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ମାତ୍ର ପୀଡିତାଙ୍କ ସହିତ ହୋଇଥିବା ବର୍ବର ଦୁଷ୍କର୍ମ ଘଟଣାରେ ପୋଲିସକୁ ମୋକଦ୍ଦମା ଦାୟର କରିବାରେ ନଅ ଦିନ ଲାଗିଗଲା। ତାଙ୍କ ପରିବାର ପୋଲିସଠାରେ ଗୁହାରି କରିବାରେ ଲାଗିଥିଲେ ମାତ୍ର ପୋଲିସ ନଅ ଦିନ ପର୍ଯ୍ୟନ୍ତ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହିଁ।
ଉତ୍ତର ପ୍ରଦେଶରେ ଆଇନ ବ୍ୟବସ୍ଥା ଉପରେ କ୍ରମାଗତ ପ୍ରଶ୍ନ ଉଠିବାରେ ଲାଗିଛି। ଅପରାଧୀ ନିର୍ଭୟରେ ଗୋଟିଏ ପରେ ଅପରାଧ ଘଟାଇ ଚାଲିଛନ୍ତି। ଏବେ ନିର୍ଭୟା ପରି ଘଟଣା ପୁଣି ଥରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଏହି ଗଣଦୁଷ୍କର୍ମ କେସ୍ରେ ଧାରା ଲଗାଇବାରେ ହାଥରସ ପୋଲିସକୁ ନଅ ଦିନ ସମୟ ଲାଗିଗଲା। ଯେଉଁ ସମୟରେ ପୀଡିତା ଜୀବନ ମରଣ ସହ ସଂଘର୍ଷ କରୁଥିଲା ସେହି ସମୟରେ ପରିବାର ଲୋକ ଏଫଆଇଆର ରୁଜୁ ପାଇଁ ଚକ୍କର କାଟୁଥିଲେ।
ଏମିତିରେ ପୋଲିସ ଘଟଣା ଦିନ ହିଁ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଆଇପିସିର ଧାରା ୩୦୭(ହତ୍ୟା ଉଦ୍ୟମ)ର ମୋକଦ୍ଦମା ରୁଜୁ କରିଥିଲା। ପୀଡିତା ଦଳିତ ସମୁଦାୟର, ଏଥିପାଇଁ ଏସସି-ଏସଟି ଆକ୍ଟର ଧାରା ମଧ୍ୟ ଲଗାଯାଇଛି। ହେଲେ ପୋଲିସ ଗଣଦୁଷ୍କର୍ମ କଥା ମାନିବାକୁ ପ୍ରସ୍ତୁତ ନଥିଲା।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ ତାରିଖ ସକାଳରେ ହାଥରସର ଚନ୍ଦପା ଥାନା ଅନ୍ତର୍ଗତ ବୁଲଗଢି ଗାଁରେ ପୀଡିତାକୁ ଚାରି ଜଣ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ନିଜ ମା ସହିତ ଖେତରେ ଚାରା କାଟୁଥିଲେ। ଚାରା କାଟୁ କାଟୁ ନିଜ ମାଙ୍କଠୁ କିଛି ଦୂରକୁ ଚାଲି ଯାଇଥିଲେ। ଏହି ସମୟରେ ଚାରି ଯୁବକ ଖେତରେ ପହଞ୍ଚିଥିଲେ ଏବଂ ଯୁବତୀଙ୍କୁ ଦୁପଟାରେ ଟାଣି ଟାଣି ନିକଟ ବାଜରା ଖେତକୁ ନେଇ ଯାଇଥିଲେ। ସେଠାରେ ଚାରି ଅଭିଯୁକ୍ତ ପୀଡିତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ବିରୋଧ କରିବାରୁ ଯୁବତୀଙ୍କୁ ନିର୍ମମ ଭାବେ ପିଟିଥିଲେ।
ଘଟଣା ପରେ ଚାରି ଅଭିଯୁକ୍ତ ଯୁବତୀ ମରି ଯାଇଥିବା ଭାବି ସେଠାରେ ଛାଡି ଫେରାର ହୋଇ ଯାଇଥିଲେ। ଯୁବତୀଙ୍କ ମା ଝିଅକୁ ଖୋଜି ଖୋଜି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଚିକିତ୍ସା ପାଇଁ ଯୁବତୀଙ୍କୁ ତୁରନ୍ତ ଜେଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଘଟଣା ବିଷୟରେ ହାଥରସ ପୋଲିସକୁ ସୂଚନା ଦିଆଯାଇଥିଲା। ପରିଜନଙ୍କ ଅନେକ ବୁଝାସୁଝା ପରେ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ମାତ୍ର ବଳାତ୍କାର କଥାକୁ ସ୍ଵୀକାର କରିନଥିଲା। ଘରଲୋକ ପୋଲିସଠାରେ ନେହୁରା ହୋଇଥିଲେ ମଧ୍ୟ ପୋଲସି କଣ ପ୍ରମାଣ ଅଛି କହିଥିଲା।
ଏହି ପରି ମାମଲାରେ ସର୍ବଦା ଦୁଷ୍କର୍ମର ପ୍ରମାଣ ପାଇଁ ପୀଡିତାଙ୍କ ଡାକ୍ତରୀମାଇନା କରାଯାଏ। ହେଲେ ଏହି କେସ୍ରେ ପୋଲିସ ସେମିତି କିଛି କରିନଥିଲା। ଯେବେ ଘଟଣାରେ ନଅ ଦିନ ପରେ ଯୁବତୀଙ୍କ ହୋସ୍ ଆସିଲା ସେ ପୋଲିସକୁ ଘଟଣା ବିଷୟରେ ସଂପୂର୍ଣ୍ଣ କହିଥିଲେ। ସମସ୍ତ ଅଭିଯୁକ୍ତଙ୍କ ନାମ ମଧ୍ୟ କହିଥିଲେ। ତେବେ ଯାଇ ପୋଲିସ ଗଣଦୁଷ୍କର୍ମର ମାମଲା ରୁଜୁ କରିଥିଲା।