ଫିଲ୍ମ ପୋଷ୍ଟର ବିବାଦ ମାମଲା : ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି
20/08/2019 at 3:02 PM

ଭୁବନେଶ୍ବର ୨୦|୮: ପପୁ ପମପମଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି କରିଛି କମିଶନରେଟ୍ ପୋଲିସ । ନୋଟିସ୍ ରେ ଫିଲ୍ମ ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମାଗାଯାଇଛି । ଥାନାରେ ହାଜର ହେବା ପରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ କରାଯିବା ନେଇ ଜଣାପଡିଛି । ପୋଷ୍ଟରଟି ସଂପୃକ୍ତ ପ୍ରଡକ୍ସନ ୟୁନିଟ କରିଛନ୍ତି ନା ନାହିଁ ସେ ନେଇ ମଧ୍ୟ ପଚରାଉଚରା କରାଯିବ ।
ସେହିଭଳି ପୋଷ୍ଟରକୁ ନେଇ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । କେଉଁ ସୁତ୍ରରୁ ସେ ଏହି ପୋଷ୍ଟର ପାଇଲେ ସେ ନେଇ ସବିଶେଷ ତଥ୍ୟ ରଖିବାକୁ ନୋଟିସ୍ ରେ କୁହାଯାଇଛି ।
ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାକୁ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଥିଲା । ପୋଷ୍ଟରର ପପୁ ମହିଳାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା ।