ବିଳମ୍ବିତ ରାତ୍ରିରେ ରାସ୍ତାରେ ବୁଲିବା ଦମ୍ପତିଙ୍କୁ ପଡିଲା ମହଙ୍ଗା, ଚାଲାନ କାଟିଲା ବେଙ୍ଗାଲୁର ପୋଲିସ୍

Published By : Prameya-News7 Bureau | December 11, 2022 IST

ବେଙ୍ଗାଲୁରୁ ୧୧।୧୨: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରରେ ଏକ ଦମ୍ପତ୍ତିଙ୍କୁ ଘର ପାଖ ରାସ୍ତାରେ ବୁଲିବା ମହଙ୍ଗା ପଡିଛି। ପୋଲିସ ଭ୍ୟାନ ରାସ୍ତାରେ ଦମ୍ପତ୍ତିଙ୍କୁ ଅଟକାଇ ୧ହଜାର ଟଙ୍କା ଚାଲାଣ କାଟିଛି, ତାହାବି ପେଟିଏମରେ। ଦମ୍ପତ୍ତି ରାତ୍ରିର ଏହି ଯନ୍ତ୍ରଣାକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ପୋଲିସ ଏହାର ସଜ୍ଞାନ ନେଇଛି। ଯଦି ଆଉ କେହି ଏପରି ସମସ୍ୟାରେ ପଡିଥାନ୍ତି ତେବେ ପୋଲିସ ସହ ଯୋଗାଯୋଗ କରିବାକୁ କହିଛି।

ବେଙ୍ଗାଲୁରୁ ମାନ୍ୟତା ଟେକ୍ ପାର୍କ ପଛପଟ ହାଉସିଂ ସୋସାଇଟି ରହନ୍ତି କାର୍ତ୍ତିକ ପତ୍ରି। ଦିନକ ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହିତ ନିକଟରେ ରହୁଥିବା ବନ୍ଧୁଙ୍କ ଘରକୁ କେକ୍‌ କଟା ଉତ୍ସବରେ ଭାଗ ନେବାକୁ ଯାଇଥିଲେ। ରାତିରେ ଚାଲିଚାଲି ଘରକୁ ଫେରିବା ବେଳେ ସେମାନଙ୍କୁ ପୋଲିସ ଭ୍ୟାନ ଅଟକାଇଥିଲା। ସେମାନେ ଘର ପାଖରେ ପହଞ୍ଚି ଯାଇଥିଲେ। ଏତେ ରାତିରେ କେଉଁ ଆଡେ ବୁଲୁଛ ବୋଲି ପୋଲିସ ସେମାନଙ୍କୁ ପଚାରିବା ସହିତ ଆଇଡେଣ୍ଟି କାର୍ଡ ଦେଖାଇବାକୁ କହିଥିଲା। ତେବେ ସେମାନେ ମୋବାଇଲ ଫୋନରେ ରଖିଥିବା ସେମାନଙ୍କ ଆଧାରକାର୍ଡ ଦେଖାଇଥିଲେ। ଏଥିରେ ପୋଲିସ ସେମାନଙ୍କ ମୋବାଇଲ ଫୋନଟି ଜବତ କରି ନେଇଥିଲା।

wp:html /wp:html

ପୋଲିସ ସେମାନଙ୍କୁ ପଚରା ଉଚରା କରୁଥିବା ବେଳେ ଜଣେ ଅଧିକାରୀ ଚାଲାନ ବୁକ୍ ବାହାର କରି ସେମାନଙ୍କ ନାମ ଓ ଆଧାରକାର୍ଡ ନମ୍ବରରେ ଚାଲାଣ କାଟି ଥିଲେ। ଏହା କାହିଁକି ବୋଲି ସେମାନେ ପଚାରିବାରୁ ରାତି ୧୧ଟା ପରେ ବାହାରେ ବୁଲିବା ମନା ବୋଲି ପୋଲିସ କହିଥିଲେ। ସେତେବେଳକୁ ରାତି ସାଢେ ୧୨ଟା ବାଜିଥିଲା। ତେବେ ଦମ୍ପତ୍ତି ସହରର ନିୟମ ଜାଣି ନଥିବା କହିବା ସତ୍ତ୍ୱେ ପୋଲିସ ଦୁଇ ଜଣଙ୍କୁ ୩ ହଜାର ଟଙ୍କାର ଚାଲାଣ ଧରାଇଥିଲା। ଏଥିରେ ମହିଳା ଜଣକ କାନ୍ଦିବାରୁ ଜଣେ ପୋଲିସ ଅଧିକାରୀ କାର୍ତ୍ତିକଙ୍କୁ ଟିକେ ଦୂରକୁ ଡାକି ନେଇ ୧ ହଜାର ଟଙ୍କା ଫାଇନ ଦେବାକୁ କହିଥିଲେ। ଏଥିରେ କାର୍ତ୍ତିକ ରାଜି ହେବା ସହ ପୋଲିସ ଅଧିକାରୀଙ୍କ ଠାରୁ ମୋବାଇଲ ଫୋନ ଆଣି ପେଟିଏମରେ ୧ ହଜାର ଟଙ୍କା ଚାଲାଣ ପୈଠ କରିଥିଲେ।

ତେବେ ଗତ ରାତ୍ରିର ଯନ୍ତ୍ରଣା କଥା କାର୍ତ୍ତିକ ଭୁଲି ପାରିନଥିଲେ। ଏ ନେଇ ସେ ଶନିବାର ଦିନ ତମାମ ୧୫ଟି ଟ୍ୱିଟ୍ ପୋଷ୍ଟ କରି ରାତିରେ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସୂଚିତ କରି ବେଙ୍ଗାଲୁର ସିଟି କମିଶନର ଓ ପୋଲିସକୁ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ପୋଲିସ ତାଙ୍କ ଟ୍ୱିଟ୍‌ର ସଂଜ୍ଞାନ ନେଇଛି ଓ ସହରରେ ଏପରି ଆଉ କେହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କି ବୋଲି ପଚାରିବା ସାଙ୍ଗକୁ ପୋଲିସ ସହ ସମ୍ପର୍କ କରିବାକୁ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.