ପୋଲିସର ତିନିଟି ଚେହେରା: ବରଗଡରେ ଲୁଟିଲେ, ଗତପତିରେ ରାଜ ଉଆସ ମାଲିକ କନେଷ୍ଟେବଲ ଆଉ ଲାଂଚଖୋର ରେଳବାଇ ପୋଲିସ
29/08/2018 at 7:13 AM

ଭୁବନେଶ୍ବର୨୯|୮: ପୋଲିସ୍ ଲୁଟେରା, ପୋଲିସ୍ ଲାଞ୍ଚୁଆ ଆଉ ପୋଲିସ୍ ଲାଞ୍ଚ ନେଇ, ଠକି ଠକି ମାଲାମାଲ୍ । ରାଜ୍ୟର ୩ଟି ଜାଗାରେ ପୋଲିସର ଏମିତି ଚିତ୍ର ଓ ଚରିତ୍ର ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ, ପୋଲିସ୍ ଯେ ଏକ ଶୃଙ୍ଖଳିତ ବିଭାଗ, ଲୋକଙ୍କୁ ନ୍ୟାୟ ଏବଂ ସୁରକ୍ଷା ଦେବା ପାଇଁ ଅଛି ତାହା କହିବାକୁ ଲାଜ ଲାଗୁଛି । ଆସନ୍ତୁ ଦେଖିବା, ଶୃଙ୍ଖଳିତ ବିଭାଗର କଳଙ୍କିତ କର୍ମଚାରୀଙ୍କ ଉପରେ ରିପୋର୍ଟ ।
ଓଭର୍ ଫୋନ୍ ରେ ପୋଲିସର ଚାଲିଛି ବାର୍ଗେନିଂ । ଏକ ଦୁର୍ଘଟଣାଗ୍ରସ୍ତ ଟାଟା ସଫାରୀ ମାଲିକଙ୍କ ସହ କଥା ହେଉଛନ୍ତି ରେଲୱେ ପୋଲିସ୍ ଏଏସଆଇ ବି. ପାଣିଗ୍ରାହୀ ବାବୁ । ଗତରାତିରେ ଭୁବନେଶ୍ବରରୁ ଭବାନୀପାଟଣା ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଗଲା । ଆଉ ରେଲୱେ କ୍ରସିଂରେ ଦୁର୍ଘଟଣାଗ୍ରସ୍ତ ହେଲା । ଏଏସଆଇ ପାଣିଗ୍ରାହୀ ବାବୁ, ଗାଡ଼ିଟିକୁ ଜବତ କରି ମାଲିକ ସୁଧାଂଶୁ ଦାସଙ୍କ ଠାରୁ ଗାଡ଼ିର ବର୍ତ୍ତମାନ ମୂଲ୍ୟର ଅଧା ଦାବି କରୁଛନ୍ତି । ସେତିକି ଦେଲେ ହିଁ କେସ୍ କୋହଳ କରିବେ, କିନ୍ତୁ କମ୍ପ୍ରମାଇଜ ନୁହେଁ ।
କଳଙ୍କ ନମ୍ବର ୧ ପରେ ଏ ହେଉଛି କଳଙ୍କ ନମ୍ବର ୨ । ୪ ଜଣ ପୋଲିସ ପାଇଁ ବରଗଡ଼ ପୋଲିସ ଏବେ କଳଙ୍କିତ । ଗତ ସୋମବାର ରାତିରେ ଏମାନେ କରିଥିବା କାଣ୍ଡ ବରଗଡ଼ ପୋଲିସର ମୁହଁ ତଳକୁ କରିଦେଇଛି । ପିସିଆର୍ ଡ୍ୟୁଟିରେ ଥିଲେ ଏମାନେ । ବିପଦ-ଆପଦରେ ପଡ଼ିଥିବା ଲୋକଙ୍କୁ ସାହା ହେବାକୁ ନିୟୋଜିତ ହୋଇଥିଲେ ଏଏସଆଇ ସରୋଜ ସେଠ, କନଷ୍ଟେବଲ ବପିନି ବିହାରୀ ବେଦବାକ, ଜଣେ ହୋମଗାର୍ଡ ଏବଂ ସଦର ଥାନାର କନଷ୍ଟେବଲ ସଦାନନ୍ଦ ପ୍ରଧାନ । ହେଲେ ଏମାନେ ହୋଇଗଲେ ଲୁଟେରା । ପାଇକମାଲର ବ୍ୟବସାୟୀ ନନ୍ଦଲାଲ୍ ପ୍ରସାଦ ବ୍ୟାବସାୟିକ କାମରେ କୋଲକାତା ଯାଉଥିବା ବେଳେ ତାଙ୍କୁ ଭଟଲି ଛକରେ ବସରୁ ଓହ୍ଲାଇ ଦେଇ ତାଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ବରଗଡ଼ ପୋଲିସ୍ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଶୃଙ୍ଖଳିତ ବିଭାଗର କଳଙ୍କିତ ଏପିସୋଡ୍ର ଏ ହେଉଛି କଳଙ୍କ ନମ୍ବର ୩ । ଗଜପତିର ଦୁଇ ଜଣ କନେଷ୍ଟବଳଙ୍କ ଘର ରାଜ ଉଆସଠୁ ବି ଅଧିକ । ଜିଲ୍ଲା କନେଷ୍ଟବଳ ସଂଘ ସଭାପତି ରଞ୍ଜିତ ଲିମା ଏବଂ ତାଙ୍କ ସହଯୋଗୀ ଅନ୍ୟତମ କନେଷ୍ଟବଳ ତନୁଜ ସାବତ୍ କନେଶ୍ଟେବଲ ଦରମାରେ କରିପାରିଛନ୍ତି ରାଜା ଉଆସ। ଆଜି ସେମାନଙ୍କୁ ଭିଜିଲାନ୍ସ ଧରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳ ତନୁଜ ସାବତ, ରଞ୍ଜିତ ଲିମା ଏବଂ ରଞ୍ଜିତଙ୍କ ଭାଇ ବିଶ୍ବଜିତଙ୍କ ପାରଳାଖେମୁଣ୍ଡି ଘରେ ଚଢ଼ାଉ ହୋଇଛି । ଆର୍. ଉଦୟଗିରିରେ ତନୁଜଙ୍କ ପୈତୃକ ଘରେ ଏବଂ ତାରବଡ଼ା ଗାଁରେ ରଞ୍ଜିତଙ୍କ ପୈତୃକ ଘରେ ଏମିତି ୫ଟି ଜାଗାରେ ଏକକାଳୀନ ହୋଇଛି ଚଢ଼ାଉ ।
ପାଶ୍ଚାତ୍ୟ ଦେଶରେ ପୋଲିସକୁ ଦେଖିଲେ ବିପଦ-ଆପଦରେ ପଡ଼ିଥିବା ଲୋକକୁ ସାହସ ମିଳିଯାଏ । ହେଲେ ଓଡ଼ିଶା ପୋଲିସର ଏହି ତିନି ତିନିଟି ଚିତ୍ର ଓ ଚରିତ୍ର ଦେଖିଲେ, ୱି ସେଭ୍ ୱି ପ୍ରୋଟେକ୍ଟ ସ୍ଲୋଗାନ୍ ଉପରେ ସନ୍ଦେହ ସୃଷ୍ଟି ହେଉଛି ।