ପୋଲିସ ନଜର ବନ୍ଦୀରେ କିଷାନ ଏକତା ସଙ୍ଗଠନ ଜାତୀୟ ସଭାପତି ଓ ସମର୍ଥକ, ଦେଇଥିଲେ କାଳିନ୍ଦୀ କୁଞ୍ଜରୁ ଦିଲ୍ଲୀ ପଦଯାତ୍ରା ଆହ୍ୱାନ

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮।୧୨: କିଷାନ ଏକତା ସଙ୍ଗଠନ ଜାତୀୟ ସଭାପତି ସୋରନ ପ୍ରଧାନ ଓ ତାଙ୍କ ସମର୍ଥକମାନଙ୍କୁ ପୋଲିସ ଶୁକ୍ରବାର ଘରେ ନଜରବନ୍ଦୀ କରିଛି। ପ୍ରଧାନ ଗୁରୁବାର କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କାଳିନ୍ଦୀକୁଞ୍ଜରୁ ଦିଲ୍ଲୀ ପଦଯାତ୍ରା ଆହ୍ୱାନ ଦେଇଥିଲେ। ତେବେ ଶୁକ୍ରବାର ପଦଯାତ୍ରା ଆୟୋଜନ ପୂର୍ବରୁ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିବାରୁ ପ୍ରଧାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୋରେନ ପ୍ରଧାନ ପୋଲିସ ବଳରେ ଚାଷୀଙ୍କ ଆନ୍ଦୋଳନ ଦବାଇ ଦେବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଚାଷୀ ଦବିବାର କି ନଇଁବାର ନାହିଁ ବୋଲି ସେ କହିଛନ୍ତି। ଚାଷୀ ସେମାନଙ୍କ ଦାବି ନିଶ୍ଚିତ ହାସଲ କରିବେ ଓ ଯେଉଁ ପର୍ଯ୍ୟନ୍ତ ସରକାର ଆଇନ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ରାଜଧାନୀରେ କୃଷକ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ସେପଟେ ୩ନମ୍ବର ଜୋନ ପୋଲିସ ଡିସିପି ଜନପଦରେ ଧାରା ୧୪୪ ଜାରିଥିବାରୁ ଲୋକଙ୍କୁ ଘରେ ରହିବାକୁ କହିଛନ୍ତି।

ଭାରତୀୟ କିଷାନ ୟୁନିୟନ(ବିକେୟୁ) ଧାରଣା ଶୁକ୍ରବାର ସପ୍ତଦଶତମ ଦିବସରେ ପହଞ୍ଚିଛି। ଚିଲ୍ଲା ବର୍ଡରରେ ଚାଷୀମାନେ ଧାରଣା ଦେଇଥିବାରୁ ଦିଲ୍ଲୀ ଆଡକୁ ଯାଉଥିବା ରାସ୍ତା ଆଜି ବି ବନ୍ଦ ରହିଛି। ଧାରଣାରେ ବସିଥିବା ସଙ୍ଗଠନର ସଭାପତି ଠାକୁର ଯୋଗେଶ ପ୍ରତାପ ସିଂହ ଗୁରୁବାର ଅନସନରୁ ଓହରି ଯାଇଥିଲେ ହେଁ ଧାରଣାରୁ ଉଠି ନାହାନ୍ତି। ସରକାର ଜାଣିଶୁଣି ଚାଷୀଙ୍କ ପ୍ରସଙ୍ଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗେଶ ପ୍ରତାପ ଅଭିଯୋଗ କରିଛନ୍ତି।

ସେହିପରି ଦଳିତ ପ୍ରେରଣାସ୍ଥଳରେ ଚାଲିଥିବା ବିକେୟୁ (ଲୋକଶକ୍ତି) ଧାରଣା ଶୁକ୍ରବାର ଷୋଡଶ ଦିବସରେ ପହଞ୍ଚିଥିବା ବେଳେ ସଙ୍ଗଠନର ନେତୃତ ନେଉଥିବା ମାଷ୍ଟର ସ୍ୟୋରାଜ ସିଂହ ସରକାରଙ୍କ ମନବୃତ୍ତିକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ସରକାର ନିଜକୁ ଚାଷୀଙ୍କ ସରକାର କହୁଛି ହେଲେ କୃଷକ ବିରୋଧୀ ଆଇନ ନେଇ ବୁଝାମଣା କରିବାକୁ ପ୍ରସ୍ତୁତ ନୁହନ୍ତି। ଏଥିରୁ ସରକାରଙ୍କ ନୀତିକୁ ନେଇ କୃଷକ ନେତା ସନ୍ଦେହ ପ୍ରକଟ କରିଛନ୍ତି। ତେବେ ଯାହା ବି ହେଉ ସରକାର ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଚାଷୀ ହଟିବେ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.