ଥାନାରେ ଅଭିଯୋଗକାରୀଙ୍କୁ ପୋଲିସର ମାଡ; ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଗୁରୁତର
8/10/2018 at 12:14 PM

ବରଗଡ଼ ୮/୧୦ : ବିଗତ କିଛିଦିନ ହେବ ବରଗଡ଼ ଜିଲ୍ଲାରେ ଘନ ଘନ ବିଦ୍ୟୁତକାଟ ହେଉଥିବା ବେଳେ ଏହାର ପ୍ରତିବାଦ କରିବାକୁ ଯାଇ କିଛି ଯୁବକ ପୋଲିସ ମାଡ଼ରେ ଗୁରୁତର ଆହତ ହୋଇଛନ୍ତି । ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁତି ଭୂଷଣ ଶତପଥିଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ତେବେ ବିଦ୍ୟୁତ ବିଭ୍ରାଟର ସମାଧାନ ପାଇଁ ଆସିଥିବା ଉକ୍ତ ୧୦ ଜଣ ଯୁବକଙ୍କୁ ବରଗଡ଼ ଟାଉନ ଥାନାର ଜଣେ ପୋଲିସ ଏସଆଇ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି । ପୋଲିସ ମାଡ଼ରେ ୪ ଜଣ ଯୁବକଙ୍କ ଗୋଡ଼ ଏବଂ ହାତରେ ଶକ୍ତ ଆଘାତ ଲାଗିଛି । ଅଟକ ଅଭିଯୁକ୍ତଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ବରଗଡ଼ ସହରର ପଧାନପାଲି ବିଦ୍ୟୁତ ଗ୍ରୀଡ଼ ଅଫିସ ସମ୍ମୁଖରେ ବିଭିନ୍ନ ଅଞ୍ଚଳକୁ ଯାଇଥିବା ଅନ୍ୟ ଟ୍ରାନ୍ସଫର୍ମର ଗୁଡିକୁ ସଟଡାଉନ କରିଦେଇଥିଲେ । ସେପଟେ ବରଗଡ଼ ଟାଉନ ଥାନା ଆଇଆଇସି ବିଭୁତି ଭୂଷଣ ଭୋଇ ମାଡ଼ପିଟ ଘଟଣାକୁ ଭିତ୍ତିହୀନ ବୋଲି କହିଥିବା ବେଳେ ଯୁବକ ମାନେ ବିଦ୍ୟୁତ ଗ୍ରୀଡ଼ରେ ଭଙ୍ଗାରୁଜା କରିଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ଯୁବକ ମାନଙ୍କୁ ଥାନାରେ ଅଟକ ରଖାଯାଇଛି ବୋଲି ସେ କହିଛନ୍ତି । ଅପରପକ୍ଷେ ଟାଉନ ଥାନା ପରିସରରେ ଉତ୍ତେଜନା ଲାଗି ରହିଛି ।