ଅପରେସନ ଗ୍ରୀନ କ୍ଲିନ୍‌ରେ ସଫଳତା, ୩ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Published By : Prameya-News7 Bureau | April 26, 2023 IST

ବୌଦ୍ଧ ୨୬/୦୪: ବୌଦ୍ଧ ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍ । ଏହି ପରପ୍ରେକ୍ଷୀରେ ପୋଲିସ୍‌କୁ ବିପୁଳ ସଫଳତା ମିଳିଛି । ୩ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ମନମୁଣ୍ଡା ପୋଲିସ୍ । ମନମୁଣ୍ଡା ଥାନା ନଳୀ କୁପା ଜଙ୍ଗଲରେ ଚଢ଼ାଉ କରି ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କଳା ପୋଲିସ୍ । ବାହାର ରାଜ୍ୟକୁ ଚାଲାଣ ପାଇଁ ଗଚ୍ଛିତ ରଖିଥିବା ବେଳେ ପୋଲିସ୍‌ର ଚଢ଼ାଉ ।

ସୂଚନା ଅନୁଯାୟୀ ନଳୀ କୂପା ଜଙ୍ଗଲରେ ଗଞ୍ଜେଇ ଗଚ୍ଛିତ ଥିବ ନେଇ ବୌଦ୍ଧ ଏସପି କୌଣସି ଏକ ସୂତ୍ରରୁ ଖବର ପାଇ ମନମୁଣ୍ଡା ପୋଲିସ୍ କୁ ସେଠାରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେଠାରେ ବିପୁଳ ଗଞ୍ଜେଇ ବସ୍ତାରେ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ । ତାକୁ ଜବତ କରିଥିବା ବେଳେ ସେଠାରେ ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ତେବେ ବିଗତ ୨ ମାସ ରେ ପ୍ରାୟ ୨୫ କୋଟି ଟଙ୍କାର ୨୫ ଟନ ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ୍ । ଦୁଇ ମାସରେ ୬୩ ଟି ଗଞ୍ଜେଇ ମାମଲାରେ ୯୭ ଜଣଙ୍କୁ ଗିରଫ କରିଥିବା ବେଳେ ୨୭ଟି ବାଇକ୍, ୯ଟି ଚାରିଚକିଆ ଯାନ, ୮ଟି ଦେଶୀ ବନ୍ଧୁକ, ଗୋଟିଏ ପିଷ୍ଟଲ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାଜ ପ୍ରସାଦ । ତେବେ ଆଗକୁ ମଧ୍ୟ ଏହି ପରି ଗଞ୍ଜେଇ ଜବତ ଅପରେସନ ଜାରି ରହିବ ଏବଂ ମାଫିଆ ଙ୍କ ଗିରଫଦାରୀ ମଧ୍ୟ ଜାରି ରହିବ ବୋଲି ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.