ମନୀଷ ଅନୁରାଗ ମୃତ୍ୟୁ ମାମଲା : କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

Published By : Prameya-News7 Bureau | October 22, 2021 IST

ଭୁବନେଶ୍ବର ୨୨।୧୦: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଲମ୍ବିତ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । ଭୁବନେଶ୍ବର କମିଶନରେଟ୍ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ନିଲମ୍ବିତ କରିଛନ୍ତି । ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲଘଂନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ଯାଏଁ ନିଲମ୍ବିତ ।

ମନୀଷ ଅନୁରାଗଙ୍କ ହତ୍ୟାର ୩ ଅଭିଯୁକ୍ତଙ୍କ ୪ ଦିନର ରିମାଣ୍ଡ ଅବଧି ଗୁରୁବାରଠୁ ସରିଛି । କିନ୍ତୁ ରିମାଣ୍ଡରେ ଅଭିଯୁକ୍ତମାନେ ସେହି କାଳ ରାତିର କିଛି ଘଟଣାରେ ନିଜ ସ୍ବୀକାରୋକ୍ତି ରଖିଥିଲେ । କିନ୍ତୁ ହୋଟେଲରୁ ବାହାରିବା ପରେ ଅନେକ ସତକୁ ଏଡ଼ାଇ ଯାଇଛନ୍ତି । ପୋଲିସର ପ୍ରଶ୍ନ ବାଣ ସାମ୍ନାରେ ଗୋଟିଏ ଉତ୍ତର ରଖିଛନ୍ତି, ଆମେ ନିଶାରେ ଚୁର୍‌ ଥିଲୁ... କିଛି ମନେ ପଡୁନି...

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଅଭିଯୁକ୍ତମାନଙ୍କୁ ୩ ଦିନ ଧରି ଜେରା କରାଯାଇଥିଲା । ସେମାନେ କିଛି ପ୍ରଶ୍ନର ସଠିକ୍ ତଥ୍ୟ ଦେଇଥିଲେ । ମନୀଷଙ୍କ ସହ କେମିତି ମିଶିଲେ? କେବେଠୁ ବନ୍ଧୁତାର ଆରମ୍ଭ ? ସେ ଦିନ କେତେବେଳେ ପରସ୍ପରକୁ ଭେଟିଥିଲେ ? ଘଟଣା ଦିନ ପ୍ରଥମେ କେଉଁ ବାର୍‌କୁ ଯାଇଥିଲେ ? ଏନେଇ ସବିଶେଷ ବିବରଣୀ ଆମ ସାମ୍ନାରେ ରଖିଥିଲେ । ଏମିତିକି ସାଉଥ୍‌ ସିଟି ହୋଟେଲରେ ହୋଇଥିବା ଝଗଡ଼ାକୁ ମଧ୍ୟ ମାନିଥିଲେ । ଯେହେତୁ ଏସବୁ ଘଟଣାବଳୀର ସିସି କ୍ୟାମେରା ଫୁଟେଜ୍‌ ରହିଛି । ହୋଟେଲ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତମାନେ ସଠିକ୍‌ ତଥ୍ୟ ଦେଇଛନ୍ତି । କିନ୍ତୁ ହୋଟେଲରୁ ବାହାରିବା ପରେ କେଉଁ ଆଡ଼େ ଗଲେ ? ପାତ୍ରପଡ଼ା ନମ୍ରକର୍ଣ୍ଣି ପୋଖରୀ କୂଳରେ କେତେବେଳେ ପହଞ୍ଚିଲେ ? ପୋଖରୀ କୂଳ ପଡି଼ଆରେ କ’ଣ ଘଟିଲା ? ସେଠି ଠେଲାପେଲା କି ଧସ୍ତାଧସ୍ତି ହୋଇଥିଲା କି ନାହିଁ ? ଏନେଇ କିଛି ସ୍ପଷ୍ଟ ତଥ୍ୟ ଦେଇନାହାନ୍ତି ବୋଲି ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି ।

ସେପଟେ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ପ୍ରୀତମ ବିଶ୍ବାଳ ଓ ଦୀନେଶ ମହାପାତ୍ରଙ୍କୁ  ଗୁରୁବାର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠୁ ଅଭିଯୁକ୍ତମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.