ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ, ନିଶାସକ୍ତ ଅବସ୍ଥାରେ ଗୁରୁଦ୍ୱାରାରେ କରିଥିଲେ ପ୍ରବେଶ !

Published By : Prameya-News7 Bureau | April 16, 2022 IST

ନୂଆଦିଲ୍ଲୀ,୧୬/୦୪:  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କ ବିରୁଦ୍ଧରେ ଅନଲାଇନରେ ଅଭିଯୋଗ ଦାଖଲ କରିଛନ୍ତି ଭାରତୀୟ ଜନତା ପାର୍ଟିର ନେତା ତେଜିନ୍ଦର ପାଲ ସିଂ ବଗା। ନିଶାସକ୍ତ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ମାନ ଗୁରୁଦ୍ୱାରାରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ବିଜେପି ନେତା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବଗା ଟ୍ୱିଟରରେ ଅଭିଯୋଗର ସ୍କ୍ରିନ ସଟ ସେୟାର କରି କହିଛନ୍ତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ବିରୋଧରେ ନିଶାସକ୍ତ ଅବସ୍ଥାରେ ଗୁରୁଦ୍ୱାରାରେ ପ୍ରବେଶ କରିଥିବା ଘଟଣାରେ ପୋଲିସରେ ଅଭିଯୋଗ କରିଛି। ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ପଞ୍ଜାବ ଡିଜିପି ଏବଂ ରାଜ୍ୟର ପୋଲିସକୁ ଅନୁରୋଧ କରୁଛି।

ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡର ଶିଖ ଧର୍ମସ୍ଥଳୀ ପରିଚାଳନା କମିଟି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧନ କମିଟି ଶୁକ୍ରବାର ଅଭିଯୋଗ ଆଣିଥିଲା ଯେ, ବୈଶାଖୀ ବର୍ଷ ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଭଗୱନ୍ତ ସିଂ ମାନ ନିଶାସକ୍ତ ଅବସ୍ଥାରେ ତଖତ ଦମଦମା ସାହିବରେ ପ୍ରବେଶ କରିଥିଲେ। ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କମିଟି ଦାବି କରିଥିଲା। ଏସଜିପିସିର ବରିଷ୍ଠ ଉପାଧ୍ୟକ୍ଷ ରଘୁଜିତ ସିଂ ବିର୍କ କହିଥିଲେ, ମଦ ପିଇ ମୁଖ୍ୟମନ୍ତ୍ରୀ ଶିଖ ସମୁଦାୟର ଏକ ଆଧ୍ୟାତ୍ମିକ ସ୍ଥଳକୁ ଯାଇଥିଲା ଏବଂ ଶିଖ ରାହତ ମର୍ଯ୍ୟଦା( ଆଚାର ସହିଂତା)ର ଉଲ୍ଲଂଘନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କୁ ନିଜ ଭୁଲ ସ୍ୱୀକାର କରି ସମସ୍ତଙ୍କୁ କ୍ଷମା ମାଗିବାକୁ କହିଛି ଏସଜିପିସି ।

ଭାରତୀୟ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଚିବ ତେଜିନ୍ଦର ପାଲ ସିଂ ବଗା ଅଧିକାଂଶ ସମୟରେ ବିବାଦରେ ରହିଥାନ୍ତି। ବଗାଙ୍କ ବିରୁଦ୍ଧରେ ମୋହାଲିରେ ସାଇବର ପୋଲିସ ଷ୍ଟେସନରେ ମାମଲାର ରୁଜୁ କରାଯାଇଛି। ତେଜିନ୍ଦର ପାଲ ସିଂ ବଗା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିବା ଅଭିଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.