ବ୍ରାଜିଲରେ କ୍ୟାପିଟାଲ ହିଲ୍ସ ଭଳି ଘଟଣା, ବୋଲ୍‌ସୋନାରୋ ସମର୍ଥକଙ୍କ ହଙ୍ଗାମା

Published By : Prameya-News7 Bureau | December 15, 2022 IST

ବ୍ରାସିଲିଆ ୧୫/୧୨: ଲାଟିନ ଆମେରିକାର ସବୁଠୁ ବଡ଼ ଦେଶ ବ୍ରାଜିଲରେ ପୁଲିସ ଏବଂ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସମର୍ଥକଙ୍କ ମଧ୍ୟରେ ସାଙ୍ଘାତିକ ସଂଘର୍ଷ ହୋଇଛି । ସମର୍ଥକମାନେ ପୁଲିସ ମୁଖ୍ୟାଳୟରେ ପଶି ହଙ୍ଗାମା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଲୁଲା ଡା ସିଲ୍‌ଭାଙ୍କ ବିଜୟକୁ ବିରୋଧ କରୁଥିବା ଲୋକମାନେ ଆକ୍ରମଣାତ୍ମକ ରୂପ ଧାରଣ କରି ଅନେକ ଗାଡ଼ି ପୋଡ଼ିଦେଇଛନ୍ତି । ପଥର ମାଡ଼ ବି କରିଛନ୍ତି । ସେମାନଙ୍କୁ ଅଟକାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ୱାର୍‌ ଜୋନ୍‌ ଭଳି ପାଲଟିଛି ରାଜଧାନୀ ବ୍ରାସିଲିଆ ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଅକ୍ଟୋବରରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଲୁଲା ଡା ସିଲ୍‌ଭା ବର୍ତ୍ତମାନର ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କୁ ପ୍ରାୟ ୨୧ ଲକ୍ଷ ୩୯ ହଜାର ଭୋଟ୍‌ରେ ହରାଇଥିଲେ । ପୂର୍ବରୁ ବୋଲ୍‌ସୋନାରୋ କହିଥିଲେ ଯେ ଯଦି ସେ ନିର୍ବାଚନ ହାରନ୍ତି, ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରାସ୍ତା ଆପଣାଇବେ । ନିର୍ବାଚନ ଫଳକୁ ଆଦୌ ସ୍ୱୀକାର କରିବେ ନାହିଁ । ଏବେ ତାହା ହିଁ ଦେଖିବାକୁ ମିଳିଛି ।

ବ୍ରାଜିଲରେ ଅକ୍ଟୋବର ୩୧ ପରେ ଛୋଟମୋଟ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା । ଡିସେମ୍ବର ୧୨ରେ ଲୁଲା ନିଜ ବିଜୟ ନେଇ ଔପଚାରିକ ଭାବେ ଘୋଷଣା କରିବା ପରେ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ ଜୋରଦାର କରିଥିଲେ । ହିଂସା ବଢ଼ିବାକୁ ଦେଖି ସୁପ୍ରିମକୋର୍ଟ ବିକ୍ଷୋଭକାରୀ ଜୋସ୍‌ ଅକାସିଓ ସେରେରେ ଜୱାନ୍ତେଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହିଂସା କମିବା ପରିବର୍ତ୍ତେ ବଢ଼ିବାକୁ ଲାଗିଥିଲା । ଡିସେମ୍ବର ୧୩ ଅର୍ଥାତ ମଙ୍ଗଳବାର ବୋଲ୍‌ସୋନାରୋଙ୍କ ସମର୍ଥକମାନେ ପୁଲିସ ମୁଖ୍ୟାଳୟରେ ପଶିଯାଇଥିଲେ । ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏହାପରେ ସେମାନେ ପଥର ମାଡ଼ କରିଥିଲେ । ବସ୍‌ ଓ ପୁଲିସ ଗାଡ଼ି ପୋଡ଼ିଥିଲେ । ପୁଲିସ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ।

ଉଲ୍ଲେଖଯୋଗ୍ୟ, ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବଦଳାଇବା ଲକ୍ଷ୍ୟ ନେଇ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥକମାନେ ଅରାଜକତା ସୃଷ୍ଟି କରିଥିଲେ । କ୍ୟାପିଟଲ ହିଲ୍‌ ମଧ୍ୟରେ ପଶି ଭଙ୍ଗାରୁଜା କରିଥିଲେ । ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା ଥିଲା । କ୍ୟାପିଟଲ ହିଲ୍‌ ଦଙ୍ଗାରେ ୧୩୮ ପୁଲିସ କର୍ମୀ ଆହତ ହୋଇଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନରେ ୫ରୁ ଅଧିକ ଉପଦ୍ରବକାରୀ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.