ପୋଲିସର ଅମାନବିକତା; ପିଟି ପିଟି ବୃଦ୍ଧଙ୍କୁ ଅଚେତ କଲେ ଫାଣ୍ଡି ଅଧିକାରୀ

Published By : Prameya-News7 Bureau | October 30, 2022 IST

ବଲାଙ୍ଗୀର ୩୦/୧୦: ବଲାଙ୍ଗୀରରେ ଖାକି ବାବୁଙ୍କ ଦବଙ୍ଗଗିରି। ୭୨ ବର୍ଷୀୟ ବୃଦ୍ଧଙ୍କୁ ଗାଲରେ ଚାପୁଡ଼ା ମାରି କରି ଅଚେତ କଲେ ଫାଣ୍ଡି ଅଧିକାରୀ। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ପରିଚୟ ସୁଶାନ୍ତ ଭୋଇ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅର୍ନ୍ତଗତ ସଲେଭଟା ଫାଣ୍ଡିରେ ଏଭଳି ଘଟଣା ଘଟିଛି। ନୁଆପାଲି ଗାଁର ୭୨ ବର୍ଷୀୟ ବୃଦ୍ଧ ଅନିରୁଦ୍ଧ ସାହୁ ଓ ତାଙ୍କ କାକା ସନାତନ ସାହୁଙ୍କ ମଧ୍ୟରେ ଜମି ବାଡ଼ିକୁ ନେଇ ୧୨ ବର୍ଷହେଲା ବିବାଦ ଥିଲା। ଅଦାଲତରୁ ଆଦେଶ ପାଇବା ପରେ ସେ ଏଥର ଏହି ଜମିରେ ଚାଷ କରିଥିଲେ।

ତେବେ ଏନେଇ ତାଙ୍କ କାକା ପୁଣି ଥାନାରେ ଅଭିଯୋଗ କରିଥିଲେ। ସଲେଭଟା ପୋଲିସ ଅନିରୁଦ୍ଧଙ୍କୁ ଘରୁ ନେଇଥିଲା। ଫାଣ୍ଡିରେ ପହଞ୍ଚିବା ପରେ ଫାଣ୍ଡି ଅଧିକାରୀ ବୃଦ୍ଧଙ୍କୁ ଲଗାତାର ୫ ରୁ ୬ଥର ବଡ଼ଜୋର ଚାପୁଡ଼ା ମାରିଥିଲେ। ପରେ ମାମଲାର ସମାଧାନ କରି ଅନିରୁଦ୍ଧ ଘରକୁ ବାହାରିଥିଲେ। ସେତିକିବେଳେ ସେ ଥାନା ପରିସରରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସାଲେଭଟା ପୁଲିସହିଁ ତାଙ୍କୁ ଗାଡ଼ିରେ ଆଣି ଭୀମଭୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରିଥିଲା। ସେଠାରେ ସେ ୨ଦିନ ଅଚେତ ରହିବା ପରେ ରବିବାର ତାଙ୍କର ଚେତା ଫେରିଛି। ପୁଲିସ ବାବୁଙ୍କ ମାଡ଼ରେ ଅନିରୁଦ୍ଧଙ୍କ ଦୁଇଟି ଦାନ୍ତ ଭାଙ୍ଗି ଯାଇଛି ବୋଲି ଅନିରୁଦ୍ଧ କହିଛନ୍ତି। ଏନେଇ ଲୋଇସିଂହା ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.