ଇସଲାମାବାଦ ୧୯/୦୫: ପାକିସ୍ତାନରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନି। ସେଠାକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ଗିରଫ ହୋଇପାରନ୍ତି। ଲାହୋରର ଜମାନ ପାର୍କରେ ଥିବା ତାଙ୍କ ଘର ବାହାରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି। ଆଉ କିଛି ସମୟ ମଧ୍ୟରେ ତାଙ୍କ ଘରେ ତଲାସି ହେବ।ଏଥିପାଇଁ ଲାହୋର ପୋଲିସକୁ ସର୍ଚ୍ଚ ୱାରେଣ୍ଟ ମଧ୍ୟ ମିଳିଯାଇଛି। ଇମ୍ରାନ୍ଙ୍କ ଘରେ ୪୦ ଜଣ ଆତଙ୍କବାଦୀ ଲୁଚିରହିଥିବା ଅଭିଯୋଗ ହେଉଛି। ସେହି ଆତଙ୍କୀମାନଙ୍କୁ ଖୋଜିବା ପାଇଁ ପୋଲିସ ଯେକୌଣସି ସମୟରେ ତାଙ୍କ ଘରେ ଚଢ଼ଉ କରିପାରେ। ପାକିସ୍ତାନି ଗଣମାଧ୍ୟମ ରିପୋର୍ଟ ଅନୁସାରେ ୪୦୦ ପୋଲିସ ଇମ୍ରାଙ୍କ ଘରେ ତଲାସି କରିବେ।
ସର୍ଚ୍ଚ ଅପରେସନ୍ ବେଳେ ଇମ୍ରାନଙ୍କୁ ପୁଣି ଥରେ ଗିରଫ କରାଯିବାର ଆଶଙ୍କା ମଧ୍ୟ ରହିଛି। ବହୁ ସଂଖ୍ୟାରେ ପୋଲିସମାନେ ପହଞ୍ଚିବା ଏହା ସନ୍ଦେହ କରାଯାଉଛି। ଇମ୍ରାନଙ୍କ ସମର୍ଥକମାନେ ମେ ୯ରେ ଜିନ୍ନା ହାଉସ୍ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି, ଯେଉଁଠାରେ ପାକିସ୍ତାନ ସେନାର କୋର୍ କମାଣ୍ଡରମାନେ ରହନ୍ତି। ଏହି ଆକ୍ରମଣ ପରେ ଇମ୍ରାନଙ୍କୁ ସମସ୍ତେ ଟାର୍ଗେଟ୍ କରିଛନ୍ତି ଓ ତାଙ୍କ ବିରୋଧରେ ସେନାକୁ ଅପମାନ କରିଥିବା ଅଭିଯୋଗ କରାଯାଇଛି। କିନ୍ତୁ ଏହି ଘଟଣାକୁ ଇମ୍ରାନ୍ ଖାଁ ବହୁତ ନିନ୍ଦା କରିଥିଲେ।
ଏହା ମଧ୍ୟରେ ଖବର ରହିଛିଯେ, ଇମ୍ରାନ୍ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ସ୍ଥଳସେନା ଅଧିନିୟମ ଅଧୀନରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏହି ଅଧିନିୟମରେ ୨ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ଓ ଫାଶୀଦଣ୍ଡ ମଧ୍ୟ ହୋଇପାରେ। କିନ୍ତୁ ଇମ୍ରାନ ଖାଁଙ୍କ ପାଇଁ ଆଶ୍ୱସ୍ତିକର ଖବରଯେ, ଲାହୋରର ଆତଙ୍କ ବିରୋଧି ଅଦାଲତ ତାଙ୍କୁ ମେ ୯ ରେ ହୋଇଥିବା ଜିନ୍ନା ହାଉସ୍ ଆକ୍ରମଣ ସହିତ ୩ଟି ମାମଲାରେ ଜୁନ୍ ୨ ପର୍ଯ୍ୟନ୍ତ ଆଗୁଆ ଜାମିନ୍ ଦେଇଛନ୍ତି। ଅନ୍ଯପଟେ ମେ ୯ରେ ହୋଇଥିବା ହିଂସା ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ, ଇମ୍ରାନଙ୍କ ଘର ପାଖରେ ଲୁଚିଥିଲେ ଓ ସେମାନେ ଫେରାର ହେବା ସମୟରେ ତାଙ୍କୁ କାବୁ କରାଯାଇଥିଲା ବୋଲି ପୋଲିସ କହିଛି।