ଇମରାନଙ୍କୁ ଗିରଫ କରିବା ପାଇଁ ପହଞ୍ଚିଲା ପୋଲିସ, ସମର୍ଥକଙ୍କ ପଥରମାଡ଼ ସହ ଚେତାବନୀ
14/03/2023 at 5:54 PM

ନୂଆଦିଲ୍ଲୀ, ୧୪/୦୩: ପକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଏବେ ରାଜନୀତିକ ସଙ୍କଟ ମଧ୍ୟ ହୋଇପାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କୁ ଗିରଫ କରିବାକୁ ଲାହୋର ସ୍ଥିତ ଇମରାନଙ୍କ ବାସଭବନରେ ଠାରେ ପହଞ୍ଚିଛି ପୋଲିସ୍। ମଙ୍ଗଳବାର ପୋଲିସ ଲାହୋରର ଜମାନ ପାର୍କରେ ପହଞ୍ଚିଛି। କୁହାଯାଉଛି କୌଣସି ବି ସମୟରେ ତାଙ୍କୁ ଗିରଫ କରାଯାଇପାରେ।
ତେବେ ଏହାରି ମଧ୍ୟରେ ଇମରାନ ଖାନ୍ଙ୍କ ଘର ବାହାରେ ବହୁ ସଂଖ୍ୟାରେ ଇମରାନଙ୍କ ସମର୍ଥକ ଜମା ହୋଇଛନ୍ତି। ଇମରାନ ଖାନ୍ଙ୍କ ତେହେରିକ୍-ଏ-ଇନ୍ସାଫ ପାର୍ଟୀର କାର୍ଯ୍ୟକର୍ତ୍ତା ବିରୋଧ କରିବା ସହ ପୋଲିସ୍ ଉପରକୁ ପଥରମାଡ଼ କରୁଛନ୍ତି । ଏମିତିକି ସମର୍ଥକ ଚେତାବନୀ ମଧ୍ୟ ଦେଇଛନ୍ତି ଯଦି ଇମରାନଙ୍କୁ ଗିରଫ କରାଯାଉଛି ତେବେ ଦେଶରେ ବଡ଼ ଆକାରର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ।
ସୂଚନା ଅନୁଯାୟୀ, ପ୍ରକୃତରେ ଇମରାନଙ୍କ ବିରୋଧରେ ସମୁଦାୟ ୮୦ ମୋକଦ୍ଦମା ରହିଛି, ଯେଉଁଥିରୁ ୩୦ ଗୁରୁତର ମାମଲା ରହିଛି । ତେବେ ମଙ୍ଗଳବାର ଇମରାନଙ୍କୁ ଗିରଫ ପାଇଁ ପହଞ୍ଚିଥିବା ସମୟରେ ଉତ୍ୟକ୍ତ ପିଟିଆଇ କର୍ମକର୍ତ୍ତା ପୋଲିସ୍ ଉପରକୁ ପଥର ମାଡ଼ କରିଥିଲେ। ତେବେ ପୋଲିସ୍ ଉତ୍ୟକ୍ତ କର୍ମୀଙ୍କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ର ମଧ୍ୟ ବ୍ୟବହାର କରୁଛି। ପୋଲିସ୍ ଧୀରେ ଧୀରେ ଇମରାନଙ୍କ ଘର ଆଡ଼କୁ ବଢ଼ୁଛି। କୁହାଯାଉଛି ଆଜି ଇମରାନ ଗିରଫ ହୋଇପାରନ୍ତି।
ସେପଟେ ଇମରାନ ଖାନ୍ଙ୍କ ଦଳ ଆରେଷ୍ଟ ଓ୍ବାରେଣ୍ଟ ବିରୋଧରେ ଇସଲାମାବାଦ ହାଇକୋର୍ଟରେ ଅପିଲ୍ କରାଯାଇଛି। ଯାହା ଉପରେ ଆଜି ଶୁଣାଣି ହେବ। ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ଇମରାନଙ୍କୁ ଗିରଫ କରିବା ପାଇଁ ଇମରାନଙ୍କ ବାସଭବନରେ ପହଞ୍ଚିଥିଲା ପୋଲିସ୍। କିନ୍ତୁ ସେତେବେଳେ ଇମରାନ ଘଟଣାସ୍ଥଳରେ ନଥିଲେ। ଯାହାକୁ ନେଇ ପାକ୍ ଗୃହମନ୍ତ୍ରୀ କହିଥିଲେ ରାଣା ସନାଉଲ୍ଳାହ ଟାର୍ଗେଟ କରି କହିଥିଲେ ଯେ ଇମରାନ ପଡ଼ୋଶୀ ଘରକୁ ଡେଇଁପଡ଼ିଛନ୍ତି।