ଏକତରଫା ପ୍ରେମ କରି ହଟହଟା ହେଲେ ଯୁବକ : ଗିରଫ କଲା ପୋଲିସ୍

Published By : Prameya-News7 Bureau | February 20, 2020 IST

ଭୁବନେଶ୍ୱର ୨୦/୨: ଯୁବତୀଙ୍କୁ ଏକତରଫା ପ୍ରେମ କରିବା ସହ ତାଙ୍କୁ ବାରମ୍ବାର ହଇରାଣ ହରକତ କରି ଶେଷରେ ଅପହରଣ ଉଦ୍ୟମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ତାଙ୍କ ନାମ ଭବାନୀ ଶଙ୍କର ବାରିକ(୩୬) । ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ନାଗପୁର । ସେ ପୁରୁଣା ଭୁବନେଶ୍ୱର କେନାଲ ରୋଡ ବଶିଷ୍ଠନଗରରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, କଟକର ପୁଷ୍ପା (ଛଦ୍ମନାମ, ୨୫) ସାଲିଆସାହିରେ ରହୁଥିଲେ । ସେ ଏକ ବିୟୁଟି ପାର୍ଲର କରିଥିଲେ । କିଛିଦିନ ତଳେ ସେ ଜୟଦେବବିହାରସ୍ଥିତ ପାଲ ହାଇଟ୍‌ସକୁ ମାର୍କେଟିଂ କରିବାକୁ ଯାଇଥିଲେ । ଘରେ ମୋବାଇଲ୍‌ ଛାଡ଼ି ଦେଇଥିବାରୁ ସେଠାରେ ଥିବା ଭବାନୀଙ୍କ ଠାରୁ ମୋବାଇଲ୍‌ ମାଗି ଘରକୁ ଫୋନ୍‌ କରିଥିଲେ । ତା’ପରେ ସେଠାରୁ ପୁଷ୍ପା ପଳାଇ ଆସିଥିଲେ । ଭବାନୀଙ୍କ ମୋବାଇଲରେ ଡାଏଲ ହୋଇ ରହିଥିବା ପୁଷ୍ପାଙ୍କ ମୋବାଇଲକୁ ଭବାନୀ ବାରମ୍ବାର ଫୋନ୍‌ କରିଥିଲେ । ପୁଷ୍ପାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ କରିବାକୁ ଜିଦ୍‌ ଧରିଥିଲେ । କିନ୍ତୁ ପୁଷ୍ପା ଭବାନୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ଭବାନୀଙ୍କ ପ୍ରେମ ନିଶା ଛାଡ଼ି ନଥିଲା । ସେ ପୁଷ୍ପାଙ୍କ ପରିବାର ଲୋକଙ୍କୁ ଭେଟି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ପକାଇଥିଲେ । କିନ୍ତୁ ପୁଷ୍ପା ରାଜି ହୋଇ ନଥିଲେ । ଶେଷରେ ଭବାନୀ ପୁଷ୍ପାଙ୍କୁ ଫୋନ୍‌ କରି ବିବାହ ନ କଲେ ତୁମକୁ ଓ ତୁମ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।

ଗତ ୧୭ ତାରିଖରେ ପୁଷ୍ପା ନୂଆପଲ୍ଲୀ ଟ୍ରାଫିକ୍‌ ଛକରେ ଛିଡ଼ା ହୋଇଥିବା ବେଳେ ଭବାନୀ ଏକ କାର୍‌ରେ ତାଙ୍କ ପାଖରେ ପହଞ୍ଚିଥିଲେ । ପୁଷ୍ପାଙ୍କୁ ମାଡ଼ମାରି ଜୋର ଜବରଦସ୍ତ କାର୍‌ରେ ଅପହରଣ କରି ନେବା ପାଇଁ ଉଦ୍ୟମ କରିଥିଲେ । ପୁଷ୍ପାଙ୍କ ପାଟି ଶୁଣି ଆଖପାଖ ଲୋକେ ପହଞ୍ଚିଯିବାରୁ ଭବାନୀ ସେଠାରୁ ପଳାଇଥିଲେ । ଏନେଇ ପୁଷ୍ପା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଭବାନୀଙ୍କୁ ଗିରଫ କରିବା ସହ ଅପହରଣ ଉଦ୍ୟମରେ ବ୍ୟବହୃତ କାର୍‌(ଓଆର୦୨ଏଜେ-୦୪୪୯)କୁ ଜବତ କରିଥିଲା । ଅପରାହ୍ଣରେ ଭବାନୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.