ନୂଆଦିଲ୍ଲୀ: ଫିଲ୍ମ ଷ୍ଟାଇଲରେ ଚୋରି କରୁଥିଲେ ସ୍ବାମୀ-ସ୍ତ୍ରୀ। ସାଥ୍ ଦେଉଥିଲେ ମାଆ।ଫିଲ୍ମର ଚରିତ୍ର ବଣ୍ଟି-ବବଲୀଙ୍କ ଭଳି ଥିଲା ପୂରା ଚାକଚକ୍ୟ ଭରା ଠାଣି। ଆଉ ଏହି ଚାଲିଚଳଣିରେ ଭ୍ରମିତ କରି କରୁଥିଲେ ଚୋରି। ଖାଲି ସେତିକି ନୁହେଁ ଚୋରି କରିବା ପାଇଁ ଲଗଜୁରୀ କାର୍ରେ ଆସୁଥିଲେ।ହେଲେ ଏବେ ପଡ଼ିଛନ୍ତି ପୋଲିସ ପଞ୍ଝାରେ। ଅବଶ୍ୟ ଅଭିଯୁକ୍ତଙ୍କ ମାଆ ଏବେବି ଫେରାର।
ଉତ୍ତରାଖଣ୍ଡ ପୋଲିସ ଏଭଳି ଜଣେ ଦମ୍ପତ୍ତିଙ୍କୁ ଗିରଫ କରିଛି। ଏମାନେ ମୂଳତଃ ମୁରଦାବାଦର ମୁଫ୍ତିଟୋଲା ନିବାସୀ । ଏହି ଦମ୍ପତ୍ତି ହେଉଛନ୍ତି ବସୀମ (୩୦), ଯୋଗ୍ୟତା ଦ୍ବାଦଶ ପାସ୍ ଏବଂ ତାଙ୍କ ପତ୍ନୀ ଆସିୟା।ଉଭୟ ଦୁଇ ବର୍ଷ ତେଳ ଦିଲ୍ଲୀର କାଲା ମହଲ ଅଞ୍ଚଳରେ ରହିଆସୁଥିଲେ। ସାଥିରେ ତାଙ୍କ ମାଆ ମଧ୍ୟ ରହୁଥିଲେ। ତେବେ ପରିବାର ସିନା ଛୋଟ ଥିଲା କିନ୍ତୁ କାରାନାମା ଥିଲା ବହୁତ ବଡ଼। ଯୋଜନା ଥିଲା ଲୋକଙ୍କଠୁ ଚୋରି ଟଙ୍କାରେ ବିଳାସମୟ ଜୀବନ ଜୀଇଁବାର। କିନ୍ତୁ ଏବେ ଏହି ଯୋଜନ ହୋଇଛି ପୂରା ବିଫଳ।
ପୋଲିସ ଅନୁଯାୟୀ, ଓ୍ବସିମ ତାଙ୍କ ପତ୍ନୀ ଆସିଆ ଏବଂ ମାଆଙ୍କ ସହ ବିଳାସମୟ କାର୍ରେ ହଲଦ୍ବାନୀର ବରେଲୀ ରୋଡ୍ ଯାଉଥିଲେ। ଏଠାରେ ମଙ୍ଗଲପଡ଼ାଓ୍ବ ଏବଂ ପଟେଲ ଚୌକ ବଜାରରେ ଲୋକଙ୍କୁ ଟାର୍ଗଟ କରୁଥିଲେ। ଏମାନେ ଲୋକଙ୍କ ପିଛା କରି ଭିଡ଼ର ଫାଇଦା ଉଠାଇ ବ୍ୟାଗ୍ରୁ ନଗଦ, ଅଳଙ୍କାର ଆଦି ଚୋରି କରୁଥିଲେ। ବିଶେଷ କରି ବଡ଼ ବ୍ୟାଗ ଥିବା ବ୍ୟକ୍ତିଙ୍କୁ ଏମାନେ ଟାର୍ଗେଟ କରୁଥିଲେ।
ତେବେ ଏପ୍ରିଲ ୧୦ରେ ଜଣେ ମହିଳା ଚୋରିର ଶିକାର ହେବା ପରେ କୋତଓ୍ବାଲି ଥାନାରେ ରିପୋର୍ଟ କରିଥିଲେ। ଏହା ପରେ ଯାଞ୍ଚ ଅନୁଯାୟୀ, ଅଭିଯୁକ୍ତଙ୍କ ଗାଡ଼ି ନମ୍ବର ଟ୍ରେସ ହୋଇଥିଲା। ଆଉ ସୋମବାର ସନ୍ଧ୍ୟା ଟାଣ୍ଡା ଜଙ୍ଗଲ ନିକଟରୁ ବସୀମ ଏବଂ ଆସିୟାଙ୍କୁ ପୋଲିସ ଗିରଫ କରିଛି।
ମଙ୍ଗଳବାର ସିଓ ନିତୀନ ଲୋହାନୀ କହିଛନ୍ତି, ଅଭିଯୁକ୍ତଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତ ଯୁବକଙ୍କ ମାଆଙ୍କ ଖୋଜ୍ ଜାରି ରହିଛି। ଅଭିଯୁକ୍ତଙ୍କ ପାଖରୁ ଚାରି ଦିନ ତଳେ ମହିଳାଙ୍କ ବ୍ୟାଗ୍ରୁ ଚୋରି ହୋଇଥିବା ସୁନାର କାନଫୁଲ, ରୂପା ପାଉଁଜି ଏବଂ ପାଞ୍ଚ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ରିପୋର୍ଟ ରୁଜୁ କରି ଦମ୍ପତ୍ତିଙ୍କୁ କୋର୍ଟଙ୍କ ଆଦେଶରେ ଜେଲ ପଠାଯାଇଛି।
ପୋଲିସର କହିବା ଅନୁଯାୟୀ, ଯେଉଁ କାର୍ରେ ସେମାନେ ଆସୁଥିଲା ତାହାକୁ ଦିଲ୍ଲୀରୁ ସେକେଣ୍ଡ ହ୍ୟାଣ୍ଡ କିଣିଥିଲେ। ଦିଲ୍ଲୀ ନମ୍ବରର ଗାଡ଼ି ମଙ୍ଗଲପଓ୍ବାବ ପର୍ଯ୍ୟନ୍ତ ଆସିବା ଏବଂ ପୁଣି ବରୋଲୀ ରୋଡରେ ପାର୍କ ହେବା ପରେ ପୋଲିସକୁ ସନ୍ଦେହ ହୋଇଥିଲା। ଏହା ପରେ ନମ୍ବର ଟ୍ରେସ୍ କରାଯାଇଥିଲା। ଟିମ୍ ଦିଲ୍ଲୀ ପହଞ୍ଚିଥିଲା। କିନ୍ତୁ ଅଭିଯୁକ୍ତଙ୍କ କୌଣସି ସୁରାଗ ମିଳିନଥିଲା। ସୋମବାର ଯେତେବେଳେ ଦମ୍ପତ୍ତି ପୁଣି ଚୋରି କରିବାକୁ ଆସିଥିଲେ ସେତେବେଳେ ଗିରଫ କରିଥିଲା।
ପୋଲିସ ସେମାନଙ୍କ ଅପରାଧିକ ରେକର୍ଡ ଜାଣିବାକୁ ଚେଷ୍ଟା କରି ପାଇଥିଲା ଯେ, ଓ୍ବସିମ ମୁରାଦାବାଦରେ ତିନି ମକଦ୍ଦମା ଏବଂ ଆସିୟା ଉପରେ ଗୋଟିଏ ମୋକଦ୍ଦମା ରହିଛି। ଓ୍ବସିମ ବିରୋଧରେ ମୁରାଦାବାଦା ପୋଲିସ ଗୁଣ୍ଡା ଆକ୍ଟ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ମଧ୍ୟ କରିସାରିଛି। ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଅଧିକ ପଚାରଉଚରା କରାଯାଉଛି। ଅନ୍ୟ ଚୋରି ବିଷୟରେ ମଧ୍ୟ ଜଣାପଡ଼ିବା ନେଇ ଅନୁମାନ କରାଯାଉଛି। ଫେରାରଙ୍କୁ ଖୋଜିବା ପାଇଁ ଟିମ୍ ଗଠନ ହୋଇଛି। ତାଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ।