ଧରାପଡ଼ିଗଲେ ମୁଖା ପିନ୍ଧା ପ୍ରିନ୍ସିପାଲ୍‌, ପିଲା ବିକ୍ରି ରାକେଟ୍‌ରେ ଥିଲେ ମାଷ୍ଟରମାଇଣ୍ଡ୍

Published By : Prameya-News7 Bureau | July 23, 2021 IST

କୋଲକାତା, ୨୩/୦୭: ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପାଲ୍‌ ଏବଂ ଜଣେ ଶିକ୍ଷକଙ୍କ ସମେତ ୯ ଜଣଙ୍କୁ ରବିବାର ଗିରଫ କରିଛି ସ୍ଥାନୀୟ ପୋଲିସ୍‌ । ଏମାନେ ସମସ୍ତେ ପିଲା ଚୋରୀ ରାକେଟ୍‌ ଚଳାଇଥିଲେ । ପିଲା ଚୋରୀ କରି  ସେମାନେ ତାଙ୍କୁ ବାହାରେ ବିକ୍ରି କରୁଥିବା ଜଣାପଡ଼ିଛି ।

ବାଙ୍କୁରା ପୋଲିସ୍‌ର ସୂଚନା ଅନୁଯାୟୀ, ୩ ଜଣ ଝିଅ ଏବଂ ୨ଜଣ ପୁଅଙ୍କୁ ଆଭିଯୋଗ ପରେ ଉଦ୍ଧାର କରାଯାଇଛି । ସେମାନଙ୍କର ବୟସ ୬ ବର୍ଷ ୮ ମାସ ପାଖାପାଖି ହେବ । ଏଥି ସହିତ ଅଭିଯୁକ୍ତ ମାନଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏହି ମାମଲାକୁ ସିଆଇଡି (Criminal Investigation Department) କୁ ହସ୍ତାନ୍ତର କରାଯାଇଥିବା ବାଙ୍କୁରା ଏସ୍‌ପି ଧ୍ରୀତିମାନ ସରକାର ଗଣମାଧ୍ୟମକୁ କହିଛନ୍ତି ।

ଗତ ରବିବାର ଏହି ସ୍କୁଲ୍‌ର ପ୍ରିନ୍ସିପାଲ୍‌ କମଲ୍‌ କୁମାର ରୋଜାରିଆ ଏବଂ ଶିକ୍ଷୟିତ୍ରୀ ସୁଷମା ଶର୍ମା ୩ଜଣ ଝିଅଙ୍କୁ ଜବରଦସ୍ତ ଏକ ଗାଡ଼ିରେ ବସାଇ କେଉଁ ଆଡ଼େ ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ସେହି ସମୟରେ ଝିଅମାନେ କାନ୍ଦୁଥିବା ଦେଖି ଲୋକେ ବିରୋଧ କରିଥିଲେ । କିନ୍ତୁ ପ୍ରିନ୍ସ୍‌ପାଲ୍‌ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିବା ବେଳେ ସ୍ଥାନୀୟ ପୋଲିସ୍‌କୁ ଏନେଇ ଖବର ଦିଆଯାଇଥିଲା । ପରେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ପରେ ଏହା ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି ।

ଅଭିଯୁକ୍ତ ମାନଙ୍କର ରାଜ୍ୟ ଏବଂ ରାଜ୍ୟ ବାହାରେ ଲିଙ୍କ୍‌ ଥିବା ଜାଣିବାକୁ ପାଇଛି ପୋଲିସ୍‌ । ପ୍ରାଥମିକ ତଦନ୍ତରୁ ଆଶାନୋଲ ଏବଂ ଦୁର୍ଗାପୁର ଅଞ୍ଚଳର ୫ ଜଣ ପିଲାଙ୍କୁ ପୋଲିସ୍‌ ଉଦ୍ଧାର କରିଥିବା ଜଣାଡ଼ିଛି । ସେମାନଙ୍କ ଭିତରୁ ଜଣକୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେଇ କିଣାଯାଇଥିବା ଅଭିଯୁକ୍ତମାନେ କହିଛନ୍ତି । ତେବେ ଶୁକ୍ରବାର ସିଆଇଡିର ଟିମ୍‌ ବାଙ୍କୁରାରେ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ଜଣା ପଡ଼ିଛି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.