ଏନଏଚ ୫୨୦ରେ ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣା: ୪ ହାଇୱେ ଲୁଟେରା ଗିରଫ, ସ୍କୋର୍ପିଓ, ମୋବାଇଲ, ଟଙ୍କା ଓ ମାରଣାସ୍ତ୍ର ଜବତ

Published By : Prameya-News7 Bureau | October 19, 2021 IST

ବଡ଼ବିଲ, ୧୯/୧୦: ଏନଏଚ ୫୨୦ରେ ଘଟିଥିବା ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ। ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସ୍କୋର୍ପିଓ ଗାଡ଼ି, ମାରଣାସ୍ତ୍ର, ଟଙ୍କା ଓ ୯ଟି ମୋବାଇଲ ଜବତ କରିଛି ପୋଲିସ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବଡ଼ବିଲ ଏସଡ଼ିପିଓ ହିମାଂଶୁ ଶେଖର ବେହେରା।

ସୂଚନା ଅନୁଯାୟୀ, ଦେବଗଡ ଜିଲ୍ଲା, ରିଆମାଳ, ଗୋଳାବନ୍ଧ ଅଂଚଳର ଟ୍ରକ୍ ଡ୍ରାଇଭର, ଜୟନନ୍ଦ ମାଝୀ ୫ତାରିଖ ବିଳମ୍ବିତ ରାତିରେ ଓଆର ୦୪ ଏଲ ୩୭୧୯ ନମ୍ବର ଧାରୀ ଟ୍ରକରେ କୋଇଡା ଅଞ୍ଚଳରୁ ଖଣିଜ ବୋଝେଇ କରି ଜିନ୍ଦଲ ଅଭିମୁଖେ ବାହାରିଥିଲା। ତେବେ କୌଣସି କାରଣରୁ ଟ୍ରକଟି ଭଦ୍ରାସାହି ନିକଟରେ ଅଟକି ରହିଥିଲା। ବିଳମ୍ବିତ ରାତିରେ ଏହି ହାଇୱେ ଲୁଟେରାମାନେ ଟ୍ରକ ଡ୍ରାଇଭରଙ୍କ ଠାରୁ ଲୁଟ କରିବା ବେଳେ ଏହାର ବିରୋଧ କରିଥିଲେ ଟ୍ରକ ଡ୍ରାଇଭର ଜୟନନ୍ଦ। ଜୟନନ୍ଦଙ୍କୁ ଆକ୍ରମଣ କରି ମୋବାଇଲ ଓ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ଘଟଣାସ୍ଥଳରେ ଡ୍ରାଇଭର ଜୟନନ୍ଦଙ୍କର ମୃତ୍ୟୁ ଘଟିଥିଲା।  ଗିରଫ ଅଭିଯୁକ୍ତମାନେ ଏହି ଘଟଣା ଭିଆଇଥିବା ସ୍ବୀକାର କରିଛନ୍ତି ।

ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲାବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ପରେ ମାମଲାର ମୋଡ଼ ପରିବର୍ତ୍ତନ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିଲା ପୋଲିସ। ଗତ ସୋମବାର ରାତିରେ ଏହି ଦୁର୍ବୃତ୍ତମାନେ ଏକ ସ୍କୋର୍ପିଓ ଗାଡ଼ିରେ ଅନ୍ୟ ଟ୍ରକରୁ ଲୁଟିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଟିମ ଦୁର୍ବୃତ୍ତମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.