ମହିଳାଙ୍କ ସହ ବର୍ଷକର ପୁଅକୁ ହତ୍ୟା କଲା ଧଳା ଭାଲୁ, ଜାଣନ୍ତୁ କାହିଁକି ହିଂସକ ହେଉଛନ୍ତି ବରଫ ଦେଶର ପ୍ରାଣୀ
19/01/2023 at 4:35 PM

ନୂଆଦିଲ୍ଳୀ, ୧୯/୦୧: ମହିଳାଙ୍କ ସହ ବର୍ଷକର ପୁଅକୁ ହତ୍ୟା କଲା ଧଳା ଭାଲୁ। ମଙ୍ଗଳବାର ଆଲାସ୍କାର ଏକ ଗ୍ରାମରେ ଧଳା ଭାଲୁ ଆକ୍ରମଣ କରିବା ଫଳରେ ଜଣେ ମହିଳା ଏବଂ ତାଙ୍କର ଏକ ବର୍ଷର ପୁଅର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଅଧିକାରୀମାନେ କହିଛନ୍ତି, ଧଳା ଭାଲୁଟି ଗାଁ ଭିତରକୁ ପଶି ଆସିଥିଲା ଏବଂ କିଛି ଲୋକଙ୍କୁ ଗୋଡ଼ାଇଥିଲା। ଆଉ ଏହାପରେ ଉକ୍ତ ମହିଳା ଏବଂ ଶିଶୁକୁ ଆକ୍ରମଣ କରିଥିଲା। ତେବେ ଗ୍ରାମର ଜଣେ ବ୍ୟକ୍ତି ଗୁଳିମାଡ଼ରେ ଭାଲୁଟିର ମଧ୍ୟ ମୃତ୍ୟୁ ହୋଇଛି। ଅଲସ୍କାର ଓ୍ବେଲ୍ସ ଗ୍ରାମରେ ଘଟିଛି ଏହି ଘଟଣା। ଏହି ଗ୍ରାମରେ ପ୍ରାୟ ୧୭୦ ଲୋକ ବସବାସ କରନ୍ତି। ତେବେ ଏହି ଘଟଣାର ଯାଞ୍ଚ ଜାରିରହିଛି।
ପାଣିପାଗ ପରିବର୍ତ୍ତନ ଫଳରେ ହେଉଛନ୍ତି ହିଂସକ:
ସାଧାରଣତଃ ଧଳା ଭାଲୁ ମଣିଷକୁ ଆକ୍ରମଣ ଘଟଣା ଖୁବ୍ କମ୍ ହୋଇଥାଏ। କିନ୍ତୁ ୨୦୧୭ ଠାରୁ ଏଥିରେ ବୃଦ୍ଧି ଦେଖାଯାଉଛି। ଦ୍ରୁତ ଭାବରେ ତରଳୁଥିବା ବରଫ ଫଳରେ ଧଳା ଭାଲୁ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହାଁଉଛନ୍ତି। ସେପଟେ ମନୁଷ୍ୟ ଏବଂ ଏହି ଧଳାଭାଲୁଙ୍କ ମଧ୍ୟରେ ସଂଘର୍ଷ ବଢ଼ିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ବିଶେଷଜ୍ଞ।
କମିଛି ୪୦% ଧଳାଭାଲୁଙ୍କ ସଂଖ୍ୟା:
ପ୍ରକୃତରେ ସାମୁଦ୍ରିକ ବରଫ ଧଳା ଭାଲୁଙ୍କ ବାସପୋଯୋଗୀ ହୋଇଥାଏ। ଏଠାରେ ଥିବା ସିଲ୍ ଏମାନଙ୍କ ମୁଖ୍ୟ ଖାଦ୍ୟ ଉତ୍ସ ହୋଇଥାଏ। କିନ୍ତୁ ପ୍ରତିବର୍ଷ ଏହି ସାମୁଦ୍ରିକ ବରଫ ପରିମାଣ ହ୍ରାସ ପାଇବାରେ ଲାଗିଛି ଫଳରେ ବରଫ ପରିବେଶ ଉପରେ ନିର୍ଭର କରୁଥିବା ଧଳା ଭାଲୁ ଏବଂ ଅନ୍ୟ ପଶୁ ଏବେ ବିପଦରେ। ଏକ ରିସର୍ଚ୍ଚ ଅନୁଯାୟୀ ନର୍ଥଇଷ୍ଟ ଆଲାସ୍କା ଏବଂ ନର୍ଥଓ୍ବେଷ୍ଟ ଆଲାସ୍କାରେ ୨୦୦୧ ରୁ ୨୦୧୦ ମଧ୍ୟରେ ୪୦% ଧଳା ଭାଲୁଙ୍କ ସଂଖ୍ୟା କମିଛି।