POK ମେଡିକାଲ କଲେଜର ଡିଗ୍ରି ଭାରତରେ ମାନ୍ୟ ନୁହେଁ :MCI

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୮: ପାକ୍ ଅଧିକୃତ ଜମ୍ମୁ-କାଶ୍ମୀର ମେଡିକାଲ କଲେଜର ଡିଗ୍ରି ଭାରତରେ ମାନ୍ୟ ନୁହେଁ। ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ବୁଧବାର ଏକ ପବ୍ଲିକ ନୋଟିସ୍‌ରେ ଏହି ସୂଚନା ଦେଇଛନ୍ତି। ଦେଶର ଏହି କ୍ଷେତ୍ରରେ ପଢିଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ ପ୍ରାକ୍ଟିସ ଦିଆଯିବ କି ନା ସେ ସମ୍ପର୍କିତ ଜମ୍ମୁ-କାଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏମସିଆଇ ଏହି ସୂଚନା ଜାରି କରିଛନ୍ତି।

ଏହି କଲେଜରୁ ମେଡିକାଲ ଡିଗ୍ରି ହାସଲ କରିଥିବା ଜନୈକା ଛାତ୍ରୀଙ୍କୁ ବିଦେଶରୁ ମେଡିକାଲ ଡିଗ୍ରି ହାସଲ କରିଥିବା ଡାକ୍ତରଙ୍କ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯାଇନଥିଲା। ଏହା ବିରୋଧରେ ଛାତ୍ରୀ ୨୦୧୯ ମସିହାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏମସିଆଇ ନୀତି ସ୍ପଷ୍ଟ କରିଦେଇଛନ୍ତି। ଏମସିଆଇଙ୍କ ସୂଚନା ଅନୁସାରେ କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ସମେତ ସମ୍ପୂର୍ଣ୍ଣ ଅଂଶ ଭାରତର ଅଭିନ୍ନ ଅଂଶ। ଏଣୁ ଏହି କ୍ଷେତ୍ରର ଯେ କୌଣସି ଶିକ୍ଷାନୁଷ୍ଠାନ ଲାଗି ଭାରତ ସରକାରଙ୍କ ସ୍ୱୀକୃତ ସଂସ୍ଥାନଙ୍କ ମଞ୍ଜୁରି ଜରୁରି।

ସେହି ଅନୁସାରେ ଏମସିଆଇ ପିଓଜେକେଏଲର କୌଣସି ମେଡିକାଲ କଲେଜ ମେଡିକାଲ କାଉନସିଲ ଆକ୍ଟ ୧୯୫୬ ଅନୁସାରେ ମାନ୍ୟତା ନେବାକୁ ବାଧ୍ୟ। ତେବେ ସମ୍ପୃକ୍ତ କ୍ଷେତ୍ରରେ କୌଣସି ଶିକ୍ଷଣାନୁଷ୍ଠାନ ଏ ନେଇ ଏମସିଆଇଙ୍କ ସହ ଅନୁବନ୍ଧିତ ନୁହନ୍ତି କି ଏଥିଲାଗି କାହାରିକୁ ପ୍ରାଧିକୃତ କରାଯାଇ ନାହିଁ।  ଏଣୁ ଏଭଳି କଲେଜମାନଙ୍କରୁ ଡାକ୍ତରୀ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଡାକ୍ତରୀ ପ୍ରାକ୍ଟିସ୍ ଲାଗି ଅନୁମତି ଦେବାର ପ୍ରାବଧାନ ନାହିଁ। ଏଣୁ ଭାରତରେ ବିଦେଶୀଙ୍କ ଲାଗି ଆୟୋଜିତ ପରୀକ୍ଷାରେ ଏପରି ସଂସ୍ଥାଙ୍କ ଛାତ୍ରଛାତ୍ରୀଙ୍କୁ ବସିବାର ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.