ଭୁବନେଶ୍ବର: ଥାନା ଅଧିକାରୀଙ୍କ ରେଷ୍ଟ ରୁମ୍ରେ ଶୋଇଥିଲା ସାପ। ଦୁଇଦିନ ଧରି ତକିଆ ତଳେ ଲୁଚି ରହିଥିଲା। ବଡ଼ କଥା ହେଲା ଖୋଦ ଥାନା ଅଧିକାରୀ ମଧ୍ୟ ଏହି ସମୟରେ ଗେଷ୍ଟ ରୁମକୁ ଅନେକ ଥର ଯାଆସ କରିଛନ୍ତି।ହେଲେ କେହି ଜାଣିପାରିଲେନି। କମିଶନରେଟ ପୋଲିସର ଭୁବନେଶ୍ବର ୟୁପିଡିରେ ଥିବା ଏକ ଥାନାର ଅଧିକାରୀଙ୍କ ରେଷ୍ଟ ରୁମ୍ରେ ଏଭଳି କିଛି ଘଟଣା ଘଟିଛି। ଅବଶ୍ୟ ଦୁଇଦିନ ପରେ ସାପକୁ ବାହାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ।
ସୂଚନା ଅନୁଯାୟୀ, ଥାନା ଅଧିକାରୀ ରେଷ୍ଟ ଅଞ୍ଚଳକୁ ଏକ ସାପ ପଶିଆସିଥିଲା। ଥାନା କର୍ମଚାରୀମାନେ ପ୍ରଥମେ ସାପଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହଠାତ୍ ସାପଟି କେଉଁଆଡ଼େ ଚାଲିଥିଲା। ଏମିତିରେ ଘଟଣାକୁ ଦୁଇଦିନ ବିତିସାରିଥିଲା। କର୍ମଚାରୀମାନେ ଭାବିଥିଲେ ବୋଧହୁଏ ସାପଟି ପଳେଇଯାଇଛି।
ହେଲେ ସୋମବାର ଯେତେବେଳେ ଥାନା ଆଇଆଇସି ରେଷ୍ଟ୍ ରୁମକୁ ଖାଦ୍ୟ ଖାଇବାକୁ ଯାଇଥିଲେ, ସେହି ସମୟରେ ଖଟ ଉପରେ କିଛି ହଲଚଲ୍ ହେଉଥିବା ଦେଖିଲେ। ପାଖକୁ ଯାଇ ଦେଖିବାରୁ ତାହା ସେହି ବିଷାକ୍ତ ଚିତି ସାପ। ଏହା ପରେ ଥାନା ଅଧିକାରୀ ସ୍ନେକ୍ ହେଲ୍ପ ଲାଇନକୁ ସୂଚନା ଦେଇଥିଲେ।
ଆଉ ଖବର ପାଇ ସ୍ନେକ ହେଲପଲାଇନ ସଦସ୍ୟ ଚିତି ସାପଟିକୁ ଘର ଭିତରୁ ବାହାର କରିଥିଲେ। ତେବେ ଉଦ୍ଧାର ହୋଇଥିବା ଚିତି ସାପଟି ସାମାନ୍ୟ ଆହତ ହୋଇଥିବାରୁ ତାକୁ ନିକଟ ବଣରେ ଛାଡ଼ି ଦେଇଥିଲେ। ସେପଟେ ସାପଟି ଦୁଇଦିନ ଥାନା ଅଧିକାରୀଙ୍କ ରେଷ୍ଟ୍ ରୁମରେ ରହି ମଧ୍ୟ କେହି ଆହତ ହୋଇନଥିବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।